ଭଦ୍ରକ-ନୟାଗଡ ମେମୁ ଟ୍ରେନର ଶୁଭାରମ୍ଭ

କଟକ : କଟକ ରେଳ ଷ୍ଟେସନରୁ ଭଦ୍ରକ-ନୟାଗଡ଼ ଟାଉନକୁ ମେମୁ ଟ୍ରେନର ଶୁଭାରମ୍ଭ ହୋଇଛି । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପତାକା ଦେଖାଇ ଏହି ମେମୁ ଟ୍ରେନର ଶୁଭାରମ୍ଭ କରିଛନ୍ତି ।
ଗୁରୁବାରଠାରୁ ନିୟମିତ ଭାବେ ଏହି ଟ୍ରେନ୍ ଭଦ୍ରକରୁ ନୟାଗଡ଼ ଯାତ୍ରା କରିବ । ସକାଳ ୫ଟା ୪୫ମିନିଟରେ ଏହି ମେମୁ ଟ୍ରେନ୍ ଭଦ୍ରକ ଛାଡିବ । ୪୦ଟି ଷ୍ଟେସନରେ ରହଣି ପରେ ୧୧ଟା ୪୫ମିନିଟରେ ଏହି ଟ୍ରେନ୍ ନୟାଗଡ଼ ଟାଉନରେ ପହଞ୍ଚିବ । ସେହିପରି ନୟାଗଡ ଟାଉନରୁ ଟ୍ରେନଟି ୫ଟା ୫ମିନିଟରେ ଛାଡିବ ଓ ୧୦ଟା ୪୦ମିନିଟରେ ଭଦ୍ରକରେ ପହଞ୍ଚିବ । ଏଥିଲାଗି ଆୟୋଜିତ ଉତ୍ସବରେ ଉଦବୋଧନ ଦେଇ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି ଯେ, କଟକ ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ କରାଯିବ । ଏଥିଲାଗି ୩୩୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିପରି ଗତ ୨୦୧୪ରୁ ଓଡ଼ିଶାରେ ରେଳବାଇର ବିକାଶ ଲାଗି ଅନୁଦାନ ବଢିଛି । ବିଭିନ୍ନ କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି । ଏପରିକି ଗତବର୍ଷ ରାଜ୍ୟରେ ୪୫୦ କିମି ନୂତନ ରେଳପଥ ନିର୍ମାଣ ହୋଇଛି ବୋଲି ସେ କହିଛନ୍ତି । ଓଡ଼ିଶାରେ ରେଳବାଇର ବିକାଶ ଯୁଗ ଆରମ୍ଭ ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କଟକ ବିଧାୟକ ମହମ୍ମଦ ମୋକିମ୍ ପ୍ରମୁଖ ଉପସ୍ଥିତ ଥିଲେ ।

Comments (0)
Add Comment