ଦିନକରେ ୧ଲକ୍ଷ ୮୪ହଜାର ପଜିଟିଭ୍
ନୂଆଦିଲ୍ଲୀ: ଦେଶରେ ୧ଲକ୍ଷ ୮୪ ହଜାର ୩୭୨ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ସମୟ ମଧ୍ୟରେ ୧,୦୨୭ ଜଣଙ୍କ ମୃତ୍ୟୁ ଘଟିଛି । ଗତ ପ୍ରାୟ ୬ ମାସ ପରେ ପ୍ରଥମ ଥର ପାଇଁ ଆଜି ଦୈନିକ ମୃତ୍ୟୁ ସଂଖ୍ୟା ୧୦୦୦ ଡେଇଁଛି ।
୧,୮୪,୩୭୨ଟି ନୂଆ କେସ୍ ସହିତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୩୮ ଲକ୍ଷ ୭୩ ହଜାର ୮୨୫ରେ ପହଞ୍ଚି ଯାଇଛି । ସେମାନଙ୍କ ମଧ୍ୟରୁ ୧କୋଟି ୨୩ ଲକ୍ଷ ୩୬ ହଜାର ୦୩୬ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୧୩ ଲକ୍ଷ ୬୫ ହଜାର ୭୦୪ ଜଣ ଚିିକିତ୍ସାଧୀନ ଅଛନ୍ତି ।
ମହାରାଷ୍ଟ୍ରରେ ଗତ ୨୪ ଘଂଟାରେ ୬୦ ହଜାରରୁ ଅଧିକ ଲୋକ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୮୧ ଜଣଙ୍କ ମୃତ୍ୟୁ ଘଟିଛି । ଦିଲ୍ଳୀରେ ଏହି ସମୟରେ ୧୩,୪୬୮ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ମଧ୍ୟ ପ୍ରଦେଶରେ ୮,୯୯୮, ଗୁୁଜୁରାଟରେ ୬୬୯୦, ପଶ୍ଚିମବଙ୍ଗରେ ୪,୮୧୭ ଓ ବିହାରରେ ୪୧୭୫ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଛତିଶଗଡରେ ୧୫,୧୨୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ଏଯାବତ୍ ୫୩.୨ ଲକ୍ଷ ଲୋକ କରୋନାରେ ଆକ୍ରାନ୍ତ ହୋଇସାରିଥିବା ବେଳେ କେରଳରେ ୧୧.୮ ଲକ୍ଷ, କର୍ଣ୍ଣାଟକ୍ରେ ୯.୯ ଲକ୍ଷ, ଆନ୍ଧ୍ରପ୍ରଦେଶରେ ୮.୮ ଲକ୍ଷ ଓ ତାମିଲନାଡୁରେ ୯.୫ ଲକ୍ଷ ଆକ୍ରାନ୍ତ ହୋଇଛନ୍ତି । ସେହିପରି ଦିଲ୍ଲୀରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭.୫ ଲକ୍ଷ ଅତିକ୍ରମ କରିଯାଇଛି ।
ସେହିପରି ଗତ ୨୪ ଘଂଟାରେ ଆଉ ୧୦୨୭ ଜଣଙ୍କ ମୃତ୍ୟୁ ପରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୭୨ହଜାର ୦୮୫ରେ ପହଞ୍ଚିଛି । ମହାରାଷ୍ଟ୍ରରେ ଏଯାବତ୍ ୫୮.୫୨୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କର୍ଣ୍ଣାଟକ୍ରେ ୧୩,୦୦୮, ତାମିଲନାଡୁରେ ୧୨,୯୪୫ ଓ ଦିଲ୍ଲୀରେ ୧୧,୪୩୬ ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଆଇସିଏମ୍ଆର୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଗତକାଲି ଦେଶରେ ୧୪ ଲକ୍ଷ ୧୧ହଜାର ୭୫୮ଟି ନମୁନା ପରୀକ୍ଷା କରାଯାଇଥିଲା । ଏପ୍ରିଲ୍ ୧୩ ତାରିଖ ସୁଦ୍ଧା ଦେଶରେ ୨୬ କୋଟି ୬ ଲକ୍ଷ ୧୮ ହଜାର ୮୬୬ଟି ନମୁନା ପରୀକ୍ଷା କରାଯାଇଛି । ଅନ୍ୟପକ୍ଷରେ ସାରା ଦେଶରେ ଏଯାବତ୍ ୧୧ କୋଟି ୧୧ଲକ୍ଷ ୭୯ ହଜାର ୫୭୮ଜଣଙ୍କୁ ଟିକା ଦିଆଯାଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।