ଯୋଜନାରେ ଅଟକିଛି ବରମୁଣ୍ଡା ବସ୍ ଟର୍ମିନାଲ୍

ଭୁବନେଶ୍ୱର: ବରମୁଣ୍ଡା ବସଷ୍ଟାଣ୍ଡକୁ ଅତ୍ୟାଧୁନିକ ରୂପରେ ଗଢ଼ିବା ପାଇଁ ନିଆଯାଇଥିବା ନିଷ୍ପତି ପୁଣି ବିଳମ୍ବିତ ହେବା ନିଶ୍ଚିତ । ୨ ବର୍ଷରେ କାମ ସାରିବାକୁ ଧାର୍ଯ୍ୟ ହୋଇଥିଲେ ବି ବିଭିନ୍ନ ବାଧକ ନିର୍ମାଣ କାମକୁ ଆଗେଇ ନେଉନାହିଁ । ୯ ମାସ ଭିତରେ ଇଟା ଖଣ୍ଡେ ପଡ଼ି ନଥିବାରୁ ଆଉ ୧୫ ମାସ ଭିତରେ କାମ ସରିବା ସମ୍ଭବ ନୁହେଁ ବୋଲି ଜଳଜଳ ହୋଇ ଦେଖାଗଲାଣି । ଅବରୋଧ ଉଚ୍ଛେଦ ବାକି ଥିବା ବେଳେ ବ୍ୟବସାୟୀମାନଙ୍କ ଅଡୁଆ ତୁଟି ନାହିଁ । ଏହା ସାଙ୍ଗକୁ ମହାମାରୀ କରୋନା ନିର୍ମାଣ କାମର ରାସ୍ତା ଓଗାଳିଛି । ତେଣୁ ବରମୁଣ୍ଡା ବସଷ୍ଟାଣ୍ଡର ବହୁ ପ୍ରତୀକ୍ଷିତ ନବୀକରଣ କାମ ପୁଣି ପଦ୍ମ ଘୁଂଚି ଯିବା ଅବସ୍ଥାରେ ପହଂଚିଛି ବୋଲି ଚର୍ଚ୍ଚା ହେଉଛି । ୨୦୧୦ ମସିହାରୁ ରାଜ୍ୟର ଏହି ପ୍ରମୁଖ ବସଷ୍ଟାଣ୍ଡର ଅତ୍ୟାଧୁନିକ ରୂପ ପାଇଁ ସରକାର ଯୋଜନା କରିଥିଲେ । ୨୦୧୮ରେ ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିଲେ । ଏହାପରେ ୨୦୧୯ ମସିହାରେ କ୍ୟାବିନେଟ୍ ବୈଠକରେ ଟେଣ୍ଡରକୁ ଅନୁମୋଦନ ମିଳିଥିଲା । ଏଥିପାଇଁ ୧୬୬ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । ପାଖପାଖି ୧୬ ଏକର ଜମିର ଉନ୍ନତି କରିବା ପାଇଁ ପଦକ୍ଷେପ ନିଆଯାଇଥିଲା । ତଦାରଖ ପାଇଁ ବିଡିଏକୁ ସରକାର ଦାୟିତ୍ୱ ଦେଇଥିବା ବେଳେ ଟେଣ୍ଡର ନେଇଥିଲା ବ୍ରିକ୍ ଆଣ୍ଡ ରୁଫ୍ କମ୍ପାନି ପ୍ରାଇଭେଟ୍ ଲିମିଟେଡ୍ । ୨୪ ମାସ ମଧ୍ୟରେ ପ୍ରକଳ୍ପ ସାରିବା ଲକ୍ଷ୍ୟ ନେଇ କାମ ଆରମ୍ଭ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସଆର୍ଟିସି)ର ବସ୍ ବେ’ ସ୍ଥାନାନ୍ତର ପାଇଁ ଖଣ୍ଡଗିରିରେ ଏକ ଅସ୍ଥାୟୀ ବସ୍ ବେ’ ନିର୍ମାଣ କରାଯାଇଥିଲା । କିନ୍ତୁ ସେତିକିରେ ସବୁ କିଛି ଅଟକିଗଲା । ବରମୁଣ୍ଡା ବସଷ୍ଟାଣ୍ଡରୁ ବାକି ଅବରୋଧ ହଟିପାରିଲା ନାହିଁ । ଏବେ କରୋନା ଯୋଗୁଁ ବସଷ୍ଟାଣ୍ଡ ପରିସରରୁ ଉଚ୍ଛେଦ ହୋଇପାରୁନଥିବା ବିଡିଏ ଅଧିକାରୀ ସଫେଇ ଦେଉଛନ୍ତି । ଗତ ୪ ମାସ ହେଲା କରୋନା ସମସ୍ୟା ସିନା ହେଲା, କିନ୍ତୁ ଆଗରୁ ବିଡିଏ କର୍ତୃପକ୍ଷ କ’ଣ କରୁଥିଲେ ବୋଲି ସାଧାରରରେ ପ୍ରଶ୍ନ ହେଉଛି । କ୍ୟାବିନେଟ୍ ମଞ୍ଜୁରି ଓ ଟେଣ୍ଡର ପରେ ବ୍ୟବସାୟୀମାନଙ୍କ ଅଡୁଆ କ’ଣ ପାଇଁ ତୁଟାଇବାରେ ବିଳମ୍ବ କରାଗଲା ବୋଲି ଲୋକେ ପ୍ରାଶ୍ନ କରୁଛନ୍ତି । ଏବେ କରୋନା କଟକଣା କୋହଳ ହେବା ପରେ ଖଣ୍ଡଗିରିରେ ଫ୍ଲାଏଓଭର ବ୍ରିଜ୍ ନିର୍ମାଣ କାମ ଦ୍ରୁତବେଗରେ ଆଗେଇ ଚାଲିଛି, ତେଣୁ ବରମୁଣ୍ଡା ବସଷ୍ଟାଣ୍ଡ ନବୀକରଣ କାମ କହିଁକି ଆରମ୍ଭ ହେଉନାହିଁ ବୋଲି ଚର୍ଚ୍ଚା ହେଉଛି । ବିଭାଗୀୟ ଅଧିକାରୀମାନଙ୍କ ଉଦାସୀନତା ପାଇଁ ନିର୍ମାଣ କାମ ବିଳମ୍ବିତ ହେଉଛି ବୋଲି ଅଭିଯୋଗ ହେଉଛି । ମହାମାରୀ କରୋନା ସଂକଟ ବାହାନାରେ କର୍ତୃପକ୍ଷ କାନ୍ଧ ଖସାଇବାକୁ ବସିଥିବା ବେଳେ ଏହି ମଲ୍ଟି ମୋଡାଲ ହାଇଟେକ୍ ଅନ୍ତଃରାଜ୍ୟ ବସ୍ ଟର୍ମିାଲ୍ ନିର୍ମାଣକୁ ବିଳମ୍ବିତ କରାଯାଉଛି ବୋଲି ସରଗରମ ଆଲୋଚନା ହେଉଛି ।

Comments (0)
Add Comment