ସ୍ୱଦେଶୀ କରୋନା ଟିକା କୋଭାକ୍ସିନ ୮୧ % ଫଳପ୍ରଦ

ନୂଆଦିଲ୍ଲୀ: ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର) ଏବଂ ଭାରତ ବାୟୋଟେକ୍ ଇଣ୍ଟରନ୍ୟାସନାଲ ଲିମିଟେଡ (ବିବିଆଇଏଲ୍)ର ମିଳିତ ସହଯୋଗରେ ବିକଶିତ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣରୁ ଅତି ଉତ୍ତମ ସଫଳତା ମିଳିଛି । ଏହା କୋଭିଡ୍-୧୯ ନିରାକରଣ କ୍ଷେତ୍ରରେ ୮୧ ଶତାଂଶ ସଫଳ ହୋଇପାରିବ ବୋଲି ଏହି ପରୀକ୍ଷାରୁ ଜଣାପଡିଛି । କୋଭାକ୍ସିନ ଏବେ ଏକ ମଧ୍ୟବର୍ତ୍ତୀକାଳୀନ ଟିକାଭାବରେ ବିକଶିତ ହୋଇଛି ।
ମଣିଷଙ୍କ ଉପରେ ଏହି ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆଇସିଏମ୍ଆର ଏବଂ ବିବିଆଇଏଲ୍ର ମିଳିତ ଉଦ୍ୟମରେ ୨୦୨୦ ନଭେମ୍ବର ମଧ୍ୟଭାଗରେ କରାଯାଇଥିଲା ଏବଂ ତାହାର ତଥ୍ୟ ଏବେ ପଦାକୁ ଆସିିଛି । ଏହି ପରୀକ୍ଷାରେ ୨୧ଟି ସ୍ଥାନରେ ୨୫୮୦୦ ବ୍ୟକ୍ତିବିଶେଷଙ୍କୁ ଏହି ଟିକା ଦିଆଯାଇ ଏହାର ଦକ୍ଷତା ଓ ଭଲମନ୍ଦ ଅନୁଧ୍ୟାନ କରାଯାଇଥିଲା । ସେଥିରୁ ମିଳିଥିବା ତଥ୍ୟ ଅନୁସାରେ ଏହି ଟିକାର ମଧ୍ୟମାବଧି ଦକ୍ଷତା ୮୧ ଶତାଂଶ । ଏହି ତଥ୍ୟକୁ ଏକ ସ୍ୱାଧୀନ ଡାଟା ସେଫ୍ଟି ଓ ମନିଟରିଂ ବୋର୍ଡ ଅନୁଧ୍ୟାନ କରି ଅନୁମୋଦନ କରିଛି । ଭାରତର ଭେଷଜ ନିୟନ୍ତ୍ରକ ମହାନିର୍ଦେଶକ (ଡିଜିସିଆଇ) ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ସଂସ୍ଥାଦ୍ୱାରା ନିର୍ଦ୍ଧାରିତ ମାନ ଅନୁସାରେ କୋଭାକ୍ସିନର ଏହି ଟିକା ବିଶ୍ୱର ଅନ୍ୟ ପ୍ରମୁଖ କରୋନା ଟିକା ସହିତ ସମାସ୍କନ୍ଧ । ‘ଆରମ୍ଭରୁ ଶେଷ ଯାଏଁ ସଂପୂର୍ଣ୍ଣଭାବେ ଦେଶୀ ବିଦ୍ୟାବୁଦ୍ଧିରେ ପ୍ରସ୍ତୁତ ଏହି ଟିକା ପାଇଁ ୮ ମାସରୁ କମ୍ ସମୟ ଲାଗିଛି । ଏହାଦ୍ୱାରା ଆତ୍ମନିର୍ଭର ଭାରତ ଅଭିଯାନକୁ ଏକ ବିରାଟ ସଫଳତା ମିଳିଛି । ବିଶ୍ୱବ୍ୟାପୀ କରୋନା ବିରୋଧୀ ଲଢେଇ ଚାଲିଥିବାବେଳେ ଭାରତ ସେହି ପ୍ରତିକୂଳ ସ୍ଥିତିକୁ ପ୍ରତିହତ କରି ଏହି ଟିକା ବିକଶିତ କରିବା ସହିତ ବିଶ୍ୱ ଦରବାରରେ ସଗର୍ବେ ଦଣ୍ଡାୟମାନ ହୋଇଛି । ଏହା ମଧ୍ୟ ଭାରତକୁ ବିଶ୍ୱର ଏକ ପ୍ରମୁଖ ଭ୍ୟାକ୍ସିନ ସୁପର ପାୱାରଭାବେ ଭପସ୍ଥାପିତ କରିଛି’ ବୋଲି ଆଇସିଏମ୍ଆରର ମହାନିର୍ଦେଶକ ଡ. ବଳରାମ ଭାର୍ଗବ କହିଛନ୍ତି । କୋଭାକ୍ସିନ ପ୍ରଥମ କୋଭିଡ୍ ଟିକାଭାବେ ସଂପୂର୍ଣ୍ଣଭାବେ ଭାରତରେ ବିକଶିତ ହୋଇଛି । ମାର୍ଚ୍ଚ ୨୦୨୦ରେ ଆଇସିଏମ୍ଆରର ଜାତୀୟ ଭୂତାଣୁ ଗବେଷଣା ପ୍ରତିÂାନରେ ସାର୍ସ-କୋଭ-ଟୁ ଭୂତାଣୁର ପୃଥକୀକରଣ ସଫଳତାର ସହ କରାଯାଇଥିଲା । ଏଥିପାଇଁ ଆଇସିଏମ୍ଆର ବିବିଆଇଏଲ୍ ସହ ଅଂଶୀଦାର ହୋଇ ଅଲଗା ହୋଇଥିବା ଭୂତାଣୁକୁ ବିକଶିତ କରି ଏକ ସଫଳ ଟିକା ତିଆରି କରିବାକୁ କାର୍ଯ୍ୟ ଆରମ୍ଭ କରିଥିଲା । ଇନ୍ଭିଟ୍ରୋ ପରୀକ୍ଷା ଏବଂ ଇଲେକ୍ଟ୍ରନ ମାଇକ୍ରୋସ୍କୋପି ଅନୁଧ୍ୟାନ ମାଧ୍ୟମରେ ମିଳିତଭାବେ ଏହି ଟିକାର ବିକାଶ କରାଯାଇଥିଲା । ମଣିଷଠାରେ ପରୀକ୍ଷାମୂଳକ ପ୍ରୟୋଗ ପୂର୍ବରୁ ଏହି ଟିକାକୁ ପ୍ରଥମେ କ୍ଷୁଦ୍ର ଜୀବ ଓ ମୂଷା ଆଦିଙ୍କ ଉପରେ ପରୀକ୍ଷାମୂଳକଭାବେ ପରୀକ୍ଷା କରାଯାଇଥିଲା । ଏଥିରୁ ଏହାର ନିରାପତ୍ତା ଓ ରୋଗ ପ୍ରତିଷେଧକ ଶକ୍ତି ଜଣାପଡିଥିଲା । ଏହାପରେ ଏହି ଟିକାକୁ ବାନର ଜାତୀୟ ପ୍ରାଣୀଙ୍କ ଉପରେ ପରୀକ୍ଷା କରାଯାଇ ସେଥିରୁ ସଫଳତା ମିଳିଥିଲା । ଏହା ପରେ ମଣିଷଙ୍କ ଦେହରେ ଏହାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା କରାଯାଇଥିଲା । ଏଥିରେ ୭୫୫ ଜଣ ଭାଗ ନେଇଥିଲେ । ଏହାର ନିରାପତ୍ତା ଓ ଦକ୍ଷତା ମଧ୍ୟ ବେଶ୍ ଭଲ ପ୍ରମାଣିତ ହୋଇଥିଲା ।
କୋଭାକ୍ସିନ ଟିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପ୍ରାକ ସର୍ତ୍ତାବଳୀ ଆଧାରରେ ପ୍ରସ୍ତୁତ ହୋଇଛି । ଏହି ସର୍ତ୍ତାବଳୀ ସମଗ୍ର ବିଶ୍ୱ ପାଇଁ ପ୍ରଯୁଜ୍ୟ ; କାରଣ ଏହା ନିରାପଦ ଓ ବିଶ୍ୱସନୀୟ । ଏହି ଟିକା ମଧ୍ୟ ସାର୍ସ-କଭ-ଟୁ ବା କରୋନାର ବି୍ରଟିଶ ପଜାତିକୁ ଦମନ କରିବାରେ ନିକଟରେ ପ୍ରମାଣିତ ହୋଇଛି । ଭାରତ କୋଭାକ୍ସିନ ଟିକା ବିକଶିତ କରି ଏହାକୁ ବ୍ୟବହାର ଉପଯୋଗୀ କରିଥିବାରୁ କରୋନା ବିରୋଧୀ ଲଢେଇରେ ନିଜ ପାଇଁ ଁ ଆଉ ଏକ ଅସ୍ତ୍ର ତିଆରି କରିଛି । କୋଭିଡ୍ ବିରୋଧୀ ଲଢେଇରେ ବିଜୟ ହାସଲ ପାଇଁ ଏହି ଟିକାର ସୁଦୂର ପ୍ରସାରୀ ପ୍ରଭାବ ରହିବ ବୋଲି ଆଇସିଏମ୍ଆରର ମହାମାରୀ ଏବଂ ସଂକ୍ରମିତ ବ୍ୟାଧି ବିଭାଗର ମୁଖ୍ୟ ତଥା ଜାତୀୟ ଏଡ୍ସ ଗବେଷଣା ପ୍ରତିÂାନର କନିର୍ଦେଶକ ଡ. ସମୀରଣ ପଣ୍ଡା କହିଛନ୍ତି ।

Comments (0)
Add Comment