ଭୁବନେଶ୍ୱର : ମଣିପୁରର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟରେ ପଢୁଥିବା ଦଶ ଜଣ ଓଡିଆ ଛାତ୍ରଛାତ୍ରୀମାନେ ଆଜି ସୁରକ୍ଷିତ ଭାବରେ ଭୁବନେଶ୍ୱର ପ୍ରତ୍ୟାବର୍ତନ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଜାତିଗତ ହିଂସାରେ ଆକ୍ରାନ୍ତ ମଣିପୁରରେ ପାଠ ପଢୁଥିବା ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଶା ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା । ଗତକାଲି ରାତିରେ ସେମାନଂକୁ କୋଲକାତା ଅଣାଯାଇଥିଲା । ଆଜି ପୂର୍ବାହ୍ନରେ ସେମାନେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ । ଭୁବନେଶ୍ୱରରେ ପହଞ୍ଚିଲା ପରେ ସେମାନେ ନବୀନ ନିବାସ ଯାଇ ମୁଖମନ୍ତ୍ରୀଙ୍କୁ ଭେଟିଥିଲେ । ସୁରକ୍ଷିତ ଭାବରେ ସେମାନଂକୁ ଭୁବନେଶ୍ୱର ଫେରାଇ ଆଣିଥିବାରୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସେମାନଙ୍କ ପାଠ ପଢା ବିଷୟରେ ପଚାରି ବୁଝିବା ସହ ଖୂବ୍ ଶୀଘ୍ର ମଣିପୁରରେ ସ୍ୱାଭାବିକ ଅବସ୍ଥା ଫେରି ଆସିବ ବୋଲି ଆଶା ବ୍ୟକ୍ତ କରିଥିଲେ । ପିଲାମାନଙ୍କୁ ହକି ଜର୍ସି ଦେଇ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସ୍ୱାଗତ କରିଥିଲେ ।