ମହାରାଷ୍ଟ୍ରରେ କରୋନାର ତୃତୀୟ ଲହର !

ମୁମ୍ୱାଇ: ସାରା ଦେଶରେ ଏବେ ଡେଲଟା ପ୍ଲସ ଭେରିଆଣ୍ଟ ଚିନ୍ତା ବଢ଼ାଉଥିବାବେଳେ ମହାରାଷ୍ଟ୍ରରେ କରୋନାର ତୃତୀୟ ଲହର ଆଶଙ୍କା ଦେଖାଦେଇଛି । ଦୈନିକ ସଂକ୍ରମିତ ସଂଖ୍ୟା ବଢ଼ିବା ପରେ ଏପରି ଆଶଙ୍କା ବୃଦ୍ଧି ପାଇଛି । ଡେଲଟା ପ୍ଲସ ଭେରିଆଣ୍ଟ ମହାରାଷ୍ଟ୍ରରେ ଅଧିକ ସଂଖ୍ୟକ ଦେଖିବାକୁ ମିଳିଛି । ଏବେ ଦୈନିକ ସଂକ୍ରମିତ ସଂଖ୍ୟା ୧୦ ହଜାର ତଳେ ରହିଥିବା ସତ୍ୱେ ସଂକ୍ରମିତ ସଂଖ୍ୟା ବଢ଼ିଛି । ଆଜି ଦିନକରେ ୯,୮୪୪ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ୬,୦୦୭,୪୩୧ ଜଣ ମୋଟ୍ ସଂକ୍ରମିତଙ୍କ ହୋଇଛନ୍ତି । ସେଥିମଧ୍ୟରୁ ଏବେ ୧୨୧,୭୬୭ ଜଣ ଚିକିତ୍ସାଧୀନ ରହିଛନ୍ତି । ମୋଟ୍ ୧୧୯,୮୫୯ ଜଣ ଆଖି ବୁଜିଛନ୍ତି । ପୁନେରେ ସର୍ବାଧିକ ମୃତ୍ୟୁ ହୋଇଥିବା ବେଳେ ମୁମ୍ୱାଇରେ ଦ୍ୱିତୀୟ ସର୍ବାଧିକ ମୃତ୍ୟୁ ଘଟିଛି ଏହି ମହାମାରୀରେ ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କହିଛି ଏବେ ରାଜ୍ୟରେ ଆରୋଗ୍ୟ ହାର ୯୫.୯୩ ପ୍ରତିଶତ ରହିଥିବା ବେଳେ ମୃତ୍ୟୁ ହାର ଏବେ ୨ ପ୍ରତିଶତ ରହିଛି । ଗୁରୁବାର ପ୍ରକାଶ ପାଇଥିବା କରୋନା ବୁଲେଟିନ୍ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ୯,୩୭୧ ଜଣ କୋଭିଡରୁ ଆରୋଗ୍ୟ ହୋଇଛନ୍ତି ।
ଗତକାଲି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସାତୋଟି ଜିଲ୍ଲାର ସ୍ଥାନୀୟ ପ୍ରଶାସନ ସହିତ ଏକ ବୈଠକ କରିଥିଲେ । ଯେଉଁଥିରେ କୋଭିଡ-୧୯ର ତୃତୀୟ ଲହରର ସମ୍ଭାବନାକୁ ଦୃଷ୍ଟିରେ ରଖି ଅଧିକାରୀମାନଙ୍କୁ ପ୍ରସ୍ତୁତ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ସ୍ଥାନୀୟ ପ୍ରଶାସନ ସହ ସମନ୍ୱୟ ରକ୍ଷା କରିବାକୁ ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ଆଣିବାକୁ ଯୋଜନା ପ୍ରସ୍ତୁତ କରିବାକୁ ସେ କହିଛନ୍ତି । ଡେଲଟା ପ୍ଲସ୍ ଭେରିଆଣ୍ଟକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଠାକରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପଞ୍ଚ ସ୍ତରୀୟ ଯୋଜନା ଅଧୀନରେ ରଖି ଅଧିକ ଢ଼ିଲା ଦେଇ ରିସ୍କ ନ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ପୁଣି ଲକ୍‌ଡାଉନ୍ ଜାରୀ କରିବାକୁ ରାଜ୍ୟ ସରକାର ଗୁରୁତର ସହକାରେ ଚିନ୍ତା କରୁଥିବା ଏକ ନିର୍ଭରଯୋଗ୍ୟ ସୁତ୍ରରୁ ଜଣାଯାଇଛି ।
ଗତ ବର୍ଷ ମାର୍ଚ୍ଚରେ ଭାରତରେ ପ୍ରଥମ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ପରଠାରୁ ମହାରାଷ୍ଟ୍ର ସର୍ବଦା କୋଭିଡର ହଟସ୍ପଟ୍ ରହିଛି । କରୋନାର ଦ୍ୱିତୀୟ ଲହରରରେ ମଧ୍ୟ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଛି । ରାଜ୍ୟରେ ପ୍ରଥମ ସଂକ୍ରମଣ ପୁଣେରେ ୯ ମାର୍ଚ୍ଚ ୨୦୨୦ରେ ଚିହ୍ନଟ ହୋଇଥିଲା ।

Comments (0)
Add Comment