ବିଦ୍ୟାର୍ଥୀଙ୍କ ନବସୃଜନ ଦ୍ବାରା ଦେଶକୁ ମିଳିବ ନୂଆ ପରିଚୟ : ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ଆଇଆଇଟି ଦିଲ୍ଲୀର ୫୧ ତମ ସମାବର୍ତ୍ତନ ସମାରୋହରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ଏଥିରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରମାନଙ୍କୁ ସମ୍ବୋଧିତ କରିଥିଲେ। ଛାତ୍ରଛାତ୍ରୀମାନେ ଆଗେଇ ଆସି ନବସୃଜନ ମାଧ୍ୟମ  ଦେଶ ପାଇଁ ନୂଆ ପରିଚୟ ସୃଷ୍ଟି କରିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଆହ୍ବାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ  କହିଛନ୍ତି, କରୋନା ସମୟ ବହୁତ କିଛି ବଦଳାଇ ଦେଇଛି। ଏହି ସଂକଟ ସମୟରେ ଆମକୁ ନୂଆ କିଛି ଚିନ୍ତା କରିବା ଦରକାର। ଆଜି ଛାତ୍ରଛାତ୍ରୀ ମାନଙ୍କ ପାଖରେ ଟେକ୍ନୋଲୋଜି ଶିଖିବାର ସୁଯୋଗ ଆସିଛି। କୃଷି ଏବଂ ମହାକାଶ କ୍ଷେତ୍ରରେ ମଧ୍ୟ ନୂତନ ସମ୍ଭାବନା ରହିଛି। ସମାଜକୁ ଆଗକୁ ନେବା ଏବଂ ଏହାର ଉନ୍ନତି କରିବା ଆପଣଙ୍କ ଲକ୍ଷ୍ୟ ହେବା ଉଚିତ୍ ବୋଲି  ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ କହିଛନ୍ତି। ନୂତନ ଶତାବ୍ଦୀରେ ନୂତନ ସଂକଳ୍ପ ଏବଂ ନୂତନ ଆଇନ ହେବା ଆବଶ୍ୟକ। ବିପିଓ ସେକ୍ଟରରେ ଅନେକ ପରିବର୍ତ୍ତନ ଆସିଛି, ଯାହା ଦ୍ବାରା ନୂଆ ସମ୍ଭାବନା ରହିଛି। ଆଜି ଷ୍ଟାର୍ଟଅପ୍ ମାନଙ୍କୁ ଅନେକ ପ୍ରକାରର ସହାୟତା ଦିଆଯାଉଛି। ୩ ବର୍ଷ ପାଇଁ ଋଣ ଛାଡ କରି ଦିଆଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣମାନେ ଯେତେବେଳେ ଏଠାରୁ ଯିବେ, ଆପଣମାନଙ୍କୁ ମଧ୍ୟ ନୂତନ ମନ୍ତ୍ର ସହିତ କାମ କରିବାକୁ ପଡିବ। ତେବେ ଆପଣଙ୍କର ଏକ ମନ୍ତ୍ର ରହିବା ଉଚିତ-ଗୁଣବତ୍ତା ଉପରେ ଧ୍ୟାନ ଦିଅନ୍ତୁ, କଦାପି ଆପୋଷ ବୁଝାମଣା କରନ୍ତୁ ନାହିଁ, ଅଭିନବ କାର୍ଯ୍ୟ କରନ୍ତୁ, ଦାୟିତ୍ବ ନିଶ୍ଚିତ କରନ୍ତୁ, ବଜାରରେ ଦୀର୍ଘକାଳୀନ ବିଶ୍ବାସନୀୟତା ବଜାୟ ରଖନ୍ତୁ, ପରିବର୍ତ୍ତନର ଆଶା କରନ୍ତୁ ଫଳରେ ଜୀବନର ଅନିଶ୍ଚିତତା ଦୂର ହେବ।ଆପଣମାନେ ଯଦି ଏହି ମୌଳିକ ମନ୍ତ୍ର ଉପରେ କାମ କରିବେ, ତେବେ ଏହାର ଚମକ ବ୍ରାଣ୍ଡ ଇଣ୍ଡିଆରେ ମଧ୍ୟ ପ୍ରତିଫଳିତ ହେବ।

Comments (0)
Add Comment