‘ମହାଭାରତ’ର ଶକୁନି ଆଉ ନାହାନ୍ତି

ମୁମ୍ବାଇ : ବି. ଆର୍. ଚୋପ୍ରାଙ୍କ ଟେଲିଭିନ୍ ଧାରାବାହିକ ‘ମହାଭାରତ’ରେ ଶକୁନି ମାମୁଁ ଚରିତ୍ରରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତା ସରବଜୀତ- ଗୁଫୀ ପେଣ୍ଟଲ୍ ଙ୍କର ଆଜି ଦେହାନ୍ତ ହୋଇଥିବା କଥା ତାଙ୍କ ପରିବାରସୂତ୍ରରୁ ଜଣାପଡ଼ିଛି । ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଏହି ୭୯ ବର୍ଷୀୟ ଅଭିନେତାଙ୍କର ମୃତ୍ୟୁ ଘଟିଛି ବୋଲି ତାଙ୍କ ପରିବାର ଲୋକେ ସୁନିଶ୍ଚିତ କରିଛନ୍ତି । ‘ନିଉଜ୍ ଏଜେନ୍ସି ପି.ଟି.ଆଇ.’କୁ ତାଙ୍କ ପୁତୁରା ହିତେନ୍ ପେଣ୍ଟଲ୍ କହିଛନ୍ତି, ଦୁଃଖର କଥା, ସେ ଆଉ ନାହାନ୍ତି । ଆଜି ସକାଳ ପ୍ରାୟ ୯ଟା ବେଳେ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଯାଇଛି । ଶୋଇଥିବା ଅବସ୍ଥାରେ ଶାନ୍ତିରେ ତାଙ୍କର ମୃତ୍ୟୁ ଘଟିଛି । ଆଜି ଅପରାହ୍ଣ ୪ଟା ବେଳେ ମୁମ୍ବାଇର ଅଂଧେରି ଉପନଗରୀସ୍ଥିତି ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଗୁଫୀ ଉଭୟ ଟେଲିଭିଜନ ଧାରାବାହିକ ଓ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ‘ବାହାଦୁର ଶାହ ଜାଫର’, ‘ମହାଭାରତ’, ‘କାନୁନ୍’, ‘ଓଁ ନମଃ ଶିବାୟ’, ‘ସିଆଇଡି’, ‘ସସ୍ କୋଇ ହେ’, ‘ଦ୍ୱାରକାଧୀଶ ଭଗବାନ ଶ୍ରୀକୃଷ୍ଣ’, ‘ରାଧାକୃଷ୍ଣ’ ଏବଂ ‘ଜୟ କନିୟା ଲାଲ୍ କି’ ଆଦି ଅନେକ ଟେଲିଭିଜନ ଧାରାବାହିକରେ ସେ ଅଭିନୟ କରିଛନ୍ତି । ୧୯୭୫ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ‘ରଫୁ ଚକ୍କର’ରେ ଗୁଫୀ ସର୍ବପ୍ରଥମେ ଅଭିନୟ କରିଥିଲେ । ଏହାପରେ ‘ଦିଲ୍ଲଗି’, ‘ଦେଶ ପରଦେଶ’ ଏବଂ ‘ସୁହାଗ’ ଆଦି ଚଳଚ୍ଚିତ୍ରରେ ସେ ଅଭିନୟ କଲେ ।

Comments (0)
Add Comment