ନୂଆଦିଲ୍ଳୀ: ଆରବ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ଏବେ ଉଗ୍ରରୂପ ଧାରଣ କରିବା ସହ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇଛି ବୋଲି ଭାରତୀୟ ପାରିପାଗ ବିଭାଗ (ଆଇଏନଡି)ପକ୍ଷରୁ କୁହାଯାଇଛି ।
ଆଇଏନଡି ପକ୍ଷରୁ କୁହାଯାଇଛି ଯେ, ଗଭୀର ଅବପାଦ ସାମୁଦ୍ରିକ ବାତ୍ୟା ‘ତୌତେ’ରେ ରୂପାନ୍ତରିତ ହୋଇ ଲକ୍ଷଦ୍ୱୀପ ଅଞ୍ଚଳ ଏବଂ ତା’ ସନ୍ନିକଟ ଦକ୍ଷିଣପୂର୍ବ ଏବଂ ପୂର୍ବକେନ୍ଦ୍ରୀୟ ଆରବ ସାଗର ଉପରେ ରହିଛି । ଦକ୍ଷିଣ ଗୁଜରାଟ ଓ ଡିୟୁ ଉପକୂଳରେ ପାଇଁ ସତର୍କ ସୂଚନା ଜାରି କରିଛି । ସମୁଦ୍ରରେ ଏବେ ଘଂଟା ପ୍ରତି ୭କି.ମି ବେଗରେ ଏହା ଉପକୂଳ ଆଡକୁ ମାଡିଆସୁଛି । ଏହା ଲ୍ୟାଣ୍ଡଫଲ କରିବା ପରେ ଘଂଟା ପ୍ରତି ୧୬୫ରୁ ୧୭୦ କି.ମି ବେଗରେ ପବନ ପ୍ରବାହିତ ହୋଇପାରେ ବୋଲି ସତର୍କ ସୂଚନା ଦେଇଛି । ତୌତେର ପ୍ରଭାବରେ ଲାକ୍ଷାଦ୍ୱୀପ, କେରଳ ଓ କର୍ଣ୍ଣାଟକ୍ରେ ପ୍ରବଳ ବର୍ଷା ଲାଗି ରହିଛି ।
ଅନ୍ୟପକ୍ଷରେ ଭାରତର ପଶ୍ଚିମ ଉପକୂଳରେ ‘ତୌତେ’ ସ୍ଥଳଭାଗରେ ପ୍ରବେଶ କରିବାକୁ ଥିବାରୁ ରାଜ୍ୟ ପ୍ରଶାସନକୁ ସହଯୋଗ କରିବ ବୋଲି ଭାରତୀୟ ନୌସେନା ପ୍ରତିଶ୍ରୁତି ଦେଇଛି । ଟୁଇଟ୍ କରି ନୌସେନାର ମୁଖପାତ୍ର କହିଛନ୍ତି, ସାମୁଦ୍ରିକ ବାତ୍ୟା ‘ତୌତେ’ ଭାରତର ପଶ୍ଚିମ ଉପକୂଳ ଦେଇ ସ୍ଥଳଭାଗକୁ ଆସୁଥିବାରୁ ରାଜ୍ୟ ପ୍ରଶାସନକୁ ପୂର୍ଣ୍ଣ ସହାୟତା ଯୋଗାଇ ଦେବାକୁ ଭାରତୀୟ ନୌସେନାର ଜାହାଜ, ବିମାନ, ହେଲିକାପ୍ଟର୍, ‘ଡ୍ରାଇଭିଂ ଆଣ୍ଡ ଡିଜାଷ୍ଟର ରିଲିଫ୍ ଟିମ୍’ ସଜାଗ ଅଛନ୍ତି ।
ସମ୍ଭାବ୍ୟ ବିପଦର ମୁକାବିଲା ନିମନ୍ତେ ୫୦ ଜଣିଆ ‘ଏନ୍ଡିଆର୍ଏଫ୍’ ଟିମ୍ କେରଳ, କର୍ଣ୍ଣାଟକ୍, ତାମିଲନାଡୁ, ଗୁଜୁରାଟ ଓ ମହାରାଷ୍ଟ୍ର ପ୍ରଭୃତି ୫ଟିି ରାଜ୍ୟରେ ପ୍ରସ୍ତୁତ ରହିଛନ୍ତି ।
ମେ ୧୮ ତାରିଖ ସକାଳେ ‘ତୌତେ’ ଗୁଜରାଟ ଉପକୂଳରେ ପହଞ୍ଚିବ ବୋଲି ପୂର୍ବରୁ ଭାରତୀୟ ପାଣିପାଗ ଟୁଇଟ୍ କରି ସୂଚନା ଦେଇଥିଲା ।
ସୂଚନାଯୋଗ୍ୟ ମାଡି ଆସୁଥିବା ସାମୁଦ୍ରିକ ବାତ୍ୟା ‘ତୌତେ’ର ନାମକରଣ କରିଛି ମିଆଁମାର । ବର୍ମୀୟ ଭାଷାରେ ‘ତଉ ତେ’ର ଅର୍ଥ ଏକ ଜାତୀୟ ଝିଟିପିଟି ।