ରାଜ୍ୟସଭାରେ ହଟଗୋଳ: ନିଲମ୍ବିତ ହେଲେ ଟିଏମସିର ୬ ସାଂସଦ

ଭୁବନେଶ୍ୱର: ରାଜ୍ୟସଭାରେ ଆଜି ପ୍ରଥମରୁ ହଟଗୋଳ ଦେଖି୍‌ବାକୁ ମିଳିଥିଲା । ରାଜ୍ୟସଭାପତିଙ୍କ ବାରମ୍ବାର ନିବେଦନ ସତ୍ୱେ ପରିସ୍ଥିତିରେ ସୁଧାର ନଆସିବାରୁ ଗୃହକୁ ନିୟନ୍ତ୍ରଣକୁ ଆଣିବାକୁ ଯାଇ ଆଜି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ଟିଏମ୍‌ସିର ୬ସାଂସଦଙ୍କୁ ଦିନକ ପାଇଁ ନିଲମ୍ବିତ କରିଛନ୍ତି । ସେମାନଙ୍କୁ ଗୃହରୁ ଗୋଟିଏ ଦିନ ପାଇଁ ନିଲମ୍ବିତ କରାଯାଇଛି ବୁଧବାର ସକାଳେ କୃଷି ଆଇନ ନେଇ ଆଲୋଚନା ପାଇଁ ଦିଆଯାଇଥିବା ନୋଟିସକୁ ସଭାପତି ସ୍ୱୀକାର କରି ଅନ୍ୟ ନୋଟିସଗୁଡିକୁ ଖାରଜ କରିଦେଇଥିଲେ । ତେବେ ପେଗାସସ ଗୁପ୍ତଚର ମାମଲାରେ ଟିଏମସି ସାଂସଦ ମାନେ ସଭାପତିଙ୍କ ପୋଡିୟମ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାକୁ ନେଇ ଟିଏମସି ଓ ଅନ୍ୟ ବିରୋଧୀ ସାଂସଦମାନେ ସଭାପତିଙ୍କ ପୋଡିୟମ ନିକଟରେ ହୋ ହାଲ୍ଲା କରିଥିଲେ । ସେମାନେ ପେଗାସସ ମାମଲାରେ ଆଲୋଚନା ପାଇଁ ଦାବି କରିଥିଲେ । ଏନେଇ ସଭାପତି ସାଂସଦମାନଙ୍କୁ ସେମାନଙ୍କ ଟେବୁଲ ନିକଟକୁ ଫେରିଯିବାକୁ ଅନୁରୋଧ କରିବା ସହ ଏଭଳି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ହେଲେ ସାଂସଦମାନେ ନ ଶୁଣିବାରୁ ସଭାପତି ନିୟମ ୨୫୫ ଆଧାରରେ ୬ ଜଣ ଟିଏମସି ସାଂସଦଙ୍କୁ ଗୋଟିଏ ଦିନ ପାଇଁ ଗୃହରୁ ନିଲମ୍ବିତ କରିଛନ୍ତି । କହିରଖୁ କି ଜୁଲାଇ ୧୯ ରୁ ଉଭୟ ଗୃହରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ହେଲେ ପେଗାସସ୍‌, ଚାଷୀ ଆନ୍ଦୋଳନ ଓ ଦରବୃଦ୍ଧିକୁ ନେଇ ବିରୋଧୀଙ୍କ ହୋ ହାଲ୍ଲା ଯୋଗୁଁ ଆଜି ଯାଏ ଗୋଟିଏ ଦିନ ବି ଠିକରେ ଚାଲି ପାରିନାହିଁ ଉଭୟ ଗୃହ । ଅନ୍ୟପଟେ ବିନା ବିଚାର ବିମର୍ଷରେ କେନ୍ଦ୍ର ସରକାର ବିଭିନ୍ନ ବିଧେୟକକୁ ପାରିତ କରିଛନ୍ତି ।

Comments (0)
Add Comment