ଲକ୍‌ଡାଉନ୍ : ୩ ହଜାରରୁ ଅଧିକ ରିକ୍ସା, ଟ୍ରଲି ଚାଳକଙ୍କ ଜୀବିକା ବିପନ୍ନ

କଟକ: କରୋନା ମହାମାରୀ ଧନି, ଗରିବ ସମସ୍ତଙ୍କୁ ପ୍ରଭାବିତ କରିଛି । ସମସ୍ତଙ୍କ ଜୀବନ ଜୀବିକା ଏହାଦ୍ୱାରା ବିପନ୍ନ ହୋଇଛି । ୨୦୨୦ ଲକ୍‌ଡାଉନ୍ ଓ ସଟ୍‌ଡାଉନ୍ ଭଳି ଏଥର ମଧ୍ୟ ସବୁ ବର୍ଗ ଓ ବୃତ୍ତି ଉପରେ କରୋନାର ଯଥେଷ୍ଟ ପ୍ରଭାବ ପଡିଛି । ତେବେ ବାଉନ ବଜାର ତେପନ ଗଳିର ସହର କଟକରେ କିନ୍ତୁ ଏଥର କରୋନା ମାଡ଼ରେ ୩ ହଜାରରୁ ଅଧିକ ରିକ୍ସା ଓ ଟ୍ରଲି ଚାଳକ ପ୍ରଭାବିତ ହୋଇଛନ୍ତି । ବିଶେଷ କରି ମାଲଗୋଦାମ ଓ ପିଠାପୁରରେ ମାଲ ବୁହା ପାଇଁ ନିୟୋଜିତ ଟ୍ରଲି ଚାଳକ ଘରେ ହାତ ବାନ୍ଧି ବସିଛନ୍ତି । ଚକ ଗଡୁନଥିବାରୁ ଏମାନଙ୍କ ଚୁଲି ବି ଜଳୁନି । ଏପରିକି ଅସ୍ଥାୟୀ ଭାବେ ବସ୍ତିରେ ରହୁଥିବା ଟ୍ରଲି ଓ ରିକ୍ସା ଚାଳକମାନେ ଏବେ ଗାଁ ମୁହାଁ ହୋଇଛନ୍ତି । କଟକ ସହରରେ ମାଲଗୋଦାମ, ପିଠାପୁର, ହରିପୁର, ଚୌଧୁରୀବଜାର ଅଞ୍ଚଳରେ ରହିଥିବା ଗୋଦାମଗୁଡ଼ିକରୁ ବ୍ୟବସାୟୀଙ୍କ ପାଖରେ ମାଲ ପହଞ୍ଚାଇବା ପାଇଁ ଟ୍ରଲିର ବ୍ୟବହାର କରାଯାଇଥାଏ । ପାଖାପାଖି ଦୁଇ ହଜାରରୁ ଅଧିକ ଟ୍ରଲି ଚାଳକ ଏହା ଉପରେ ନିର୍ଭର କରନ୍ତି । ମାତ୍ର କରୋନା ସେମାନଙ୍କ ଜୀବିକା ଛଡ଼ାଇ ନେଇଛି । ମାଲଗୋଦାମରେ କାମ କରୁଥିବା ୧୦୦୦ରୁ ଅଧିକ ଟ୍ରଲି ଚାଳକ ଏବେ ହାତ ବାନ୍ଧି ବସିଛନ୍ତି । ସ୍ପଳ୍ପ ସମୟ ଗୋଦାମ ଖୋଲିବା ଓ ବ୍ୟବସାୟୀ ଆସୁ ନ ଥିବାରୁ ମାଲ ପରିବହନ କରୁଥିବା ଟ୍ରଲିଚାଳକଙ୍କ ରୋଜଗାର କମିଛି ।
ଦିନକୁ ୩୦୦/୪୦୦ ଟଙ୍କା ରୋଜଗାର କରୁଥିବା ଟ୍ରଲି ଚାଳକ ଏବେ ୨୦ଟଙ୍କା ବି ପାଉ ନାହାନ୍ତି । ପିଠାପୁରରେ ମଧ୍ୟ ସମାନ ସ୍ଥିତି । ଏଠାରେ ରହିଥିବା ଗୋଦାମ ସବୁ ବନ୍ଦ ରହୁଥିବାରୁ ଟ୍ରଲିଚାଳକ କାମ ପାଉ ନାହାନ୍ତି । ସେହିଭଳି କଟକ ସହରରେ ପାଖାପାଖି ୧ ହଜାରରୁ ଅଧିକ ରିକ୍ସା ଚାଳକ ମଧ୍ୟ ଲକ୍‌ଡାଉନ୍ ଯୋଗୁଁ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଏବେ ସହର ଛାଡ଼ି ଗାଁକୁ ପଳାଇଥିବା ଜଣାପଡ଼ିଛି । ବାଦାମବାଡ଼ି, ଲିଙ୍କରୋଡ୍‌, ବକ୍ସିବଜାର ଅଞ୍ଚଳରେ ରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରୁଥିବା ରିକ୍ସା ଚାଳକ ଏବେ ଘରେ ବସି ଅନ୍ୟର ସହାୟତାକୁ ଚାହିଁ ରହିଛନ୍ତି ।

Comments (0)
Add Comment