ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ ଲାଗି ଆଜି ପବିତ୍ର ଅକ୍ଷୟ ତୃତୀୟାରେ ରଥ କାଠ ଅନୁକୂଳ ହୋଇଛି । ସେହିପରି ଆଜିଠାରୁ ଶ୍ରୀଜୀଉଙ୍କ ପ୍ରସିଦ୍ଧ ଚନ୍ଦନ ଯାତ୍ରା ମଧ୍ୟ ଆରମ୍ଭ ହୋଇଛି । ଆଜି ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସିବା ପରେ ପାରମ୍ପରିକ ପୂଜାର୍ଚ୍ଚନା ସହ ରଥ ଖଳାରେ ବିଶ୍ୱକର୍ମାମାନେ ସୁନା ଟାଙ୍ଗିଆ ଛୁଆଇଁ ରଥ ଅନୁକୂଳ କରିଛନ୍ତି । ଶ୍ରୀମନ୍ଦିରରୁ ମହାପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ପୂଜାପଣ୍ଡାଙ୍କ ଦ୍ୱାରା ରଥ ଖଳାକୁ ବିଜେ କରିଥିଲେ । ୩ଟି ଧଉରା କାଠରେ ଆଜ୍ଞାମାଳ ଲାଗି କରାଯାଇଥିଲା । ସୋମବାରଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ବଡଦାଣ୍ଡ ରଥଖଳାରେ ୩ଟି ଧଉରା କାଠ ପ୍ରସ୍ତୁତ କରି ରଖାଯାଇଛି । ଜୁନ ୨୦ରେ ପୁରୀ ରଥଯାତ୍ରା ଅନୁଷ୍ଠିତ ହେବ । ତିନିରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ ଅସନ, ଧଉରା ଓ ଫାସିକାଠ ଆବଶ୍ୟକତା ରହିଛି । ଗତବର୍ଷ ଠାରୁ ବ୍ୟବହାର ନ ହୋଇ ୧୧୮ ଖଣ୍ଡ କାଠ ରହିଛି । ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ନୟାଗଡ ବନଖଣ୍ଡରୁ ୪୦ଫୁଟ ଲମ୍ବର ୨୭ଟି ଧଉରା କାଠ ରଥଖଳାରେ ପହଂଚିଥିଲା ବେଳେ ଘୁମୁସର ବନଖଣ୍ଡରୁ ୧୨ଟି ଫାଶୀକାଠ ଆସି ପହଂଚିଛି । ପୂର୍ବରୁ ଶ୍ରୀରାମ ନବମୀ ଠାରୁ ଖପୁରିଆ କରତ କଳରେ ରଥକାଠ ଚିରଟ ଚାଲିଛି । ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଆଜିଠାରୁ ନରେନ୍ଦ୍ର ପୁଷ୍କରିଣୀରେ ଆରମ୍ଭ ହୋଇଛି । ତେବେ ଚନ୍ଦନ ଯାତ୍ରା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମହାପ୍ରଭୁଙ୍କ ଚନ୍ଦନ ଚାପକୁ ଶୃଙ୍ଖଳିତ କରିବା ପାଇଁ ୮ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୨ ଅତିରିକ୍ତ ଏସପି, ୩ ଡିଏସପି, ୭ ଇନ୍ସପେକ୍ଟରଙ୍କ ଓ ୨୫ ସବ ଇନ୍ସପେକ୍ଟର ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି । ଚନ୍ଦନ ଯାତ୍ରାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଶ୍ରୀଦେବୀ, ଭୂଦେବୀଙ୍କ ସମେତ ପଞ୍ଚୁପାଣ୍ଡବ ଆଜିଠାରୁ ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ବ୍ୟାପୀ ନୌକାବିହାର ବା ଜଳକ୍ରୀଡା କରିବେ । ଚନ୍ଦନ ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।