ଲକଡ଼ାଉନରେ ଓମଫେଡ୍‌ର କ୍ଷୀର ନେବା ବନ୍ଦ

ଭୁବନେଶ୍ୱର: ବୁଧବାରଠାରୁ ଆରମ୍ଭ ହୋଇଥିବା ଲକଡ଼ାଉନ ଦୁଗ୍ଧ ଚାଷୀଙ୍କ ପାଇଁ ପୁଣିଥରେ ଦୁର୍ଦ୍ଦଶା ନେଇଆସିଛି । ଗତବର୍ଷ ଲକଡ଼ାଉନ, ସଟଡ଼ାଉନ ସମୟରେ ଓମଫେଡ଼ ସମେତ ବିଭିନ୍ନ ଦୁଗ୍ଧ ସଂଗ୍ରହକାରୀ କମ୍ପାନୀମାନେ ମାସମାସ ଧରି କ୍ଷୀର ସଂଗ୍ରହ କଲେ ନାହିଁ । ଚାଷୀ ବାଧ୍ୟ ହୋଇ କ୍ଷୀରକୁ ରାସ୍ତାରେ ଢାଳିଲେ । ଗାଈ, ଗୋରୁଙ୍କୁ ଖାଇବାକୁ ଦେଇନପାରି କିଛି ଚାଷୀ ମଧ୍ୟ ଶାଗ ମାଛ ମୂଲ୍ୟରେ ଗାଈ ବିକିବାକୁ ବାଧ୍ୟ ହେଲେ । ଏବର୍ଷ ପୁଣି ରାଜ୍ୟର ଦୁଗ୍ଧ ଚାଷୀମାନେ ସେହିଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ଲକଡ଼ାଉନ ଆରମ୍ଭ ହେବା ପରେ ଓମଫେଡ଼ ସମେତ ବିଭିନ୍ନ ଦୁଗ୍ଧ କମ୍ପାନୀମାନେ ଚାଷୀଙ୍କ ଠାରୁ କ୍ଷୀର ନେବା ବନ୍ଦ କରିଦେଇଛନ୍ତି । ଗତକାଲି ଓମ୍‌ଫେଡ଼ର ଡ଼େପୁଟି ଜେନେରାଲ ମ୍ୟାନେଜରଙ୍କର ଦସ୍ତଖତରେ କଟକ, ସମ୍ବଲପୁର, ପୁରୀ, ଢେଙ୍କାନାଳ ଭଳି ସମସ୍ତ ଦୁଗ୍ଧ ମହାସଂଘକୁ ଚିଠି କରାଯାଇ ଚାଷୀଙ୍କ ଠାରୁ କ୍ଷୀର ନଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଫଳରେ ରାଜ୍ୟର ୧୦ଲକ୍ଷ ଚାଷୀଙ୍କ ଭାଗ୍ୟ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି । କରୋନା ସଂକ୍ରମଣ ସମୟରେ ତାଙ୍କ ଅର୍ଥନୀତି ଭୁଷୁଡ଼ି ପଡ଼ିଛି । ସେମାନେ କିପରି ପରିବାର ଚଳାଇବେ, ଗାଈ ଗୋରୁଙ୍କୁ ଏହି ସଙ୍କଟ ସମୟରେ କିଭଳି ଖାଇବାକୁ ଦେବେ ଏବଂ ଋଣ ଶୁଝିବେ, ସେଥିପାଇଁ ଚିନ୍ତାଜନକ ଅବସ୍ଥାରେ ପଡ଼ିଛନ୍ତି । ରାଜ୍ୟ ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଓଡ଼ିଶା ଦୁଗ୍ଧ ଚାଷୀ ମହାସଂଘର ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି ।

Comments (0)
Add Comment