ଭୁବନେଶ୍ୱରରେ ଏଣିକି ବିନା ସ୍ଲଟ ବରାଦରେ ଟିକା

ଭୁବନେଶ୍ୱର: ଆସନ୍ତା ଜୁଲାଇ ଶେଷ ସୁଦ୍ଧା ଭୁବନେଶ୍ୱରବାସୀଙ୍କୁ ସମ୍ପୂର୍ଣ୍ଣ ଟିକାକରଣ ପାଇଁ ଆସନ୍ତା ୫ତାରିଖରୁ ବିନା ସ୍ଲଟ୍ ବରାଦରେ ଟିକା ଦିଆଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଘୋଷଣା କରାଯାଇଛି । ପୂର୍ବରୁ ୧୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଯାନରେ ଟିକାକରଣ ସହିତ ନିୟମିତ ଭାବେ ସମସ୍ତ ସହରାଞ୍ଚଳ, ପ୍ରାଥମିକ ଓ ଗୋଷ୍ଠୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ ଜୋରଦାର ଚାଲିଛି । ଟିକା ନେବା ପୂର୍ବରୁ ନାଗରିକଙ୍କୁ ସ୍ଲଟ୍ ବରାଦ କରିବାକୁ ପଡୁଛି । ହେଲେ ଅନେକ ସମୟରେ କୋ-ୱିନ୍ ଆପ୍‌ରେ ସ୍ଲଟ୍ ଉପଲବ୍ଧ ନହେବାରୁ ବିଏମ୍‌ସି ପ୍ରତି ଜନତାଙ୍କ ଆକ୍ରୋଶ ବୃଦ୍ଧି ପାଉଛି । କିଛି ନାଗରିକ ବିନା ସ୍ଲଟ୍‌ରେ ଟିକା କେନ୍ଦ୍ରରେ ପହଞ୍ଚି ହୋହଲ୍ଲା କରୁଛନ୍ତି । ଏହାଦ୍ୱାରା ଟିକାକରଣ ବାଧାପ୍ରାପ୍ତ ହେଉଛି । ଏହି ସମସ୍ୟା ଦୂର ପାଇଁ ବିଏମ୍‌ସି ବିନା ସ୍ଲଟ୍‌ରେ ଟିକାକରଣ ଗୁରୁତ୍ୱ ଦେଇଛି । ପୂର୍ବରୁ ୧୦ଟି କେନ୍ଦ୍ରରେ ବିନା ସ୍ଲଟ୍‌ରେ ନାଗରିକଙ୍କୁ ଟିକା ଦିଆଯାଉଥିବାବେଳେ ଆସନ୍ତା ୫ ତାରିଖରୁ ଆଉ ୧୫ଟି କେନ୍ଦ୍ରରେ ଏହି ବ୍ୟବସ୍ଥା କରିଛି । ଲୋକେ ପରିଚୟପତ୍ର ଦେଖାଇ ଟିକା ନେଇପାରିବେ ।
୬ ନମ୍ବର ରାଜଧାନୀ ଡାକ୍ତରଖାନା ସହିତ ପ୍ରାଥମିକ ଓ ଗୋଷ୍ଠୀ ପ୍ରାଥମିକ କେନ୍ଦ୍ର ଯଥା- ଘାଟିକିଆ, କପିଳପ୍ରସାଦ, ୟୁନିଟ୍‌-୩, ନୀଳାଦ୍ରିବିହାର, ଝାରପଡ଼ା, ୟୁନିଟ୍‌-୯, ସହିଦନଗର, ନହରକଣ୍ଟା, ଆଇଆର୍ରସି ଭିଲେଜ, କଳ୍ପନା, ଗାଡ଼କଣ, ୟୁନିଟ୍ -୪, ଡୁମୁଡୁମା ଏବଂ ପଟିଆରେ ଏହି ସୁବିଧା ମିଳିବ । ଉଭୟ ୧୮-୪୪ ବର୍ଷ ଏବଂ ୪୫ରୁ ଊର୍ଦ୍ଧ୍ୱ ବୟସର ଲୋକ ପ୍ରଥମ ପାନ ଟିକା ନେଇପାରିବେ । ଏହା ଜୁଲାଇ ୧୦ ତାରିଖ ପର୍ଯ୍ୟନ୍ତ ସକାଳ ୯ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲୁ ରହିବ । ପୂର୍ବରୁ ନିର୍ଦ୍ଧାରିତ ୧୦ ଯାନରେ ଟିକାକରଣ କେନ୍ଦ୍ରରେ ମଧ୍ୟ ଏପରି ସୁବିଧା ଉପଲବ୍ଧ ହେବ । ତେବେ ଏଠାରେ କେବଳ ଦ୍ୱିତୀୟ ପାନ ଟିକା ଦିଆଯିବ । ପ୍ରଥମ ପାନର ପ୍ରମାଣପତ୍ର ଦେଖାଇ ନାଗରିକମାନେ ଟିକା ନେଇପାରିବେ । ଏହାଛଡ଼ା ପୂର୍ବରୁ ନିୟମିତ ଟିକାକରଣ ମଧ୍ୟ ଜାରି ରହିବ । ଯେଉଁ କେନ୍ଦ୍ରରେ ନାଗରିକମାନେ ପ୍ରଥମ ପାନ ଟିକା ନେଇଥିଲେ ସମ୍ପୃକ୍ତ କେନ୍ଦ୍ରକୁ ଯାଇ ଦ୍ୱିତୀୟ ପାନ ଟିକା ନେଇପାରିବେ । ତେବେ ଏହି ସବୁ କେନ୍ଦ୍ରରେ ଟିକାଦାନ ପୂର୍ବରୁ ପରିଚୟପତ୍ର ଯାଞ୍ଚ କରାଯିବ । ଉଲ୍ଲେଖଯୋଗ୍ୟ ଯେ, ରାଜଧାନୀରେ ୫ ଲକ୍ଷ ୧୦ ହଜାର ୩୩୭ ସମ୍ପୂର୍ଣ୍ଣ ଟିକାକରଣ ହୋଇଛନ୍ତି । ୯ ଲକ୍ଷ ୪୫ ହଜାର ୭୮ ପ୍ରଥମ ପାନ ଟିକା ନେଇଛନ୍ତି । ଆଜି ସୁଦ୍ଧା ୧୪ ଲକ୍ଷ ୫୫ ହଜାର ୪୪୫ ପାନ ଟିକା ଦିଆଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।

Comments (0)
Add Comment