ସାତଦିନିଆ ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କ ସହ ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତ କରିଛନ୍ତି । ତାଙ୍କ ସହ ଶିଳ୍ପ ମନ୍ତ୍ରୀ, ମୁଖ୍ୟ ସଚିବ, ଶିଳ୍ପ ସଚିବ, ଆଇଟି ସଚିବ, ଆଇପିଆଇସିଓଏଲ ଏମଡି ମଧ୍ୟ ଜାପାନ ଗସ୍ତ କରିଛନ୍ତି । ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ଅଛନ୍ତି । ଟୋକିଓରେ ଅନୁଷ୍ଠିତ ନିବେଶକ ସମ୍ମେଳନରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ସୂଚନା ମିଳିଛି । ଆଇଟି, ଶିଳ୍ପ ପର୍ଯ୍ୟଟନ ଓ କ୍ରୀଡା କ୍ଷେତ୍ର ପାଇଁ ନିବେଶକଙ୍କୁ ସାକ୍ଷାତ କରିବେ । ଏପ୍ରିଲ ୩ ତାରିଖରୁ ୯ ତାରିଖ ଯାଏଁ ମୁଖ୍ୟମନ୍ତ୍ରୀ ଜାପାନରେ ରହିବେ ।
ସୂଚନା ଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କର ଏହି ବିଦେଶ ଗସ୍ତକାଳରେ ଏକାଧିକ କାର୍ଯ୍ୟକ୍ରମ ରହିଛି । ଟୋକିଓ, କ୍ୟୁଟୋ ଏବଂ ଓସାକା ଆଦି ୩ଟି ସହରରେ ବାଣିଜ୍ୟିକ ସମ୍ମିଳନୀ, ସରକାରୀ କାର୍ଯ୍ୟକ୍ରମରେ ସେ ଯୋଗଦେବେ । ମେକ୍ ଇନ୍ ଓଡ଼ିଶା ସମ୍ମେଳନର ଗତ ଦୁଇଟି ସଂସ୍କରଣ (୨୦୧୮ ଏବଂ ୨୦୨୨) ପାଇଁ ଜାପାନ ଏକ କଣ୍ଟ୍ରି ପାର୍ଟନର ରହିଥିଲା । ବିଦେଶୀ ପୁଞ୍ଜି ପାଇଁ ସେ କେତେକ ପ୍ରମୁଖ ନିବେଶକଙ୍କୁ ଭେଟିବା କାର୍ଯ୍ୟକ୍ରମ ଥିବା କୁହାଯାଉଛି । ଜାପାନ ସହ ଅନେକ କ୍ଷେତ୍ରରେ ଓଡ଼ିଶାର ବାଣିଜ୍ୟିକ ସମ୍ପର୍କ ଥିବାରୁ ନିବେଶର ଏକ ବାତାବରଣ ସୃଷ୍ଟି ହୋଇପାରେ । ଜାପାନରେ ନିବେଶକଙ୍କୁ ପେଟ୍ରୋ କେମିକାଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ପ୍ଲାଷ୍ଟିକ, ବୟନଶିଳ୍ପ ଓ ପର୍ଯ୍ୟଟନ ଭଳି କ୍ଷେତ୍ରରେ ଅଧିକ ଆକୃଷ୍ଟ କରିବାକୁ ଉଦ୍ୟମ କରାଯିବା ସମ୍ଭାବନା ରହିଛି । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତବର୍ଷ ଅଗଷ୍ଟ ମାସରେ ଇଟାଲି ଗସ୍ତରେ ଯାଇଥିଲେ । ଫେରିବା ବାଟରେ ଦୁବାଇରେ ନିବେଶକ ସମ୍ମିଳନୀରେ ସେ ଯୋଗ ଦେଇଥିଲେ । ୨୦୦୦ରେ ମୁଖ୍ୟମନ୍ତ୍ରୀ ହେବା ପରେ ଏହା ନବୀନଙ୍କ ତୃତୀୟ ବିଦେଶ ଗସ୍ତ ।

Comments (0)
Add Comment