ରାଜ୍ୟରେ ଅଗ୍ନିବର୍ଷା

ଭୁବନେଶ୍ୱର: ପଶ୍ଚିମ ପବନ ପ୍ରବାହିତ ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଝାଞ୍ଜି ପ୍ରବାହ ସାଙ୍ଗକୁ ଅସହ୍ୟ ରୌଦ୍ରତାପ ଏବଂ ଗୁଳୁଗୁଳି ଯୋଗୁଁ ଜନଜୀବନ ଠପ୍ ହୋଇଯାଇଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏଥିରୁ ନିସ୍ତାର ନାହିଁ ବୋଲି ସ୍ଥାନୀୟ ପାରିପାଗ କାର୍ଯ୍ୟାଳୟ ସୁତ୍ରରୁ ଜଣାଯାଇଛି । ରାଜ୍ୟରେ ୩୦ଟି ଜିଲ୍ଲା ମଧ୍ୟରୁ ୨୧ଟି ଜିଲ୍ଲାରେ ଏଭଳି ସ୍ଥିତି ଲାଗି ରହିବ । ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାତି ଅସମ୍ଭାଳ ହୋଇପଡିଛି । ପାଣିପାଗ କାର୍ଯ୍ୟାଳୟ ଆସନ୍ତା କାଲି ଠାରୁ ୨ଦିନ ପାଇଁ ଝାଞ୍ଜି ପ୍ରବାହ ସହ ରୌଦ୍ରତାପ ଯୋଗୁଁ ୨୧ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛନ୍ତି । ଏହି ଜିଲ୍ଲାଗୁଡିକ ମଧ୍ୟରେ ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ, ନୟାଗଡ, ଖୋର୍ଦ୍ଧା, ସୁବର୍ଣ୍ଣପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି ଓ ନୂଆପଡା ଆଦି ରହିଛି । ତେବେ ଗ୍ରୀଷ୍ମପ୍ରବାହ ଦୁର୍ବଳ ଲୋକ, ଶିଶୁ, ବୃଦ୍ଧ ଏବଂ ଅସୁସ୍ଥ ଲୋକଙ୍କ ପାଇଁ ଚିନ୍ତାଜନକ ରହିଛି । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଏଥିସହିତ ଉପଯୁକ୍ତ ପାଣି ପିଇବା ସହିତ ଶରୀରକୁ ହାଇଡ୍ରେଟ ରଖିବାକୁ ହେବ । ଯଦି ଏହି ସମୟ ଭିତରେ ଜରୁରୀ ଆବଶ୍ୟକ ପଡେ ଆଉ ବାହାରକୁ ଯିବାକୁ ହୁଏ ତେବେ ମୁଣ୍ଡରେ ଓଦା କନା ସହିତ ସାଙ୍ଗରେ ପାରିବୋତଲ ଧରି ଯାଆନ୍ତୁ ।
ଏଥିସହିତ ୨ରୁ ୪ ତାରିଖ ମଧ୍ୟରେ କାଳବୈଶାଖୀ ସହିତ ବଜ୍ରପାତ ଆଶଙ୍କା ଥିବା ଜିଲ୍ଲାଗୁଡିକ ମଧ୍ୟରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, କଟକ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କୋରାପୁଟ, ରାୟଗଡା, କନ୍ଧମାଳ, ନୟାଗଡ ଆଦି ଜିଲ୍ଲା ରହିଛି ।

Comments (0)
Add Comment