ନୂଆଦିଲ୍ଲୀ: ଆତଙ୍କବାଦ-ନିରୋଧୀ ଅଭିଯାନ ନିମନ୍ତେ ଜାମ୍ମୁ ଓ କାଶ୍ମୀରରେ କାର୍ଯ୍ୟରତ ‘ସେଂଟ୍ରାଲ୍ ରିଜର୍ଭ ପୋଲିସ ଫୋର୍ସ’ର (ସିଆରପିଏଫ) ସବୁଠୁ ଶକ୍ତିଶାଳୀ ଆତଙ୍କବାଦୀ -ନିରୋଧୀ ୟୁନିଟ୍ ଭେରିି କୁଇକ୍ ଆକ୍ସନ୍ ଟିମ୍’ରେ (ଭେଲି କ୍ୱାଟ୍) ମହିଳା କମାଣ୍ଡୋମାନେ ଯୋଗ ଦେବେ ।
ତାଲିମ ନେଉଥିବା ‘ସିଆରପିଏଫ’ର ବୀରାଙ୍ଗନା ମହିଳାମାନେ ଯଦି ସଫଳତା ହାସଲ କରନ୍ତି, ସେମାନଙ୍କୁ ଏହି ସ୍ୱତନ୍ତ୍ର ୟୁନିଟରେ (ଭେଲି କ୍ୱାଟ) ସାମିଲ କରାଯିବ । ସୁପ୍ରଶିକ୍ଷିତ ଏହି କମାଣ୍ଡୋମାନେ ଭାରତୀୟ ସେନାବାହୀନି ଏବଂ ଜମ୍ମୁ ଓ କାଶ୍ମୀର ପୋଲିସ୍ ସହ ମିଶି କାର୍ଯ୍ୟ କରୁଛନ୍ତି ।
ଭାରତର ସର୍ବୋତମ ଆତଙ୍କବାଦ-ନିରୋଧୀ କମାଣ୍ଡୋମାନଙ୍କ ମଧ୍ୟରେ ସେମାନେ ପରିଗଣିତ । କୀର୍ତିଚକ୍ର ସମ୍ମାନପା୍ରପ୍ତ ରାହୁଲ୍ ମାଥୁର, ସାହସିକତା ପାଇଁ ୭ଥର ପୋଲିସ ପଦକପ୍ରାପ୍ତ ନରେଶ କୁମାର, ୪ଥର ସାହସିକତା ପଦକପ୍ରାପ୍ତ ଲୌକରାକପାମ୍ ଇବୋମ୍ସା ସିଂହ ଏବଂ ଅନ୍ୟ ଦୁଃସାହସୀଙ୍କ ଭଳି ଅଧିକାରୀମାନେ ‘ଭେଲି କ୍ୱାଟ୍’ରେ କାର୍ଯ୍ୟ କରୁଛନ୍ତି । ଗତବର୍ଷ ସ୍ୱାଧୀନତା ଦିବସରେ ‘ଭେଲି କ୍ୱାଟ’କୁ ୧୫ଟି ସୌର୍ଯ୍ୟ ପଦକ ମିଳିଥିଲା । ବିଶେଷସୂତ୍ରରୁ ଜଣାପଡିଛି ଯେ, ‘ଭେଲି କ୍ୱାଟ୍’ରେ ମହିଳା କମାଣ୍ଡୋମାନଙ୍କୁ ସାମିଲ କରାଯିବାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏଥିରେ ଯୋଗ ଦେବାକୁ ଚାହୁଁଥିବା ମହିଳା କର୍ମଚାରୀମାନଙ୍କର ସଂକ୍ଷିପ୍ତ ତାଲିକା ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ।