ମୋଟ ନମୁନାରୁ ଅର୍ଦ୍ଧାଧିକ ବ୍ରିଟେନ୍ ଷ୍ଟ୍ରେନ୍ !

ଚଣ୍ଡିଗଡ: କୋଭିଡ୍‌ର ଦ୍ୱିତୀୟ ଲହର ଏବେ ସାରା ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । କେଉଁ କାରଣ ପାଇଁ କୋଭିଡ୍ ପୂର୍ବ ବର୍ଷ ତୁଳନାରେ ଅଧିକ ବ୍ୟାପୁଛି ସେ ନେଇ ସରକାରୀ ଭାବରେ କୌଣସି ଉତର ମିଳି ପାରିନାହିଁ । ହେଲେ ୟୁକେ ଭେରିଆଂଟ ବା ପ୍ରକରଣ ପାଇଁ କୋଭିଡ୍ ଅଧିକ ବ୍ୟାପୁଛି ବୋଲି କୁହାଯାଉଛି ।
ଏହାର ଭିତରେ ଚଣ୍ଡିଗଡର ପୋଷ୍ଟ ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଅଧୀନରେ ଥିବା ନ୍ୟାସନାଲ୍ ସେଂଟର ଫର ଡିଜିଜ୍ କଂଟ୍ରୋଲରେ ୬୦ ଟି ନମୁନା ପରୀକ୍ଷା ହୋଇଛି । ସେଥିମଧ୍ୟରୁ ୭୦% ନମୁନା ୟୁକେ ପ୍ରକରଣ ବୋଲି ଜଣାପଡିଥିବା ବେଳେ ୨୦% ନମୁନା ୬୮୧ ଏଚ୍ ମ୍ୟୁଟାଂଟ ବୋଲି ଜଣାପଡିଛି । ଚଣ୍ଡିଗଡ ଏହି ରିପୋର୍ଟ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ୟୁକେ ପ୍ରକରଣ ଏକ ପ୍ରକାର ଅତ୍ୟାଧିକ ସଂକ୍ରାମକ ବୋଲି ଜଣାପଡିଛି । ଯାହାକି ପୂର୍ବ ତଳନାରେ ଅଧିକ ମାରାତ୍ମକ ।
ନିର୍ଦ୍ଦେଶକ ଜଗତ୍ ରାମ କହିଛନ୍ତି, ୭୦ ପ୍ରତିଶତ ନମୁନାରେ କୋଭିଡ-୧୯ର ୟୁକେ ଭେରିଆଂଟ ଏବଂ ୨୦ ପ୍ରତିଶତ ନମୁନାରେ ୬୮୧ ଏଚ୍ ମ୍ୟୁଟାଂଟ ରହିଛି । ଯେହେତୁ ୟୁକେ ଭେରିଆଂଟ ଦ୍ରୁତ ଗତିରେ ବ୍ୟାପୁଛି ତେଣୁ ଲୋକମାନେ ସାମାଜିକ ଦୂରତା ନିୟମ କଡାକଡି ଭାବରେ ପାଳନ କରିବା ଦରକାର । ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଯଦି ଲୋକମାନେ ଏହାକୁ ଗୁରୁତ୍ୱ ନଦେବେ ତାହେଲେ ଗୋଷ୍ଠୀ ସଂକ୍ରମଣ ହେବା ସୁନିଶ୍ଚିତ । ଯାହାକି କ୍ରମଶଃ କୋଭିଡର ହଟସ୍ପଟ ହେବ । ତେଣୁ ଲୋକମାନେ ଟିକାକରଣରେ ମଧ୍ୟ ସାମିଲ୍ ହୋଇ ନିଜକୁ ଆପତଃତ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ଗୁରୁବାର ଆସିଥିବା ରିପୋର୍ଟ ଅନୁଯାୟୀ ରାଜ୍ୟରେ ୨ଲକ୍ଷ ୭୩୯ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ୧୦୩୭ ଜଣ ମୃତ୍ୟୁ ବରଣ କରିଛନ୍ତି । ହେଲେ ୧୦ ଦିନ ପୂର୍ବରୁ ଦେଶରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୧ଲକ୍ଷ । ଅର୍ଥାତ୍ ୧୦ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଡବଲ ହୋଇଛି । ଏହାପୂର୍ବରୁ କରୋନାରେ ସର୍ବାଧିକ ପ୍ରଭାବିତ ହୋଇଥିବା ଆମେରିକାରେ କୋଭିଡ ସଂକ୍ରମିତ ୧ଲକ୍ଷରୁ ୨ ଲକ୍ଷ ହେବା ପାଇଁ ୨୧ ଦିନ ସମୟ ଲାଗିଥିଲା । ରିପୋର୍ଟ ଅନୁଯାୟୀ ଗତ ବର୍ଷ ଅକ୍ଟୋବର ୩୦ରେ ଆମେରିକାରେ ଗୋଟିଏ ଦିନରେ ୧ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଆଉ ୨୦ ନଭେମ୍ବରରେ ୨ଲକ୍ଷରୁ ଅଧିକ କରୋନାରେ ସଂକ୍ରମିତ ହୋଇଥିଲେ । ଏହାପରେ ଚଳିତ ବର୍ଷ ଜାନୁଆରୀ ୮ରେ ଗୋଟିଏ ଦିନରେ ୩ଲକ୍ଷ ୩୫ ହଜାର ସଂକ୍ରମିତ ହୋଇଥିଲେ । ଯଦି ଆମେରିକାର ସ୍ଥିତିକୁ ଆକଳନ କରାଯିବ ତାହେଲେ ଆଗାମୀ ଦିନରେ ଭାରତରେ ମଧ୍ୟ ଆମେରିକା ଭଳି ସ୍ଥିତି ଉତ୍ପନ୍ନ ହେବ ବୋଲି ଆଶଙ୍କା ରହିଛି ।

Comments (0)
Add Comment