ଭୁବନେଶ୍ୱର : ମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ କିଛି ଦିନ ତଳେ ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଥିବା କୁଜଙ୍ଗ ଅଞ୍ଚଳର ମାଆ-ପୁଅ। ସାମ୍ବାଦିକ ସମ୍ମିଳନୀ କରି ସେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଉଭୟ କହିଛନ୍ତି, ପୁଅକୁ ନ୍ୟାୟ ଦାବିରେ ବିଧାନସଭା ଆଗରେ ଆତ୍ମାହୁତି ଦେବା ପୂର୍ବରୁ ଆମେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଭେଟିଥିଲୁ । କିନ୍ତୁ ମନ୍ତ୍ରୀ ଏସବୁ ପାଇଁ ସମୟ ନାହିଁ, ଯାହା କରିବାର ଅଛି କର ବୋଲି କହିଥିଲେ । ତେଣୁ ଆମେ ବିଧାନସଭା ନିକଟରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲୁ ବୋଲି ମାଆ ପୁଅ ଅଭିଯୋଗ କରିଛନ୍ତି । ସେମାନେ ଆହୁରି କହିଛନ୍ତି, ତାଙ୍କର ଆଉ ଗୋଟିଏ ପୁଅ ଅମୃତ ଦାସଙ୍କ ମୃତ୍ୟୁ ପଛରେ ବଡ ବଡ ନେତାଙ୍କ ହାତ ରହିଛି । ଏଥିପାଇଁ ମନ୍ତ୍ରୀଙ୍କ ଚାପରେ ଆସି ଏସପି ତଦନ୍ତ କରୁନାହାନ୍ତି । ପୁଅକୁ ନ୍ୟାୟ ଦେବା ପାଇଁ ସବୁ ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି ଓ କ୍ରାଇମବ୍ରାଞ୍ଚ ସମସ୍ତଙ୍କ ପାଖରେ ଗୁହାରି କରିଛୁ । କିନ୍ତୁ କେହି ଶୁଣିଲେନି । ଯଦି ଆମ ପୁଅକୁ ନ୍ୟାୟ ନମିଳେ ତେବେ ଆତ୍ମାହୁତି ଦେବୁ ବୋଲି ଆଜି ପୁଣି ସାମ୍ବାଦିକ ସମ୍ମିଳନୀରେ ମାଆ-ପୁଅ ଧମକ ଦେଇଛନ୍ତି । ଶୀତ ଅଧିବେଶନ ଚାଲିଥିବା ବେଳେ ବିଧାନସଭା ପଛପଟେ ଇଡକଲ ରାସ୍ତାରେ କିରୋସିନ ଢ଼ାଳି ଆତ୍ମାହୁତି ଉଦ୍ୟମ କରିଥିଲେ କୁଜଙ୍ଗ ଅଂଚଳର ମା ସୁଲୋଚନା ଦାସ ଓ ପୁଅ ସୁବ୍ରୋତ ଦାସ । ଉଭୟଙ୍କୁ ସୁରକ୍ଷାକର୍ମୀ ଉଦ୍ଧାର କରିଥିଲେ । ପୁଅ ହତ୍ୟାର ନ୍ୟାୟ ନପାଇ ଦୁହେଁ ଆତ୍ମାହୁତି ଉଦ୍ୟମ କରିଥିଲେ । ବର୍ଷେ ତଳେ ପୁଅ ଅମୃତ ଦାସଙ୍କୁ ହତ୍ୟା କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ ।