ବଢୁଛି ‘ବ୍ଲାକ୍ ଫଙ୍ଗସ୍‌’ ଦେଶରେ ୮୮୪୮ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଘାତକ ‘ବ୍ଲାକ ଫଙ୍ଗସ୍‌’ ବା ମ୍ୟୁକୋର୍ମାଇକୋସିସ୍‌ରେ ୮୮୪୮ଜଣ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ବର୍ତମାନ ସୁଦ୍ଧା ୧୨୬ ଜଣଙ୍କର ଜୀବନ ଯାଇଥିବା ସୂଚନା ରହିଛି । ସେମାନଙ୍କ ଭିତରୁ କେବଳ ମହାରାଷ୍ଟ୍ରରେ ହିଁ ସର୍ବାଧିକ ୯୦ ଜଣ ମୃତୃ ବରଣ କରିଛନ୍ତି । ତାହା ପଛକୁ ହରିଆଣାରେ ୧୪ ଓ ଉତରପ୍ରଦେଶରେ ୮ଜଣଙ୍କର ଜୀବନ ଗଲାଣି । ଅପରପକ୍ଷେ, ଅନେକ ରାଜ୍ୟରେ ଏହି ଘାତକ ରୋଗର ଉପଶମ ପାଇଁ ବ୍ୟବହୃତ ଲିପୋସୋମାଲ ଆମ୍ଫୋଟେରିସିନ୍ ବି ନାମକ ଭୂତାଣୁ ବିରୋଧୀ ଔଷଧର ଉତ୍କଟ ଅଭାବ ରହିଥିବା ଚିନ୍ତାର କାରଣ ହୋଇଛି ।
ସମ୍ପ୍ରତି କୋଭିଡ୍ ପୀଡିତାଙ୍କ ଠାରେ ଏହି ମ୍ୟୁକୋର୍ମାଇକୋସିସ୍‌ର ଲକ୍ଷଣ ବେଶୀ ବେଶୀ ଦେଖାଯାଉଥିବାରୁ ଏଡାର ପ୍ରତିକାର କରିନପାରିବା ଆଶଙ୍କାରେ ବିଭିନ୍ନ ରାଜ୍ୟ ସରକାର ବିବ୍ରତ ହୋଇପଡିଛନ୍ତି । ଶୁକ୍ରବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟମାନଙ୍କ ପାଇଁ ପରାମର୍ଶବଳୀ ଜାରି ହୋଇଛି ।
ହସ୍ପିଟାଲଗୁଡିକରେ ସଂକ୍ରମଣ ନିୟନ୍ତ୍ରଣ ପାଇଁ କମିଟି ଗଠନ ସହିତ ନୋଡାଲ୍ ଅଫିସର ନିଯୁକ୍ତି ପାଇଁ ପରାମର୍ଶ ଦିଆଯାଇଛି ।
ଏହି ନୂତନ ମହାମାରୀ ଯୋଗୁଁ ବିଭିନ୍ନ ରାଜ୍ୟରେ ଯଦିଓ ମୃତ୍ୟୁସଂଖ୍ୟା ସେତେ ଅଧିକ ନୁହେଁ, ତେବେ ପରିସ୍ଥିତିରେ ଗମ୍ଭୀରତାକୁ ଅନୁଭବ କରି ଉତରପ୍ରଦେଶ, ରାଜସ୍ଥାନ ଓ ଗୁଜୁରାଟ ସରକାର ଏହାକୁ ମହାମାରୀ ଭାବେ ଘୋଷଣା କରିଛନ୍ତି । ସେହିପରି ପଞ୍ଜାବ, ହରିଆଣା, କର୍ଣ୍ଣାଟକ, ତାମିଲନାଡୁ ଓ ତେଲେଙ୍ଗାନା ଆଦି ରାଜ୍ୟ ମଧ୍ୟ ପୂର୍ବରୁ ବ୍ଲାକ୍ ଫଙ୍ଗସକୁ ମହାମାରୀ ଆଇନ୍‌ରେ ଅଧିସୂଚୀତ କରିଛନ୍ତି । ଅତି କମ୍‌ରେ ଦେଶରେ ୧୦ଟି ରାଜ୍ୟରେ ଏହାର ମୁକାବିଲା ପାଇଁ ସମ୍ପୃକ୍ତ ଭୂତାଣୁ ବିରୋଧୀ ଔଷଧ ନାହିଁ ଅଥବା ସରିଗଲାଣି । ସର୍ବାଧିକ ୧,୫୦୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ମହାରାଷ୍ଟ୍ରରେ ମାତ୍ର ୧୦ ପ୍ରତିଶତଙ୍କ ପାଇଁ ଏହି ଔଷଧ ଉପଲବ୍ଧ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାଯାଇଛି । ପରିସ୍ଥିତି ଅଣାୟତ ହେବା ପୂର୍ବରୁ ରାଜ୍ୟମାନେ କୌଣସି ମତେ ପ୍ରଚୁର ପରିମାଣର ଔଷଧ ମହଜୁଦ୍ ରଖିବାକୁ ଆଶାବାନ୍ଧି ରହିଛନ୍ତି ।

Comments (0)
Add Comment