ଧର୍ମଶାଳା : ରାଜ୍ୟରେ କରୋନାର ପ୍ରଥମ ଲହରୀ ପାଇଁ ଗତବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହୋଇପାରିଲା ନାହିଁ । ଚଳିତବର୍ଷ ମଧ୍ୟ କରୋନାର ଦ୍ୱିତୀୟ ଲହରୀ ଚାଲିଥିବା ବେଳେ ବିଦ୍ୟାଳୟରେ ପାଠପଢ଼ା ମଧ୍ୟ ବନ୍ଦ ହୋଇଛି । ଏସମୟରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ପ୍ରଥମେ ନବୀନ ନିବାସ ଆଗରେ ୧୦ମ ଛାତ୍ରଛାତ୍ରୀମାନେ ପରୀକ୍ଷା ବାତିଲ ଦାବି କରିଥିଲେ । ଫଳରେ ଚଳିତ ବର୍ଷ ଦଶମ ପରୀକ୍ଷାକୁ ବାତିଲ କରାଯାଇଛି । ଏହା ପରେ ଯୁକ୍ତଦୁଇ ଶ୍ରେଣୀର ଛାତ୍ରଛାତ୍ରୀମାନେ ସେମାନଙ୍କ ପାଠ ପଢ଼ା ହୋଇନାହିଁ ଏବଂ ସେମାନଙ୍କ ପରୀକ୍ଷା ବାତିଲ କରିବାକୁ ନେଇ ବିିଭନ୍ନ ସ୍ଥାନରେ ପ୍ରତିବାଦ କରୁଛନ୍ତି । ଆଜି ଯାଜପୁର ଜିଲା ଚଣ୍ଡିଖୋଲ ଜାତୀୟ ରାଜପଥ ଉପରେ ଧର୍ମଶାଳା ମହାବିଦ୍ୟାଳୟ, ବାବା ଭୈରବାନନ୍ଦ ମହାବିଦ୍ୟାଳୟ, ଛତିଆ ହାଡିଦାସ ମହାବିଦ୍ୟାଳୟ ଓ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମିଶି ପରୀକ୍ଷା ବାତିଲ କରିବା ଦାବିରେ ପ୍ରତିବାଦ କରିଥିଲେ । ଏପରକି ଟାୟାଳ ଜାଳି ରାଜପଥ ଅବରୋଧ କରିବା ସହ ପରୀକ୍ଷା ବାତିଲ କରିବା, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନାମରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଯଦି ପରୀକ୍ଷା ବାତିଲ ନହୁଏ ତେବେ ସମସ୍ତ କଲେଜର ଛାତ୍ରଛାତ୍ରୀମାନେ ରାଜପଥକୁ ଓଲ୍ଲାଇବେ ବୋଲି ଚେତବନୀ ଦେଇଥିଲେ । ବଡଚଣା ଥାନା ଅଧିକାରୀ ପ୍ରିୟବତ୍ର ରାଉତ ଓ ଚଣ୍ଡିଖୋଲ ପାଣ୍ଡି ଅଧିକାରୀ ସୁଶୀଲ କୁମାର ନାୟକ ପଂହଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ସହ ଶିକ୍ଷା ବିଭାଗକୁ ଜଣାଇବା ପାଇଁ ଏକ ଦାବିପତ୍ର ନେଇଥିଲେ ।