ଅନୁଗୁଳ : ସାତକୋଶିଆ ଅଭୟାରଣ୍ୟରେ ପୁଣି ଏକ ହାତୀର ମୃତ୍ୟୁ । ଯୁଗ୍ମ ଟାସ୍କଫୋର୍ସ(ଜେଟିଏଫ୍) ଆଜି ପମ୍ପାସର ରେଞ୍ଜ ତରଭା ସେକ୍ସନର ଛୋଟାମୁଣ୍ଡା ନିକଟରୁ ଏକ ମାଈ ହାତୀ କଙ୍କାଳ ପାଇଛି । ପାହାଡ଼ ଖୋଲ ଭିତରେ ଏହି ହାତୀ କଙ୍କାଳ ପଡ଼ିଥିଲାବେଳେ ପାଖାପାଖି ୪ ମାସ ତଳେ ହାତୀର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ହାତୀ ମୃତ୍ୟୁର କାରଣ ଜାଣିବା ପାଇଁ ଭୁବନେଶ୍ୱରର ଓୟୁଏଟିକୁ ନମୁନା ପଠାଯାଇଛି । ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ ଭିତରେ ଥିବା ଛୋଟାମୁଣ୍ଡା ପାହାଡ଼ ନିକଟରେ ଏକ ହାତୀ କଙ୍କାଳ ପଡ଼ିଥିବା ଫାୟାର ଲାଇନ୍ର ନିୟୋଜିତ କର୍ମଚାରୀ ଦେଖିବାକୁ ପାଇଥିଲେ । ଖବର ପାଇ ଆଜି ଜେଟିଏଫ୍ଘ ଘଟଣାସ୍ଥଳରେ ପହଞ୍ଚି ହାତୀ କଙ୍କାଳ, ଚମଡ଼ା ଓ ଅନ୍ୟାନ୍ୟ ନମୁନା ସଂଗ୍ରହ କରିଥିଲେ । ସଂଗୃହୀତ ନମୁନାକୁ ପରୀକ୍ଷା ପାଇଁ ଓୟୁଏଟିକୁ ପଠାଯାଇଛି । ଏପଟେ ମୃତ ହାତୀଟି କୌଣସି ରୋଗରେ ପଡ଼ି ମରିଛି କି ଶିକାରୀ ତାକୁ ହତ୍ୟା କରିଛନ୍ତି ତାର ଖୋଳତାଡ଼ ଆରମ୍ଭ ହୋଇଛି । ହାତୀର ବୟସ ପ୍ରାୟ ୮ ବର୍ଷ ହେବ ବୋଲି ଅନୁମାନ କରାଯାଉଥିଲା ବେଳେ ଗତ ଶୀତ ସମୟରେ ଏହାର ମୃତ୍ୟୁ ହୋଇଥିବା କୁହାଯାଉଛି ।