ଯୋଡା : କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ରଣାଶାଳ ଘାଟି ନିକଟ ୨୧୫ ନଂ ଜାତୀୟ ରାଜପଥ ଏସାର ପେଟ୍ରୋଲ ପମ୍ପ ସମ୍ମୁଖ ରାସ୍ତା ଜାମ ହୋଇଥିବା ସମୟରେ ଯୋଡା ଥାନା ଅଧିକାରୀ ରାଇସେନ ମୁର୍ମୁ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ସମସ୍ତ ଗାଡିକୁ ଯାଞ୍ଚ କରୁଥିବା ସମୟରେ ବିଆର-୦୧ପିଇ-୬୯୬୯ ନମ୍ବର ଇନୋଭା ଗାଡିକୁ ମଧ୍ୟ ଯାଞ୍ଚ କରିଥିଲେ ।
ଯାଞ୍ଚ ସମୟରେ ଗାଡିରେ ଥିବା ବିସ୍ଫୋରକ ଦେଖି ପୋଲିସର ହୋସ ଉଡିଯାଇଥିଲା । ୧୫ ଗୋଟି ହାଇ ଏକ୍ସକ୍ଲୋସିଭ ଇଲେକ୍ଟ୍ରୋନିକ ଡିଟେନେଟର ଏବଂ ୨୫ ଏମଏମର ୧୨୫ ଗ୍ରାମର ୧୫ଟି ପାୱାର ଜେଲ ଗାଡିରୁ ଜବତ କରାଯିବା ସହ ଗାଡିରେ ଥିବା ଝଡଖଣ୍ଡ ରାଜ୍ୟ ଚାଇଁବାସା ନିମଢି ଅଞ୍ଚଳର କୁନାଲ କୁମାର ମିଶ୍ର (୩୦)କୁ ଥାନାରେ ଅଟକ ରଖି ପଚରା ଉଚୁରା କରିବା ପରେ କୁନାଲର ଅପରାଧିକ ରେକର୍ଡ ସମ୍ବନ୍ଧରେ ଯୋଡା ପୋଲିସ ଜାଣିବାକୁ ପାଇଥିଲା ଯେ ଚାଇଁବାସା ମୁଫାସିଲ ପୋଲିସ ଷ୍ଟେସନ କେସ ନଂ ୮୨/୨୦୧୯ ରେ କୁନାଲଙ୍କ ନାମରେ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ନେଇ ଏକ ମକଦ୍ଧମା ଅଛି । ସେହି କେସରେ କୁନାଲ ୱାଂଟେଡ ଭାବେ ଅଛି ।
ଏତଦବ୍ୟତୀତ ଯୋଡା ଭୂୟାଁବସ୍ତି ଠାରେ ରହି ଆଉ ଗୋଟିଏ ସ୍ତ୍ରୀ ବିବାହ କରିଥିବା ନେଇ ପୋଲିସ ସୂଚନା ଦେଇଛି । ଏସବୁ ଘଟଣା ବ୍ୟତୀତ ଆଉ କେଉଁ କେଉଁ ଘଟଣାରେ କୁନାଲର ଲିଙ୍କ ରହିଛି ପୋଲିସ ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ । ଅଭିଯୁକ୍ତ କୁନାଲକୁ ବେଆଇନ ବିସ୍ଫୋରକ ରଖି ଚୋରା ଚାଲାଣ କରୁଥିବା ଅଭିଯୋଗରେ ଯୋଡା ଥାନା ପୋଲିସ କେସ ନଂ ୧୧୫/୨୦ରେ ମାମଲା ରୁଜୁ କରି ଗୁରୁବାର କୋର୍ଟ ଚାଲାଣ କରିଥିବା ଯୋଡା ଥାନା ଆଇଆଇସି ରାଇସେନ ମୁର୍ମୁ ସୂଚନା ଦେଇଛନ୍ତି ।