ଯାତନା ଦେଉଛି ‘ସ୍ମାର୍ଟସିଟି’: ସ୍ବପ୍ନ ଦେଖାଇ ଶୋଇଗଲେ

ଭୁବନେଶ୍ୱର: ଦେଶର ଏକ ନମ୍ବର ସ୍ମାର୍ଟସିଟି ‘ଭୁବନେଶ୍ୱର’ ଘୋଷଣା ପରେ ସହରବାସୀ ଯେତିକି ଉଲ୍ଲସିତ ହୋଇଥିଲେ ଏବେ ସେତିକି ଅନୁତାପ କରୁଛନ୍ତି। କାରଣ ସ୍ମାର୍ଟସିଟି ନାଁରେ ସ୍ବପ୍ନ ଦେଖାଇ କର୍ତ୍ତୃପକ୍ଷ କେବଳ ଦିନ ଗଡ଼ାଇ ଚାଲିଛନ୍ତି ସିନା ହେଲେ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ କୌଣସି କାର୍ଯ୍ୟ ସରିପାରୁନି। ଗତ ୫ବର୍ଷ ମଧ୍ୟରେ ୧୬ଟି ପ୍ରକଳ୍ପରୁ ଅଦ୍ୟାବଧି ୩ଟିର କାର୍ଯ୍ୟ ସରିଥିଲେ ହେଁ ସେସବୁର ଭରପୂର ଫାଇଦା ସହରବାସୀ ନେଇପାରୁନାହାନ୍ତି। ଅଧିକନ୍ତୁ ଅସମ୍ପୂର୍ଣ୍ଣ ପ୍ରକଳ୍ପ ସହରର ଚିତ୍ରକୁ ମଳିନ କରିବା ସହ ଲୋକଙ୍କୁ ଯାତନା ଦେଉଥିବା ଅଭିଯୋଗ ହେଉଛି। ସ୍ମାର୍ଟସିଟି ଗଠନ ଦିନଠାରୁ ବିଏସ୍‌ସିଏଲ୍‌ ୧୬ଟି ପ୍ରକଳ୍ପ କାର୍ଯ୍ୟର ଦାୟିତ୍ୱ ନେଇଛି। ଅଧିକାଂଶ ପ୍ରକଳ୍ପ କାର୍ଯ୍ୟର ଅବଧି ସରିଯାଇଛି। ଅନେକର ଅବଧି ବହୁବାର ପରିବର୍ଦ୍ଧିତ କରାଯାଇଛି, ପ୍ରାୟ ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ପ୍ରକଳ୍ପର କାମ ସରିନାହିଁ। ‘ଫଣି’ଠୁ ଆରମ୍ଭ କରି କରୋନା, ନିର୍ବାଚନ କଟକଣା ଆଦିକୁ ବାହାନା କରି ସ୍ମାର୍ଟସିଟି କର୍ତ୍ତୃୃପକ୍ଷ ଦୋଷ ଛଡ଼ାଇବାକୁ ଚେଷ୍ଟା କରୁଛନ୍ତି।

୧୬ଟି ପ୍ରକଳ୍ପ ମଧ୍ୟରୁ ଏରିଆ ବେସ୍‌ଡ ଡେଭଲପମେଣ୍ଟ (ଏବିଡି)ରେ ୧୦ଟି, ପ୍ୟାନ୍ ସିଟି ସ୍ମାର୍ଟ ସଲ୍ୟୁସନ୍(ପିସିଏସ୍ଏସ୍)ରେ ୪ଟି ଏବଂ ସୋସିଆଲ ସ୍ମାର୍ଟନେସ୍(ଏସ୍ଏସ୍) ବିଭାଗରେ ଦୁଇଟି ପ୍ରକଳ୍ପ କାର୍ଯ୍ୟ ଚାଲୁଛି। ପ୍ରତି ବିଭାଗରୁ ଗୋଟିଏ ଲେଖାଏଁ ପ୍ରକଳ୍ପ କାମ ସରିଥିବା କୁହାଯାଇଛି। ସମସ୍ତ ପ୍ରକଳ୍ପର କାର୍ଯ୍ୟାଦେଶ ୨୦୧୭ ଏବଂ ୨୦୧୮ ଭିତରେ ଦିଆଯାଇଥିଲା। ହେଲେ ଅଧିକାଂଶର କାମ ଅଧପନ୍ତରିଆ ଓ ମନ୍ଥର ଗତିରେ ଚାଲିଛି। ଏବିଡି ବିଭାଗରେ ସ୍ମାର୍ଟ ଜନପଥ ପ୍ରକଳ୍ପ କାର୍ଯ୍ୟ ୨୦୧୭ରେ ଆରମ୍ଭ ହୋଇଥିଲା। ଏହାର ଅବଧି ଦୁଇବର୍ଷ ଥିବାବେଳେ ଏଯାଏଁ କାମ ସରିନାହିଁ। ଶିଶୁ ଭବନ ଛକରୁ ରାଜମହଲ ଛକ ଯାଏ କିଛି ନିର୍ମାଣ କାମ ସରିଛି। ଏବେ ବାଣୀବିହାରରୁ ରାଜମହଲ ରାସ୍ତା ପ୍ରଶସ୍ତୀକରଣ, ଡିଭାଇଡର ସୌନ୍ଦର୍ଯ୍ୟକରଣ କାମ ଚାଲିଛି। ପାର୍ବଣ ପୂର୍ବରୁ ରାସ୍ତାଘାଟ କାମ ସରିବ ବୋଲି ବିଏସ୍‌ସିଏଲ ପକ୍ଷରୁ କୁହାଯାଇଥିବାବେଳେ ବର୍ତ୍ତମାନ ଖୋଳାପୋତା ଯୋଗୁଁ ରାସ୍ତା ମରଣଯନ୍ତା ପାଲଟିଛି। ଗୁରୁଦ୍ବାର ସମ୍ମୁଖରେ ଧୂଳି ଉଡ଼ି ପଥଚାରୀ ଅଣନିଃଶ୍ବାସୀ ହୋଇପଡୁଛନ୍ତି। ସେହିପରି ସହରର ନିର୍ମାଣ ଶ୍ରମିକ ଏବଂ ବାସହୀନଙ୍କ ପାଇଁ ଶସ୍ତାରେ ଘରଭଡ଼ା ଯୋଗାଇ ଦେବା ନିମନ୍ତେ ‘ପ୍ରୋଜେକ୍ଟ କୁଟୁମ୍ବ’ ଆରମ୍ଭ ହୋଇଥିଲା। ବର୍ଷକ ମଧ୍ୟରେ ଶେଷ ହେବାକୁ ଥିବା ଉକ୍ତ ପ୍ରକଳ୍ପ କାମ ସରିନାହିଁ। ରାଜମହଲ ଏବଂ ସହିଦନଗରରେ ବହୁତଳ କାର୍‌ ପାର୍କିଂ ପ୍ରକଳ୍ପ ମଧ୍ୟରୁ ଗୋଟିକର ଅବଧି ୧୮ ମାସ ଏବଂ ଅନ୍ୟଟିର ୧୨ମାସ ରହିଥିଲେ ବି କାମ ସରିନାହିିଁ। ବିଭିନ୍ନପ୍ରକାର ବିଲ୍ ଦେୟ କେନ୍ଦ୍ର, ୱାର୍ଡ ହାଉସ୍, ବହୁମୁଖୀ ହଲ୍, ପାଠାଗାର, ସ୍କିଲ୍ ସେଣ୍ଟର ଆଦି ଏକତ୍ର ରହି ସହିଦନଗରରେ ୨.୯୯ ଏକର ଅଞ୍ଚଳରେ ଇଣ୍ଟିଗ୍ରେଟେଡ଼ ପବ୍ଲିକ୍ ସର୍ଭିସ ସେଣ୍ଟର(ଆଇପିଏସ୍‌ସି) ପ୍ରକଳ୍ପ କାମ ବିଏସ୍‌ସିଏଲ ହାତକୁ ନେଇଛି। ୧୧ମାସ ମଧ୍ୟରେ କାମ ସାରିବାକୁ ନିର୍ଦେଶ ରହିଥିଲେ ହେଁ ଏଯାଏ ପ୍ରକଳ୍ପର ୩୨ ଆଇସୋଲେଟେଡ୍ ଫୁଟିଙ୍ଗରୁ ୨୪ଟିର କାମ ସରିଛି। ଏହାସହିତ ସହିଦନଗରେ ବିଏମ୍‌ସି ମୁଖ୍ୟାଳୟ ନିର୍ମାଣ ପ୍ରକଳ୍ପ ଚାଲୁ ରହିଛି। ଷ୍ଟ୍ରିଟ୍ ଭେଣ୍ଡର ଇମ୍ପ୍ରୁଭମେଣ୍ଟ ପ୍ରକଳ୍ପ, ୩୭୦ କୋଟି ଟଙ୍କା ବ୍ୟୟରେ ଜଳଯୋଗାଣ, ସ୍ୱେରେଜ୍, ଶକ୍ତି, ବର୍ଜ୍ୟବସ୍ତୁ ପରିଚାଳନା, ଷ୍ଟ୍ରିଟ୍ ଲାଇଟ୍ ଆଦି ସେବା ଯୋଗାଇ ଦେବାକୁ ଉଦ୍ଦିଷ୍ଟ ସମନ୍ବିତ ପ୍ରକଳ୍ପ ଉନ୍ନୟନ କାମ ଧିମା ଗତିରେ ଚାଲିଛି। ଗୋଟିଏ ସ୍ଥାନରେ ସମସ୍ତ ଦେୟ କେନ୍ଦ୍ରର ସୁବିଧା ଯୋଗାଇ ଦେବାକୁ ‘କମନ ପେମେଣ୍ଟ କାର୍ଡ ସିଷ୍ଟମ ଫର ଭୁବନେଶ୍ୱର’ ପ୍ରକଳ୍ପ କାମ ଅଧାରେ ଅଟକିଛି। ଉକ୍ତ ପ୍ରକଳ୍ପର ଅବଧି ୬ରୁ ୮ମାସ ଭିତରେ ସରିବାକୁ ଥିବାବେଳେ ଏହାର କାମ ଆଇସିଆଇସିଆଇ ବ୍ୟାଙ୍କକୁ ଦିଆଯାଇଥିଲା। ମାତ୍ର ଏହି ପ୍ରକଳ୍ପ କାମ ଆରମ୍ଭ ହୋଇନାହିଁ। ସ୍ମାର୍ଟ ସଲ୍ୟୁସନ୍ ପ୍ରକଳ୍ପର ଅବଧି ଦୁଇବର୍ଷ ଥିଲେ ମଧ୍ୟ କାମ ମନ୍ଥର ଗତିରେ ଚାଲିଛି। ଭୁବନେଶ୍ୱର ଟ୍ରାଫିକ୍ ବ୍ୟବସ୍ଥାକୁ ସ୍ୱୟଂଚାଳିତ କରିବା ଏବଂ ଆଡପ୍‌ଟିଭ୍ ସିଷ୍ଟମ ସାହାଯ୍ୟରେ ସିଗ୍‌ନାଲ ପରିଚାଳନା ନିମନ୍ତେ ଇଣ୍ଟିଗ୍ରେଡେଟ୍ ଟ୍ରାଫିକ୍ କଣ୍ଟ୍ରୋଲ ସିଷ୍ଟମ ପ୍ରକଳ୍ପ କାମ ସରିଛି। ହେଲେ ଏହା ଠିକ୍‌ ଢଙ୍ଗରେ କାମ କରୁନି। ସେହିପରି ସହର ବାସିନ୍ଦା ଏବଂ ପର୍ଯ୍ୟଟକଙ୍କୁ ବିଭିନ୍ନ ପର୍ଯ୍ୟଟନସ୍ଥଳ, ସ୍ଥାନ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଠିକଣା ଏବଂ ୱାର୍ଡ ସମ୍ପର୍କରେ ସୂଚନା ଦେବାପାଇଁ ୬.୨୫ କୋଟି ଟଙ୍କା ବ୍ୟୟରେ ‘ଭୁବନେଶ୍ୱର ୱାନ୍ ପ୍ରକଳ୍ପ’ର ପ୍ରଥମ ପର୍ଯ୍ୟାୟ କାମ ସରିଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି। ଲୋକଙ୍କୁ ସହର ବିକାଶ କ୍ଷେତ୍ରରେ ଯୋଡ଼ି ବିଭିନ୍ନ ସମସ୍ୟାର ସମାଧାନ ଓ ବିକାଶ କାମ ନିମନ୍ତେ ସୋସିଆଲି ସ୍ମାର୍ଟ ଭୁବନେଶ୍ୱର ପ୍ରକଳ୍ପ କାମ ସରିଥିବାବେଳେ ‘ଆଇ ଆମ୍ ଭୁବନେଶ୍ୱର’ର କିଛି କାମ ଶେଷ ହୋଇଛି। ସହିଦନଗରରେ ଥିବା ପାର୍କ, ଓଏମ୍‌ସି ପାର୍କ ଏବଂ ଟ୍ରାଙ୍ଗୁଲାର ପାର୍କକୁ ସ୍ମାର୍ଟ ପାର୍କରେ ବିକଶିତ କରିବା ପାଇଁ ସ୍ମାର୍ଟ ପାର୍କ ପ୍ରକଳ୍ପ କାମ ସରିଛି। ସ୍ମାର୍ଟ ପାର୍କର ବିକାଶମୂଳକ କାମ ‘ଫଣି’ରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା। ମରାମତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସ୍ମାର୍ଟସିଟି ସୂତ୍ରରୁ ସୂଚନା ଦିଆଯାଇଛି। ସେହିପରି ଅର୍ବାନ ହିଷ୍ଟ୍ରି ମ୍ୟୁଜିୟମ୍, ମାଷ୍ଟରକ୍ୟାଣ୍ଟିନ୍ ମଲ୍ଟି ମୋଡାଲ ହବ୍, ଇ-ରିକ୍ସା, ସତ୍ୟନଗର ଓ ଚନ୍ଦ୍ରଶେଖପୁରର ଆବାସ ମିସନ ଆଦି ବହୁ ପ୍ରସ୍ତାବିତ ପ୍ରକଳ୍ପ କେବଳ କାଗଜକଲମରେ ସୀମିତ ଅଛି।

Comments (0)
Add Comment