ଭୁବନେଶ୍ୱର: ବୟସ୍କ ନାଗରିକମାନଙ୍କ ସୁରକ୍ଷା ପାଇଁ ପ୍ରତି ରାଜ୍ୟରେ ସ୍ୱତନ୍ତ୍ର ହେଲ୍ପଲାଇନ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ସରକାର ଗୁରୁତ୍ୱାରୋପ କରିଛନ୍ତି । ଏହି ଉଦ୍ଦେଶ୍ୟରେ ଜାତୀୟ ସ୍ତରରେ ଏକ ହେଲ୍ପଲାଇନ ପ୍ରତିଷ୍ଠିତ ହେବାକୁ ଯାଉଥିବା ବେଳେ ବିଭିନ୍ନ ରାଜ୍ୟର ବରିଷ୍ଠ ନାଗରିକ ସୁରକ୍ଷା ହେଲ୍ପଲାଇନ୍ ଏଥିସହ ଯୋଡ଼ି ହେବା ପାଇଁ ରାଜ୍ୟ ସରକାରମାନଙ୍କୁ ଅନୁରୋଧ କରାଯାଇଛି । ଇତିମଧ୍ୟରେ କେନ୍ଦ୍ର ସରକାର ନୀତିଗତ ନିଷ୍ପତି ନେଇ ବରିଷ୍ଠ ନାଗରିକଙ୍କ ଲାଗି ଜାତୀୟ ହେଲ୍ପାଲାଇନ ସ୍ଥାପନ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଏବଂ ଏହା ଆସନ୍ତା ଅକ୍ଟୋବର ପହିଲାରୁ କାର୍ଯ୍ୟକାରୀ ହେବାକୁ ଯାଉଛି । କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଏଥିଲାଗି ନୀତିଗତ ନିଷ୍ପତି ନେଇଛି । ବିଭାଗୀୟ ସଚିବ ଆର୍.ସୁବ୍ରମଣ୍ୟମ କହିଛନ୍ତି ଯେ, ନ୍ୟାସନାଲ ଆକ୍ସନ ପ୍ଲାନ ଫର ସିନିଅର ସିଟିଜେନ୍ସ ଇତିମଧ୍ୟରେ ପ୍ରସ୍ତୁତ ହୋଇଛି ଏବଂ ଏହି ଯୋଜନା ଆଧାରରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପଲାଇନ ଉଭୟ ରାଜ୍ୟ ଓ କେନ୍ଦ୍ର ସ୍ତରରେ ପ୍ରତିଷ୍ଠିତ ହେବ । ଏହି ଦେୟୁମିକ୍ତ ହେଲ୍ପଲାଇନ ନମ୍ବରରେ ବରିଷ୍ଠ ନାଗରିକମାନେ ସେମାନଙ୍କ ସୁବିଧା ଅସୁବିଧା ସବୁ ଜଣାଇ ପାରିବେ ଏବଂ ଏହାର ବିବରଣୀ ରେକର୍ଡିଂ କରାଯାଇ ସମସ୍ୟାର ସମାଧାନ ଲାଗି କର୍ତୃପକ୍ଷଙ୍କ ନିକଟକୁ ତୁରନ୍ତ ପଠାଇ ଦିଆଯିବ । ବରିଷ୍ଠ ନାଗରିକମାନଙ୍କ ଅଭିଯୋଗ ଉପରେ କ’ଣ ସବୁ କାର୍ଯ୍ୟାନୁଷ୍ଠାନ ହୋଇଛି ତାହାର ବିବରଣୀ ମଧ୍ୟ ଜଣାଇ ଦିଆଯିବ । ଏହି ହେଲ୍ପଲାଇନ୍ କାର୍ଯ୍ୟକ୍ଷମ ହେଲେ ବରିଷ୍ଠ ନାଗରିକମାନଙ୍କୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଗୋଟିଏ ଦପ୍ତରରୁ ଆଉ ଗୋଟିଏ ଦପ୍ତରକୁ ଦୌଡ଼ିବାକୁ ପଡ଼ିବ ନାହିଁ । ସେମାନଙ୍କ ଅଭିଯୋଗ ଓ ପରାମର୍ଶ କ୍ରମେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହ ଫଳାଫଳ ଜଣାଇ ଦିଆଯିବ । ଏହାଫଳରେ ସେମାନଙ୍କ ମନରେ ଆସ୍ଥା ଓ ବିଶ୍ୱାସ ଦୃଢ଼ ହେବ । ଏ ପ୍ରସଙ୍ଗରେ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ସଚିବ ଆର୍ ସୁବ୍ରମଣ୍ୟମ ଓଡ଼ିଶା ସମେତ ସବୁ ରାଜ୍ୟ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି । ଯେଉଁ ରାଜ୍ୟ ସରକାରମାନେ ଏ କ୍ଷେତ୍ରରେ ମିଳିମିଶି କାମ କରିବାକୁ ଆଗ୍ରହ ପ୍ରକାଶ କରିବେ ସେମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । କ୍ଷେତ୍ରୀୟ ସ୍ତରରେ ଏହି ଯୋଜନାର ସଫଳ ରୂପାୟନ ପାଇଁ ଉପଜିଲ୍ଲାପାଳମାନଙ୍କୁ ଅଥୋରାଇଜ୍ଡ ଅଫିସର ଭାବେ ଦାୟିତ୍ୱ ଦିଆଯାଉଛି । ଏହାଛଡ଼ା ବିଭିନ୍ନ ବେସରକାରୀ ସଙ୍ଗଠନକୁ ଏଥିରେ ମଧ୍ୟ ଯୋଡ଼ା ଯିବାକୁ ବ୍ୟବସ୍ଥା ଅଛି । ଅନେକ ସମୟରେ ଏକୁଟିଆ ରହୁଥିବା ବୟସ୍କ ନାଗରିକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ସେମାନଙ୍କ ମାନସିକ ଚାପ ଓ ଅସହାୟତୀ ବଢ଼ୁଛି । ରାଜ୍ୟ ସ୍ତରରେ ହେଲ୍ପଲଇନମାନ ପ୍ରତିଷ୍ଠା କରାଗଲେ ସେମାନଙ୍କୁ ଆଉ ଅଧିକ ଦିନ ପାଇଁ ଚାପ ମୁଣ୍ଡାଇବାକୁ ପଡ଼ିବ ନାହିଁ । ତେଣୁ ଏ ପ୍ରସଙ୍ଗରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ସରକାର ଚିଠି ଲେଖି ତୁରନ୍ତ ହେଲ୍ପଲାଇନ ସ୍ଥାପନ ଲାଗି ପରାର୍ମଶ ଦେଇଛନ୍ତି । ଉଲ୍ଲେଖନୀୟ ଯେ ୨୦୧୧ର ଜନଗଣନା ଅନୁଯାୟୀ ଆମ ଦେଶରେ ବରିଷ୍ଠ ନାଗରିକ କୁହାଯାଉଥିବା ୬୦ ବର୍ଷରୁ ଉଦ୍ଧ୍ୱ ବୟସ୍କ ଲୋକଙ୍କ ସଂଖ୍ୟା ୧୦ କୋଟି ୩୮ ଲକ୍ଷ ଥିବାବେଳେ ୨୦୧୪ବେଳକୁ ଏହା ୨୪ କୋଟିରେ ପହଂଚିବା ଅନୁମାନ କରାଯାଉଛି ।