ସବୁଠି ବନ୍ଦ ପ୍ରଭାବ; ଭୁବନେଶ୍ଵରରେ ରେଳରୋକୋ, ରାସ୍ତା ଅବରୋଧ

ଭୁବନେଶ୍ଵର: କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ ୧୨ଦିନ ଧରି ଚାଷୀ ଆନ୍ଦୋଳନ ଚାଲିବା ପରେ ମଙ୍ଗଳବାର ଭାରତ ବନ୍ଦ କରାଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ସମେତ ବିଭିନ୍ନ ଜିଲାରେ ମଙ୍ଗଳବାର ସକାଳୁ ବନ୍ଦର ପ୍ରଭାବ ଦେଖାଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ଚକ ଅଖ ବନ୍ଦ ରହିବ ବୋଲି କୁହାଯାଇଥିଲେ ହେଁ ସକାଳ ସାଢ଼େ ୮ଟାରୁ ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଛି। ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ କଂଗ୍ରେସ, ନବନିର୍ମାଣ କୃଷକ ସଂଗଠନ ଏବଂ କୃଷକ ପ୍ରତିନିଧିଙ୍କ ଦ୍ବାରା ରାସ୍ତା ଅବରୋଧ କରାଯାଇଛି। ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯିବା ସହିତ ରାସ୍ତାରୋକୋ ହୋଇଛି। ସେହିପରି ଷ୍ଟେଶନରେ ରେଳରୋକୋ କରାଯାଇଛି। କେବଳ ଭୁବନେଶ୍ଵର ନୁହେଁ ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ଵର, କେନ୍ଦୁଝର, ପିପିଲି ସମେତ ଅନ୍ୟାନ୍ୟ ସ୍ଥାନରେ ବି ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କୃଷକ ସଂଗଠନ ସମେତ ବାମଦଳଗୁଡ଼ିକ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସହିତ ରାସ୍ତାରୋକୋ କରୁଛନ୍ତି। କୌଣସି ସ୍ଥାନରେ ଯେପରି କିଛି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ, ସେଥିଲାଗି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଥିବା ସୂଚନା ମିଳିଛି।

Comments (0)
Add Comment