ରାଜଧାନୀ ସହ ବହୁ ସହରରେ ଶତକ ଛୁଇଁଲା ପେଟ୍ରୋଲ

ଭୁବନେଶ୍ୱର: ପେଟ୍ରୋଲର ଦୈନଦିନ ମୂଲ୍ୟ ବୃଦ୍ଧି ଯୋଗୁଁ ରାଜଧାନୀ ଭୁବନେଶ୍ୱର ରାଜ୍ୟର ବହୁ ସ୍ଥାନରେ ପେଟ୍ରୋଲ୍ ଲିଟର ପିଛା ମୂଲ୍ୟ ୧୦୦ ଟଙ୍କା ଟପିଥିଲା ବେଳେ ଡିଜେଲ୍ ଶତକ ମୁହାଁ ହୋଇଛି । କାଲିମେଳାରେ ପେଟ୍ରୋଲ ଲିଟର ସର୍ବାଧିକ ୧୦୬ଟ. ଟପିଥିଲା ବେେଳେ ନବରଙ୍ଗପୁରରେ ଲି. ପିଛା ମୂଲ୍ୟ ୧୦୪.୧୪ ପଇସା ରହିଛି । ଆଜି ଭୁବନେଶ୍ୱରର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ୧ ପଇସା ରହିଛି । ସେହିପରି ଡିଜେଲ ଦର ଲିଟର ପିଛା ୯୭.୨୫ ପଇସା ରହିଛି । ସେହିପରି କଟକ ଓ ସମ୍ବଲପୁରରେ ମଧ୍ୟ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଛି । କଟକରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କା ୨୭ ପଇସା ରହିଛି । ମାଲକାନଗିରିରେ ପୂର୍ବରୁ ପେଟ୍ରୋଲ ଦର ଶହେ ପାର୍ କରିଥିଲା ବେଳେ ଆଜି ସେଠାରେ ଏହାର ଦର ଲିଟର ପିଛା ୧୦୫ ଟଙ୍କା ୨ ପଇସା ରହିଛି । ସେହିପରି ଡିଜେଲ ଦାମ୍ ଲିଟର ପିଛା ୧୦୨ ଟଙ୍କା ୧୦ ପଇସା ରହିଛି । ରାୟଗଡାରେ ପେଟ୍ରୋଲ ଲିଟର ୧୦୩ ଟଙ୍କା ୩୬ ପ. ଥିବା ବେଳେ ସମ୍ବଲପୁରରେ ଟ.୧୦୦.୧୮ ପଇସା, ଖୋର୍ଦ୍ଧାରେ ଟ୧୦୦.୬ ପ. ରହିଛି ।
ପେଟ୍ରୋଲ ଓ ଡିଜେଲ ଦର ବଢ଼ି ଚାଲିଥିବା ବେଳେ ସାଧାରଣ ଲୋକଙ୍କୁ ଏହା ଖୁବ୍ ବାଧୁଛି । ଏନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । କରୋନା ପାଇଁ ଲକ୍‌ଡାଉନ୍ ହେଉଥିବା ଯୋଗୁ ଅନେକ ଲୋକଙ୍କ ଆୟ ପ୍ରଭାବିତ ହୋଇଥିବା ବେଳେ ଏହି ସମୟରେ ତୈଳ ଦରରେ ଅହେତୁକ ବୃଦ୍ଧି ସେମାନଙ୍କୁ ଖୁବ୍ ବାଧୁଛି । ଏଥିପାଇଁ ସାଧାରଣ ଲୋକେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି । ରାଜନୀତି ନ କରି ତୈଳ ଦର ହ୍ରାସ କରିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ଯୋଜନା ପ୍ରସ୍ତୁତ କରିବାକୁ ସାଧାରଣରେ ଦାବି ହେଉଛି ।
ତୈଳ ଦର ବଢୁଥିବା ବେଳେ ରାଜ୍ୟରେ ଗୁରୁବାର (ଗତକାଲି) ଠାରୁ ବସ୍ ଭଡ଼ା ମଧ୍ୟ ବଢ଼ିଛି । ଅଟୋମେଟିକ ମେକାନିଜିମ ଆଧାରରେ ବସ ଭଡ଼ା ବୃଦ୍ଧି ପାଇଛି । ସାଧାରଣ ଓ ଏକ୍ସପ୍ରେସ ବସ୍‌ର ଭଡ଼ା କିଲୋମିଟର ପିଛା ୪ ପଇସା ବଢ଼ିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସରେ ୮ ପଇସା ବଢ଼ିଛି । ସେହିଭଳି ସୁପର ପ୍ରିମିୟମ୍ ବସ୍‌ର ଭଡ଼ା କିଲୋମିଟର ପିଛା ୧୨ ପଇସା ବୃଦ୍ଧି ହୋଇଛି । ସୂଚନାଯୋଗ୍ୟ, ରାଜ୍ୟର ୨୦ଟି ଜିଲ୍ଲାରେ ବସ୍ ଚଳାଚଳକୁ ଅନୁମତି ଦିଆଯାଇଛି । ଗତକାଲି ଠାରୁ ଏହି ସବୁ ଜିଲ୍ଲା ବସ୍ ଗଢ଼ିଲାଣି ।

Comments (0)
Add Comment