ଭୁବନେଶ୍ୱର,୧୪ ।୦୬(ନି.ପ୍ର.): କୋଭିଡ-୧୯ ମହାମାରୀ ସ୍ଥିତିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜୁଲାଇ ୧୫ ମଧ୍ୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ପ୍ରକ୍ରିୟା ସମ୍ପନ୍ନ କରିବାକୁ ନିର୍ଦେଶ ଜାରି କରାଯାଇଛି । ଏହି ପରିପ୍ରେକ୍ଷୀରେ ବର୍ତମାନ ବୈଷୟିକ ଜ୍ଞାନକୌଶଳର ଉପଯୋଗ କରି ସରକାରୀ ବିଦ୍ୟାଳୟଗୁଡ଼ିକରେ ଟେଲିଫୋନ ଓ ହ୍ୱାଟସ୍ଆପ୍ ଯୋଗେ ଛାତ୍ରଛାତ୍ରୀମାନଙ୍କର ନାମଲେଖା କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ସରକାର ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଏହା ଦ୍ୱାରା ଛାତ୍ରଛାତ୍ରୀ ଓ ସେମାନଙ୍କ ପିତାମାତାମାନଙ୍କୁ ନାମଲେଖା ପାଇଁ ବିଦ୍ୟାଳୟ ପରିସରକୁ ନ ଆସିବା ନିଶ୍ଚିତ କରାଯାଇଛି । ଫଳରେ ପିତାମାତା ଓ ଅଭିଭାବକମାନେ ସେମାନଙ୍କ ପୁଅଝିଅଙ୍କ ନାମଲେଖା ହ୍ୱାଟ୍ସଆପ୍ ଜରିଆରେ କରୁଥିବା ଜଣାପଡ଼ିଛି । ପିତାମାତା ଓ ଅଭିଭାବକମାନେ ସ୍କୁଲକୁ ନ ଆସି ଘରେ ରହି ସେମାନଙ୍କ ପୁଅଝିଅଙ୍କ ନାମ ଲେଖାଇପାରୁଛନ୍ତି ।
ରାଜ୍ୟ ସରକାର ଜାରି କରିଥିବା କରୋନା କଟକଣା ଅନୁପାଳନ ସହିତ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଜୁଲାଇ ୧୫ ସୁଦ୍ଧା ନାମଲେଖା କରାଯାଇପାରିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯିବା ସହ ହ୍ୱାଟସ୍ଆପରେ ନାମଲେଖା ସଂଖ୍ୟା ବୃଦ୍ଧି ପାଉଛି ।