ଭାରତକୁ ବିଶ୍ୱବ୍ୟାଙ୍କ ଦେବ ୫୦୦ ନିୟୁତ ଡଲାର

ୱାଶିଂଟନ: କୋଭିଡ-୧୯ ଭାରତର ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ଗୁରୁତର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛି । ଏଭଳି ଜଟିଳ ପରିସ୍ଥିତିରେ ଏହାକୁ ସହାୟତା କରିବ ବିଶ୍ୱବ୍ୟାଙ୍କ । ଦେଶର ଏମଏସଏମଇ କ୍ଷେତ୍ରକୁ ପୁନଃ ସୁଦୃଢ଼ କରିବାକୁ ବିଶ୍ୱବ୍ୟାଙ୍କ ୫୦୦ ନିୟୁତ ଡଲାରର ଏକ ଯୋଜନା ପ୍ରସ୍ତୁତ କରିଛି । ବ୍ୟାଙ୍କ ନିର୍ବାହୀ ନିର୍ଦ୍ଦେଶକ ବୋର୍ଡ ଏହାକୁ ଅନୁମୋଦନ କରିଛି । ବିଶ୍ୱବ୍ୟାଙ୍କ ପରୁ ପ୍ରକାଶିତ ଏକ ବିବୃତିରେ କୁହାଯାଇଛି ଯେ ଦେଶର ୫,୫୫,୦୦୦ ଏମଏସଏମଇରେ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ଏହି ଯୋଜନା ଲକ୍ଷ୍ୟ ରଖିଛି । ସୂଚନାଯୋଗ୍ୟ ଯେ ଏମଏସଏମଇ କ୍ଷେତ୍ରରେ ବିଶ୍ୱବ୍ୟାଙ୍କର ଏହା ଦ୍ୱିତୀୟ ସହାୟକ ଯୋଜନା ହେବ । ପୂର୍ବରୁ ଏହା ନିୟୁତାଧିକ ଏମଏସଏମଇ ପାଇଁ ନଗଦ ଅର୍ଥ ଓ ଋଣ ଆବଶ୍ୟକତା ପୂରଣ କରିବାକୁ ୨୦୨୦ ଜୁଲାଇରେ ୭୫୦ ନିୟୁତ ଡଲାର ଜରୁରୀ କ୍ରିୟାଶୀଳ ଯୋଜନାକୁ ଅନୁମୋଦନ କରିଥିଲା । ଏପର୍ଯ୍ୟନ୍ତ ସରକାରଙ୍କର ଏ ଦିଗରେ ଚାଲିଥିବା ଯୋଜନାକୁ ଏପର୍ଯ୍ୟନ୍ତ ୫ ନିୟୁତ ସଂସ୍ଥା ଆର୍ଥିକ ସୁଯୋଗ ନେଇସାରିଛନ୍ତି । ବିଶ୍ୱବ୍ୟାଙ୍କ ରିପୋର୍ଟ ଅନୁଯାୟୀ ଏମଏସଏମଇ କ୍ଷେତ୍ର ହେଉଛି ଦେଶର ଅର୍ଥନୀତିର ମେରୁଦଣ୍ଡ ଏବଂ ଏହା ଭାରତର ଜିଡିପିରେ ୩୦% ତଥା ଦେଶର ରପ୍ତାନିରେ ୪୦% ଅବଦାନ ରଖୁଛି । ଭାରତରେ ଥିବା ପ୍ରାୟ ୫୮ ନିୟୁତ ଏମଏସଏମଇ ମଧ୍ୟରୁ ୪୦%ରୁ ଅଧିକ ଆନୁଷ୍ଠାନିକ ପାଣ୍ଠି ବ୍ୟବସ୍ଥାର ସୁଯୋଗ ନେବାରୁ ବଂଚିତ ହେଉଛନ୍ତି ।

Comments (0)
Add Comment