ମହାବାତ୍ୟାର ରୂପ ନେଲା ‘ମୋକା’

ରେଙ୍ଗୁନ୍ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ମହାବାତ୍ୟା (ସିଭିୟର୍ ସାଇକ୍ଲୋନ)ର ରୂପ ନେଇ ଆଜି ବାଂଲାଦେଶ ଓ ମିଆଁମାର ଉପକୂଳରେ ସ୍ଥଳଭାଗ ସ୍ପର୍ଶ କରିଛି । ସ୍ଥଳଭାଗରେ ମାଡ଼ ହେବା ସମୟରେ ବାତ୍ୟାର ଘଣ୍ଟା ପ୍ରତି ବେଗ ୨୫୦ କି.ମି.ରୁ ଅଧିକ ଥିବା ବିଭିନ୍ନ ପାଣିପାଗ ସଂସ୍ଥା ପକ୍ଷରୁ କୁହାଯାଇଛି । ବିଶେଷକରି ମିଆଁମାର ସତୱେର୍ର ଉତରରେ ଆଜି ମଧ୍ୟାହ୍ଣ ୧୨ରୁ ଅପରାହ୍ଣ ୨.୩୦ ମଧ୍ୟରେ ‘ମୋକା’ ସ୍ଥଳଭାଗ ଛୁଇଁବା ସହ ଧ୍ୱଂସର ତାଣ୍ଡବ ସୃଷ୍ଟି କରିଛି । ଉପକୂଳବର୍ତୀ ଅଞ୍ଚଳରେ ହଜାର ହଜାର ଘର ଭାଙ୍ଗି ଯାଇଥିଲା ବେଳେ ବହୁ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି । ବିଦ୍ୟୁତ ସରବରାହ ଠପ୍ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁ ଉଭୟ ବାଂଲା ଓ ମିଆଁମାର ଅଞ୍ଚଳରେ ପ୍ରଳୟଙ୍କାରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ସ୍ଥଳଭାଗ ଛୁଇଁବାର ୩ ଘଣ୍ଟା ପରେ ଏହା ଅତି ଭୀଷଣ ବାତ୍ୟାରେ ପରିଣତ ହେବା ସଙ୍ଗେ ସଙ୍ଗେ ଘଣ୍ଟା ପ୍ରତି ପବନର ବେଗ ସାମାନ୍ୟ ହ୍ରାସ ପାଇଥିବା କୁହାଯାଇଛି । ତେବେ ଏହାର ପ୍ରଭାବରେ ମୃତାହତଙ୍କ ସଂଖ୍ୟା ବର୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ସ୍ଥାନୀୟ ରିପୋର୍ଟରୁ ପ୍ରକାଶ ଯେ, ଦୀର୍ଘ ୩ ଘଣ୍ଟା ଧରି ‘ମୋକା’ ଉପକୂଳବର୍ତୀ ଅଞ୍ଚଳରେ ପ୍ରଳୟ ସୃଷ୍ଟି କରିଥିଲା । ବର୍ଷା ଓ ପବନ ଲାଗି ରହିଥିବାରୁ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଉଭୟ ବାଂଲାଦେଶ ଓ ମିଆଁମାର ସରକାର ଉପକୂଳବର୍ତୀ ଅଞ୍ଚଳରେ ଥିବା ଅସୁରକ୍ଷିତ ଅଞ୍ଚଳରୁ ୫ ଲକ୍ଷରୁ ଉର୍ଧ ଲୋକଙ୍କୁ ସ୍ଥାନାନ୍ତର କରିବା ସଙ୍ଗେ ସଙ୍ଗେ ସେନା ଓ ପୋଲିସବାହିନୀଙ୍କୁ ସଜାଗ ରଖିଛି । ସମୁଦ୍ରରୁ ୧୦ଫୁଟ ଉଚ୍ଚର ଜୁଆର ଯୋଗୁ ବହୁ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଥିବା କୁହାଯାଇଛି । ଅନ୍ୟପକ୍ଷରେ ଗତ ଦୁଇ ଦଶନ୍ଧି ମଧ୍ୟରେ ବଙ୍ଗୋପସାଗରରେ ଏହା ସବୁଠାରୁ ଶକ୍ତିଶାଳୀ ତଥା ଭୟଙ୍କର ସାମୁଦ୍ରିକ ବାତ୍ୟା ବୋଲି ବିଭିନ୍ନ ପାଣିପାଗ ସଂସ୍ଥା ଉଲ୍ଲେଖ କରିଛନ୍ତି । ବାତ୍ୟା ଲ୍ୟାଂଡଫଲ କରିବା ପୂର୍ବରୁ ଆଜି ସକାଳେ ବାଂଲାଦେଶର ଅଧିକାଂଶ ଅଞ୍ଚଳ ଖରାଟିଆ ଏବଂ ଆର୍ଦ୍ର ଥିଲା ବୋଲି ବାଂଲାଦେଶ ପାଣିପାଗ ବିଭାଗ ସୂଚନା ଦେଇଥିଲା । କିନ୍ତୁ, ପ୍ରବଳ ବର୍ଷା ହେଲେ ଚଟ୍ଟଗ୍ରାମ,କଚ୍ଛ ବଜାର ଏବଂ ରାଙ୍ଗାମାଟି, ବନ୍ଦରବନ ଏବଂ ଖାଗ୍ରାଛାରି ଭଳି ୩ଟି ପାହାଡ଼ିଆ ଜିଲ୍ଲାରେ ଭୂସ୍ଖଳନ ସଂଘଠିତ ହୋଇପାରେ ବୋଲି ବାଂଲାଦେଶ ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି ।

Comments (0)
Add Comment