ବାଦଲଫଟା ବର୍ଷାରେ ୭ ମୃତ: ୩୦ ନିଖୋଜ

ଜମ୍ମୁ: ଜମ୍ମୁ ଓ କଶ୍ମୀରର କିସ୍ତୱାର ଜିଲ୍ଲାରେ ବାଦଲ ଫଟା ବର୍ଷାରେ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ସଙ୍ଗେ ସଙ୍ଗେ ୩୦ରୁ ଅଧିକ ନିଖୋଜ ହୋଇଯାଇଛନ୍ତି । ଭୂସ୍ଖଳନକୁ ବହୁ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତ୍ୱର ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି ।
କିସ୍ତ୍‌ୱାର୍ର ଦଚାନ ତହସିଲ୍ ଅନ୍ତର୍ଗତ ହୋଞ୍ଜାର ଗ୍ରାମରେ ଆଜି ଭୋର ସମୟରେ ଉପରୋକ୍ତ ବିପର୍ଯ୍ୟୟ ଘଟିଛି । ସେ ଗାଁକୁ ସଡ଼କ ସଂଯୋଗ ନାହିଁ । ଉଦ୍ଧାର କାର୍ଯ୍ୟ ନିମନ୍ତେ ସମ୍ପୃକ୍ତ ଅଞ୍ଚଳକୁ ସେନା ଓ ପୁଲିସକୁ ପଠାଯାଇଛି । ଗତ ଅଳ୍ପ କେତେ ଦିନ ହେଲା ଜମ୍ମୁର ଅଧିକାଂଶ ଅଞ୍ଚଳରେ ପ୍ରବଳ ବୃଷ୍ଟିପାତ ହେଉଛି । ଜୁଲାଇ ଶେଷ ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ଥିବାରୁ ଜଳାଶୟ ନିକଟବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣକୁ ଅଧିକ ସତର୍କ ରହିବା ଲାଗି କିସ୍ତ୍‌ୱାର ସରକାରୀ କର୍ତ୍ତୃପକ୍ଷ ମଙ୍ଗଳବାର ରାତିରେ ପରାମର୍ଶ ଦେଇଛନ୍ତି । ଏ ସଂକ୍ରାନ୍ତରେ ମଙ୍ଗଳବାର ରାତିରେ ଜିଲ୍ଲା ପ୍ରଶାସନ ଜାରି କରିଥିବା ସତର୍କ ସୂଚନାରେ ଉଲ୍ଲେଖ ଅଛ, ଆଗାମୀ ଦିନମାନଙ୍କରେ ପ୍ରବଳ ବର୍ଷା ହେବ ଏବଂ ନଈନାଳରେ ବଢ଼ି ଆସିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଫଳରେ ନଈ, ନାଳ ଏବଂ ଅନ୍ୟାନ୍ୟ ଜଳାଶୟ ଓ ଭୂସ୍ଖଳନ ଆଶଙ୍କା ଥିବା ଅଞ୍ଚଳରେ ନିକଟରେ ବାସ କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇପାରେ ।

Comments (0)
Add Comment