ନୂଆଦିଲ୍ଲୀ : ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ, ଆଦାନୀ ଗ୍ରୁପ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ ନେଇ ଆଜି ପାର୍ଲାମେଂଟର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟମାନଙ୍କ ହଟ୍ଟଗୋଳ ଯୋଗୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଉଭୟ ଗୃହକୁ ମୁଲତବୀ ଘୋଷଣା କରାଯାଇଛି । ଲୋକସଭାରେ ଶାସକ ଦଳର ସଦସ୍ୟମାନେ ଲଣ୍ଡନରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟ ନେଇ କ୍ଷମା ମାଗିବାକୁ ଦାବି କରିଥିବା ବେଳେ କଂଗ୍ରେସ, ତୃଣମୂଳ କଂଗ୍ରେସ ଡିଏମକେ ଓ ଅନ୍ୟାନ୍ୟ ବିରୋଧୀ ଦଳ ଗୁଡ଼ିକର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ଆଦାନୀ ପ୍ରସଙ୍ଗ ଉଠାଇ ପ୍ରବଳ ହୋହାଲ୍ଲା କରିଥିଲେ । ବିରୋଧୀ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଯାଇ ମିଳିତ ସଂସଦୀୟ କମିଟି ଗଠନ ପାଇଁ ଦାବି କରି ହୋ-ହଲ୍ଲା କରିଥିଲେ । ଫଳରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗୃହରେ ଶୃଙ୍ଖଳା ବଜାୟ ରଖିବା ପାଇଁ ଚେଷ୍ଟା କରି ବିଫଳ ହେବାରୁ ସୋମବାର ଯାଏଁ ଗୃହକୁ ମୁଳତବୀ ଘୋଷଣା କରିଥିଲେ । ସେହିଭଳି ରାଜ୍ୟସଭାରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ କଂଗ୍ରେସ, ତୃଣମୂଳ କଂଗ୍ରେସ, ଆମ୍ ଆଦ୍ମୀ ପାର୍ଟି ଓ ଅନ୍ୟାନ୍ୟ କେତେକ ବିରୋଧୀ ଦଳର ସଦସ୍ୟମାନେ ଗୃହର ମଧ୍ୟଭାଗ୍ୟକୁ ଆସି ଆଦାନୀ ପ୍ରସଙ୍ଗ ଉଠାଇ ଥିଲେ । ବିରୋଧୀ ଦଳର ସଦସ୍ୟମାନଙ୍କୁ କଥା କୁହାଇ ଦେବାକୁ ସୁଯୋଗ ଦିଆଯାଉ ନ ଥିବା ଅଭିଯୋଗ କରିଥିଲେ । ହଟ୍ଟଗୋଳ ଜାରି ରହିବା ଫଳରେ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ଗୃହକୁ ସୋମବାର ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ । ସୂଚନା ଯୋଗ୍ୟ, ଗତ ସୋମବାରଠାରୁ ସଂସଦର ବଜେଟ ଅଧିବେଶନ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ଆରମ୍ଭ ହେବା ପରଠାରୁ ୫ ଦିନ ଧରି ଗୃହ କାର୍ଯ୍ୟ ସ୍ୱଭାବିକ ହୋଇପାରି ନାହିଁ । ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭରୁ ଉଭୟ ଗୃହରେ ବିଶୃଙ୍ଖଳା ଦେଖାଯାଇଛି ।