ରାଜ୍ୟରେ ଚାଲିଛି କରୋନା ମୃତ୍ୟୁର ଅଡିଟ୍‌

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଏବେ ତଳମୁହାଁ ଥିବା ବେଳେ ମୃତ୍ୟୁ ସଂଖ୍ୟାର ଅଡିଟ ଶେଷ ହେଉ ନାହିଁ । ଦୈନିକ ପ୍ରାୟ ୬୦ରୁ ୭୦ ମୃତକଙ୍କ ସମ୍ପର୍କରେ ସୂଚନା ଦିଆଯାଉଥିବା ବେଳେ ଏହାକୁ ଦେଖି ଲୋକଙ୍କ ମନରେ ଛନକା ପଶି ଯାଉଛି । ହେଲେ ଆଉ ମାତ୍ର ୧୦ରୁ ୧୫ ଦିନ ମଧ୍ୟରେ କରୋନାର ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ ବୋଲି କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି ।
ଏନେଇ ଡିଏମଇଟି କହିଛନ୍ତି, ଆମ ରିପୋର୍ଟ ଡାଇନାମିକ୍ । ପ୍ରତିଦିନ ପ୍ରତି ଜିଲ୍ଲାରୁ , ପ୍ରତି ଇନଷ୍ଟିଚ୍ୟୁଟରୁ ଆସୁଛି । ଆଗାମୀ ୧୦ରୁ ୧୫ ଦିନ ମଧ୍ୟରେ କରୋନାରେ ବଳକା ମୃତ୍ୟୁ ସଂଖ୍ୟାର ଅଡ଼ିଟ ଶେଷ ହେବ । ବର୍ତ୍ତମାନ କରୋନା ମୃତ୍ୟୁର ଅଡ଼ିଟ ପରେ ସମସ୍ତ ତଥ୍ୟ ପ୍ରଦାନ କରାଯାଉଛି । ମୃତକଙ୍କ ପରିବାର କି ପ୍ରକାର ସୁବିଧା ଓ ସୁଯୋଗ ପାଉଛନ୍ତି, ସେସବୁ ଦିଗକୁ ଅନୁଧ୍ୟାନ କରି ଅଡ଼ିଟ ରିପୋର୍ଟ ଦିଆଯାଉଛି । ଆମ ସମୀକ୍ଷା ଯୋଗୁ କେହି ଯେପରି କ୍ଷତିଗ୍ରସ୍ତ ନ ହୁଅନ୍ତୁ ସେଥିପ୍ରତି ନଜର ଦେଉଛୁ ।
କରୋନା କଟକଣାକୁ ନେଇ ଡିଏମଇଟି କହିଛନ୍ତି, ମୋର ବ୍ୟକ୍ତିଗତ ମତ ଆଉ କିଛି ଦିନ କଟକଣା ରହିବା ଉଚିତ । ଯେହେତୁ ଲୋକମାନେ କୋଭିଡ ଗାଇଡ଼ଲାଇନକୁ ସଠିକ ଭାବେ ଅନୁପାଳନ କରୁନାହାନ୍ତି, ତେଣୁ କଟକଣା ରହିବା ଦରକାର । ମାତ୍ର ଅଳ୍ପ କିଛି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ଉପରେ ରହିଛି ।
କୋଭିଡ ଗାଇଡ଼ ଅନୁପାଳନ, ସଂକ୍ରମଣ ହାର, କେସ ଲୋଡ଼ ଆଦି ଦେଖିକି ଅନଲକ୍ ନିଷ୍ପତ୍ତି ନିଆଯିବ । ସାମଗ୍ରୀକ ସ୍ଥିତି ନେଇ ସମୀକ୍ଷା ପରେ ନିଷ୍ପତ୍ତି ନିଆଯିବ । ଛୋଟ ଛୁଆଙ୍କୁ ଟିକା ଦେବା ନେଇ ସରକାରୀସ୍ତରରେ ଅନୁମୋଦନ ମିଳିନି । ଗାଇଡ ଲାଇନ ଆସିବା ପରେ ଟିକାକରଣ ନେଇ ରାଜ୍ୟ ସରକାର ପ୍ରସ୍ତୁତି ହେବେ ବୋଲି ଡିଏମଇଟି କହିଛନ୍ତି । ପରିସ୍ଥିତି ଆକଳନ କରି ଠିକ୍ ସମୟରେ ଠିକ୍ ପଦକ୍ଷେପ ନିଆଯିବ ।
ଅନ୍ୟପକ୍ଷରେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତିି ଯେ, ଦେଶର ୫୪ ଜିଲ୍ଲା ଭିତରେ ଓଡ଼ିଶାର କୌଣସି ଜିଲ୍ଲା ନଥିଲେ ବି ବର୍ତ୍ତମାନ ସୁଦ୍ଧା ଦ୍ୱିତୀୟ ଲହରରୁ ଆମେ ବାହାରି ନାହୁଁ । ଏହା ଏବେ ବି ଜାରି ରହିଛି । ଖୋର୍ଦ୍ଧା ଓ କଟକରେ ସଂକ୍ରମଣ ତିନି ଅଙ୍କରେ ରହିଛି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯେହେତୁ ଏଠାକୁ ଅଧିକ ଲୋକ ଯିବା ଆସିବା କରୁଛନ୍ତି ସେଥିପାଇଁ ଅଧିକ ସଂକ୍ରମଣ ରହୁଛି । ତେବେ ଆମେ ତୃତୀୟ ଲହର ପାଇଁ ସମସ୍ତ ପ୍ରସ୍ତୁତି କରିଛୁ, ଯାହା ଆବଶ୍ୟକ ସେ କାର୍ଯ୍ୟ କରାଯାଉଛି । ଭିତ୍ତିଭୂମି ମଧ୍ୟ ପ୍ରସ୍ତୁତ କରାଯାଉଛି । ଟ୍ରେନିଂ ଦିଆଯିବା ସହ ସର୍ଭିଲାନ୍ସ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଜାତୀୟ ରାଜପଥ କଡ଼ରେ ଥିବା ଅଞ୍ଚଳରେ ଏବେ ସଂକ୍ରମଣ ବଢୁଛି । ହେଲେ ଏବେ ଯେଉଁ ମୃତ୍ୟୁ ରିପୋର୍ଟ ଆସୁଛି ଏ ସବୁ ଅଡିଟ ରିପୋର୍ଟ । ସେଥିପାଇଁ ଭିୟଭିତ ହେବାର କିଛି ନାହିଁ ।

Comments (0)
Add Comment