ଶୀତଳାପଲ୍ଲୀରେ ହେବନାହିଁ ୱାଗନ୍ କାରଖାନା : ରେଳମନ୍ତ୍ରୀ

ନୂଆଦିଲ୍ଲୀ: ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀଠାରେ ରେଳ ୱାଗନ କାରଖାନା ହେବାର କୌଣସି ପ୍ରସ୍ତାବ ନାହିଁବୋଲି ଆଜି ରାଜ୍ୟସଭାରେ ରେଳମନ୍ତ୍ରୀ ପିୟୁଷ ଗୋଏଲ କହିଛନ୍ତି ।
ରାଜ୍ୟସଭା ସାଂସଦ ଡକ୍ଟର ଅମର ପଟ୍ଟନାୟକଙ୍କ ପ୍ରଶ୍ନର ଲିଖିତ ଉତର ଦେଇ ସେ କହିଛନ୍ତି, ୨୦୧୭ରୁ ପଡିରହିଥିବା ଭୁବନେଶ୍ୱର ରେଳ ଷ୍ଟେସନ୍ ପୁନର୍ବିକାଶ କାର୍ଯ୍ୟ ରେଳବାଇ ଓ ଓଡିଶା ସରକାର ମିଳିତ ଭାବେ ଗ୍ରହଣ କରିଚନ୍ତି । ରେଳବାଇ ଓ ଓଡିଶା ସରକାରଙ୍କ ଜମିରେ ସମନ୍ୱିତ ଭାବେ ନୂଆ ଷ୍ଟେସନ୍ ବିଲଡିଙ୍ଗ ଏବଂ ପ୍ଲାଟ୍ଫର୍ମ ସହ ନୂଆ ଲାଇନ୍ ନିର୍ମାଣ ଲାଗି ଯୋଜନା କରାଯାଇଛି । ଏଥିନିମନ୍ତେ, ଓଡିଶା ସରକାରଙ୍କ ତରଫରୁ ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ ଏବଂ ପୂର୍ବତଟ ରେଳବାଇ ମଧ୍ୟରେ ୧୯.୯.୨୦୧୯ରେ ‘ଏମଓୟୁ’ ସ୍ୱାକ୍ଷରିତ ହୋଇଛି । ସ୍ମାର୍ଟ ସିଟି ପାରିପାଶ୍ୱର୍ିକ ବିକାଶ ସହ ଏହି ଷ୍ଟେସନ୍କୁ ‘ମଲ୍ଟି ମୋଡାଲ୍ ହବ୍’ କରିବା ନିମନ୍ତେ ନକ୍ସା ପ୍ରସ୍ତୁତି କରିବା ଲାଗି ‘ବିଡିଏ’ ଜଣେ କନ୍ସଲ୍ଟାଂଟ ନିଯୁକ୍ତ କରିଛନ୍ତି । ଭୁବନେଶ୍ୱର ରେଳ ଷ୍ଟେସନ୍ର ପୁନର୍ବିକାଶ କାର୍ଯ୍ୟ କରାଯିବ, ପୁରୀ-କୋଣାର୍କ ରେଳପଥ ପାଇଁ ସର୍ଭେ ଶେଷ ହୋଇଛି, ନୂଆପଡା-ଗୁଣୁପୁର ନୂଆ ଲାଇନ୍କୁ ଥେରୁବାଲି ପର୍ଯ୍ୟନ୍ତ ବଢାଇବା ଲାଗି ୨୦୧୭-୧୮ ବଜେଟ୍ରେ ସାମିଲ କରାଯାଇଛି
ସେହିଭଳି, ୨୦୧୫-୧୬ରେ ୩୩ କିଲୋମିଟର୍ ଦୀର୍ଘ ପୁରୀ-କୋଣାର୍କ ନୂଆ ଲାଇନ୍ର ସର୍ଭେ ସମ୍ପନ୍ନ ହୋଇଛି । ପ୍ରସ୍ତାବିତ ରେଳପଥ ବାଲୁଖଣ୍ଡ-କୋଣାର୍କ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟ ଦେଇ ଯାଇଛି । ଅଭୟାରଣ୍ୟକୁ ଏଡାଇବା ନିମନ୍ତେ ପୁନର୍ବାର ସର୍ଭେ କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।
ଏହାଛଡା, ନୂଆପଡା-ଗୁଣୁପୁର ନୂଆ ଲାଇନ୍କୁ ଥେରୁବାଲି ପର୍ଯ୍ୟନ୍ତ ବଢାଇବା ପ୍ରସ୍ତାବ ୨୦୧୭-୧୮ ବଜେଟ୍ରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି ପ୍ରକଳ୍ପର ଡିଟେଲ୍ଡ୍ ପ୍ରୋଜେକ୍ଟ୍ ରିପୋର୍ଟ’ ପ୍ରସ୍ତୁତ ହୋଇଛି । ଏଥିନିମନ୍ତେ ନିର୍ମାଣ ବ୍ୟୟର ୫୦% ବହନ କରିବା ସହ ମାଗଣାରେ ଜମି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା । କିନ୍ତୁ, କେବଳ ମାଗଣାରେ ଜମି ଯୋଗାଇ ଦେବାକୁ ଓଡିଶା ସରକାର ରାଜି ହୋଇଛନ୍ତି । ତେଣୁ, ନିର୍ମାଣ ବ୍ୟୟର ୫୦% ବହନ କରିବାକୁ ପୁଣି ଥରେ ଓଡିଶା ସରକାରଙ୍କୁ ଅନୁରୋଧ କରାଯାଇଛି । ଏହା ବ୍ୟତିରେକେ ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଳୀରେ ରେଳବାଇ ୱାଗନ୍ କାରଖାନା ବସାଇବାର କୌଣସି ପ୍ରସ୍ତାବ ନାହିଁ ବୋଲି ଶ୍ରୀ ଗୋୟଲ୍ କହିଛନ୍ତି । ଏହି ୱାଗନ୍ କାରଖାନା ସ୍ଥାପନ କରିବା ଲାଗି ଜମି ଚିହ୍ନଟ ହୋଇଥିବା କଥା ସାଂସଦ ଡକ୍ଟର ଅମର ପଟ୍ଟନାୟକ ପ୍ରଶ୍ନରେ ଉଲ୍ଳେଖ କରିଥିଲେ ।

Comments (0)
Add Comment