ରେଳଧାରଣାରୁ ମିଳିଲା ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ମୃତଦେହ

ଭୁବନେଶ୍ୱର- ରାଜଧାନୀରେ ସ୍ୱେଚ୍ଛାସେବୀ ଆଦିତ୍ୟ ଦାଶଙ୍କ ସନ୍ଦେହଜନକ ମୃତ୍ୟୁ । ଆଜି ସକାଳ ୬.୩୦ ସମୟରେ ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ କଡରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଯୁବପିଢିଙ୍କୁ ମୋଟିଭେସନାଲ ସ୍ପିଚ୍ ଦେଇ ବଂଚିବାକୁ ରାହା ଦେଖାଉଥିବା ଆଦିତ୍ୟ ଚିରଦିନ ଲାଗି ଆଖି ବୁଜିଦେବେ କିଏ ଯାଣିଥିଲା । ତେବେ ସେ କାହିଁକି ଏବଂ କେଉଁ ପରିସ୍ଥିତିରେ ମୃତ୍ୟୁ ହେଲା , ତାକୁ ନେଇ ସନ୍ଦେହ ଲାଗିରହିଛି । ଘଟଣାସ୍ଥଳରେ ରେଲୱେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ଗତକାଲି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଆଦିତ୍ୟ ସନ୍ଧ୍ୟାରେ ରାଗି ପାଟି କରିବା ପରେ ଘର ଫ୍ରିଜ୍ ଭିତରେ ମୋବାଇଲ ଓ ଘର ଚାବି ରଖି ପଳାଇ ଯାଇଥିଲେ । ଆଦିତ୍ୟ ଗୁଣିଗାରେଡିକୁ ଭୟ କରୁଥିଲେ ବୋଲି ତାଙ୍କ ସ୍ତ୍ରୀ କହିଛନ୍ତି ।

ତେବେ ଏହା ହତ୍ୟା ନା ଆତ୍ମହତ୍ୟା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଯଦି ସେ ଆତ୍ମହତ୍ୟା କରିଛନ୍ତି , ତେବେ କେଉଁ କାରଣରୁ ଏହି ନିଷ୍ପତି ନେଲେ ତାହା ସନ୍ଦେହରେ ରହିଛି । ତେବେ ମୃତ୍ୟୁ ପୂର୍ବରୁ ତାଙ୍କ ଫେସବୁକ୍ ପୋଷ୍ଟ ଦେଖିଲେ ସେ କୌଣସି କାରଣରୁ ମାନସିକ ଚାପରେ ଥିବା ଅନୁମାନ କରାଯାଉଛି । ମୃତ୍ୟୁ ପୂର୍ବରୁ ଗତକାଲି ସନ୍ଧ୍ୟା ୭.୧୪ରେ ତାଙ୍କ ଫେସବୁକ୍ରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ (ମୃତ୍ୟୁ ଯେତେବେଳେ ଆସେ ବହୁତ ଧୀରେ ଧୀରେ ଆସେ, କେହି ଜାଣିପାରନ୍ତି ନାହିଁ) ଏହି ସବୁ ଘଟଣାକୁ ବିଚାରକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି । ତେବେ ଆଦିତ୍ୟ ଦାଶ ଓରଫ୍ ମାନବପ୍ରେମୀ ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ଥିଲେ । ତାଙ୍କର ଗୋଟିଏ ଗୋଟିଏ ଭିଡିଓ ହଜାର ହଜାର ଲୋକଙ୍କୁ ପ୍ରେରଣା ଯୋଗାଉଥିଲା । ଗତ ଜୁନ୍ ମାସରେ ସେ ବିଦ୍ୟାଶ୍ରୀଙ୍କୁ ବିବାହ କରିଥିଲେ । ସୁନ୍ଦରପଦାରେ ଏକ ବୃଦ୍ଧାଶ୍ରମ ମଧ୍ୟ ଚଳାଉଥିଲେ ଆଦିତ୍ୟ ।

ଏହାସହ ପିପୁଲ ଫର ସେବା ନାମକ ଏକ ସଂଗଠନ ଜରିଆରେ ସେ ସାମାଜିକ ସେବା କାର୍ଯ୍ୟ ମଧ୍ୟ କରୁଥିଲେ । ଆଦିତ୍ୟ ବିବାହ ପରେ ବେଶ୍ ଖୁସି ଥିବା ତାଙ୍କ ପୋଷ୍ଟ ଦେଖିଲେ ଜଣାପଡୁଛି । ତେବେ ସେ ପ୍ରକୃତରେ ଆତ୍ମହତ୍ୟା କରିଛନ୍ତି ବା ତାଙ୍କର ହତ୍ୟା ହୋଇଛି ତାହା ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ ।

Comments (0)
Add Comment