ପୁଣି ୨୫ ଟଙ୍କା ବଢିଲା ରନ୍ଧନ ଗ୍ୟାସ

ନୂଆଦିଲ୍ଲୀ: ଦେଶରେ ପୁଣି ରନ୍ଧନ ଗ୍ୟାସ ସିଲିଣ୍ଡର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି । ଆଜିଠାରୁ ଏହି ନୂତନ ବର୍ଦ୍ଧିତ ଦର ଲାଗୁ ହୋଇଛି । ଫଳରେ ରାଜଧାନୀ ଭୁବନେଶ୍ୱରରେ ଏବେ ୧୪.୨ କେଜି ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୪୫ ଟଙ୍କା ୫୦ ପଇସାକୁ ବଦ୍ଧି ପାଇଛି । ଏହା ପୂର୍ବରୁ ଭୁବନେଶ୍ୱରରେ ୧୪,୨ କେଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୨୦ ଟଙ୍କା ୫୦ ପଇସା ଥିଲା ।
ଗତ ଫେବ୍ରୃଆରି ମାସରେ ରାଜ୍ୟରେ ଏଲପିଜି ସିଲିଣ୍ଡର ମୂଲ୍ୟ କ୍ରମାଗତ ଭାବେ ତିନି ଥର ପାଇଁ ବୃଦ୍ଧି ଘଟିଥିବା ବେଳେ ମାର୍ଚ୍ଚ ଆରମ୍ଭରୁ ଆଜି ପୁଣି ଏଲପିଜି ଦରରେ ବୃଦ୍ଧି ଘଟିଛି । ପ୍ରଥମ ଥର ପାଇଁ ଫେବ୍ରୃଆରି ୪ରେ ଏଲପିଜି ଦରରେ ୨୫ ଟଙ୍କା ବୃଦ୍ଧି ଘଟିଥିଲା ବେଳେ ଫେବ୍ରୁଆରି ୧୪ରେ ଆଉ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା । ପରେ ତୃତୀୟ ଥର ପାଇଁ ଫେବ୍ରୃଆରି ୨୫ରେ ଏଲପିଜି ସିଲିଣ୍ଡରରେ ୨୫ ଟଙ୍କାର ମୂଲ୍ୟ ବୃଦ୍ଧି ଘଟିଥିଲା । ଗତ ଫେବ୍ରୃଆରି ମାସରେ ଗ୍ୟାସ ସିଲିଣ୍ଡର ପିଛା ମୂଲ୍ୟ ୧୦୦ ଟଙ୍କା ବଢିଥିଲା ବେଳେ ଗତ ଡିସେମ୍ବର ମାସରେ ମଧ୍ୟ ୧୦୦ ଟଙ୍କା ବଢିଥିଲା । ମାତ୍ର ୩ ମାସ ମଧ୍ୟାରେ ବର୍ତମାନ ସୁଦ୍ଧା ସିଲିଣ୍ଡର ପିଛା ମୂଲ୍ୟ ୨୨୫ ଟଙ୍କା ବୃଦ୍ଧି ପାଇଛି । ଏବେ ଉପଭୋକ୍ତାମାନଙ୍କ ବ୍ୟାଙ୍କଖାତାରେ ସିଲିଣ୍ଡର ପିଛା ମାତ୍ର ୧୩ ଟଙ୍କା ୯୫ପଇସା ଜମା ହେଉଛି । ଫଳରେ ଖାଉଟିଙ୍କୁ ବାଧିବା ସହ ଦେଶବ୍ୟାପୀ ତିବ୍ର ଅସନ୍ତୋଷ ସୃଷ୍ଟି ହୋଇଥିବା କୁହାଯାଇଛି ।
ଅନ୍ୟପକ୍ଷରେ ଆଜି ହୋଇଥିବା ଦର ବୃଦ୍ଧି ପରେ ଦିଲ୍ଲୀରେ ୧୪,୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ପିଛା ମୂଲ୍ୟ ୮୧୯ ଟଙ୍କାକୁ ବଢିଥିଲା ବେଳେ କୋଲକାତାରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ପାଇଁ ୮୪୫ ଟଙ୍କା, ମୁମ୍ବାଇରେ ଏଲପିଜି ସିଲିଣ୍ଡର ମୂଲ୍ୟ ବର୍ତମାନ ୮୧୯ଟଙ୍କା, ଚେନ୍ନାଇରେ ୮୩୫ଟଙ୍କା, ଏବଂ ହାଇଦ୍ରାବାଦ୍ରେ ୮୭୧, ୫୦ ଟଙ୍କାକୁ ବୃଦ୍ଧି ପାଇଛି ।

Comments (0)
Add Comment