ସରିଲା କାଳିଆର ଶେଷକୃତ୍ୟ

କନ୍ଧମାଳ : ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ମଧ୍ୟରୁ ଗତକାଲି ମୃତ୍ୟୁ ବରଣ କରିଥିବା କାଳିଆର ଶେଷକୃତ୍ୟ ସରିଛି। କନ୍ଧମାଳ ଫିରିଙ୍ଗିଆ ବ୍ଲକ ମିଲୁପଡାରେ ପରିବାର ବର୍ଗଙ୍କ ସମେତ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିଡିଓଙ୍କ ଉପସ୍ଥିତିରେ ତାର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜଗା-କାଳିଆର ଅପରେସନ ହେଲା ଏବଂ ଦୁହେଁ ଦିଲ୍ଲୀରୁ ଫେରିବା ପରେ ସୁସ୍ଥ ଥିଲେ । ସେମାନେ ବଡ ହୋଇ ମଣିଷ ହେବେ ବୋଲି ଅଶା ଥିଲା । କିନ୍ତୁ ଜଗା ବଂଚିଥିବା ବେଳେ କାଳିଆ ତାକୁ ଛାଡି ଚାଲିଯାଇଛି । ଏଥିପାଇଁ ଆମେ ବେଶ  ଦୁଃଖିତ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି । ସେପେଟ କାଳିଆର ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଟ୍ୱିଟ କରି ଡାକ୍ତରମାନଙ୍କ ଅଦମ୍ୟ ଚେଷ୍ଟା ଓ ଶ୍ରେଷ୍ଠ ଚିକିତ୍ସା ସତ୍ତ୍ୱେ କାଳିଆର ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି । ଏଥିସହ ଶୋକସନ୍ତପ୍ତ ପରିବାରକୁ ଭଗବାନ ଧୈର୍ଯ ଦିଅନ୍ତୁ । ଅସମୟରେ ଝଡି ପଡିଥିବା କାଳିଆର ଅମର ଆତ୍ମାର ସଦଗତି କାମନା ସହ ଏହି କଠିନ ସମୟରେ ଜଗାର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଛନ୍ତି ।

ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଅଲଗା କରାଯିବାର ଦୀର୍ଘ ୩ ବର୍ଷ ପରେ ଜଗାକୁ ଛାଡ଼ି ଗତକାଲି ଆରପାରିକି ଚାଲିଯାଇଥିଲା କାଳିଆ । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତି ୯ଟା ୧୦ ମିନଟରେ କାଳିଆର ମୃତ୍ୟୁ ହୋଇଥିବା ନେଇ SCBର ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣାଙ୍କ ସୂଚନା ଦେଇଥିଲେ।

ଗତ ସପ୍ତାହେ ଧରି କାଳିଆର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା । ଶେଷରେ ସେ ସେପଟିସେମିଆରେ ଆକ୍ରାନ୍ତ ହୋଇ  ଚିକିତ୍ସାଧୀନ ଥିଲା। କାଳିଆର ଶେଷକୃତ୍ୟ ନିମନ୍ତେ ଗତକାଲି ତା ମୃତଦେହକୁ ବାପାମା’ ନେଇ ଆମ୍ବୁଲାନ୍ସ ଯୋଗେ ଗାଁ ଅଭିମୁଖେ ଯାଇଥିବା ବେଳେ ଜଗା କଟକ ବଡମେଡିକାଲରେ ଚିକିତ୍ସାଧୀନ ଥିବା ଜଣାଯାଇଛି।

Comments (0)
Add Comment