ଭୁବନେଶ୍ୱର : ବାତ୍ୟା ‘ୟସ୍’ ଏବେ ବଙ୍ଗୋପସାଗର ମଧ୍ୟରେ ଉତର-ପଶ୍ଚିମ ଦିଗ ଆଡକୁ ଗତ କରୁଥିଲା ବେଳେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୁପ ନେଇ ସାରିଛି ଏବଂ ସନ୍ଧ୍ୟା ସୁଦ୍ଧା ଏହା ‘ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମ’ ରୁପ ନେବା ସହିତ ବୁଧବାର ଭୋର ସୁଦ୍ଧା ଏହା ଚାନ୍ଦବାଲି ଓ ଧାମରା ମଧ୍ୟରେ ଲ୍ୟାାଣ୍ଡଫଲ କରିବା ଆଶଙ୍କା ଅଧିକ ବୋଲି ଆଇଏମଡି ମହାନିର୍ଦ୍ଦେଶକ ଡଃ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ଏଥିଲାଗି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରୀ କରାଯିବା ସହିତ ପାରାଦ୍ୱୀପ ଓ ଧାମରା ବନ୍ଦରରେ ୧୦ ନମ୍ବର ବିପଦ ସଙ୍କେତ ଟେକା ଯାଇଛି । ଲ୍ୟାଣ୍ଡଫଲ ବେଳେ ୧୫୫ ରୁ ୧୬୫ କିମି ବେଗରେ ପବନ ବୋହିବା ସହିତ ପରବର୍ତୀ ୬ଘଂଟା ମଧ୍ୟରେ ଏହା ୧୮୦ କିମି ବେଗକୁ ବୃଦ୍ଧି ପାଇବା ସମ୍ଭାବନା ରହିଛି । ଅନ୍ୟ ପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ଭାବ୍ୟ ବାତ୍ୟା ନେଇ ଆଜି ସନ୍ଧ୍ୟା ବେଳେ ସମୀକ୍ଷା କରିଥିବା ଜଣାପଡିଛି । ଏହି ସମୀକ୍ଷା ବୈଠକରେ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହା ପୁର୍ବରୁ ସକାଳ ବେଳା ମୁଖ୍ୟ ମନ୍ତ୍ରୀ ଶ୍ରୀ ପଟ୍ଟନାୟକ ‘ୟସ୍’ ରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଅଧିକ ପ୍ରଭାବିତ ହେବା ଆଶଙ୍କା ଥିବାରୁ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ସେଠାରେ କ୍ୟାମ୍ପ ପକାଇ ସ୍ଥିତି ନିରିକ୍ଷଣ ଲାଗି ନିର୍ଦ୍ଦେଶ ଦେଇଥିବା ପ୍ରକାଶ । ବାତ୍ୟା ‘ୟାସ’ ପ୍ରଥମେ ଲଘୁଚାପରୁ ଅବପାତ ରୁପ ନେବା ପରେ ଏବେ ‘ସିଭିୟର ସାଇକ୍ଲୋନିକ ଷ୍ଟର୍ମ’ ରେ ପରିଣତ ହେବା ସହିତ ବିଗତ ୮ଘଂଟା ଧରି ଘଂଟାକୁ ୧୭ କିମି ବେଗରେ ବଙ୍ଗୋପସାଗର ମଧ୍ୟରେ ଉତର-ପଶ୍ଚିମ ଦିଗକୁ ମୁହାଁଉଛି । ଏହା ଏବେ ପାରାଦ୍ୱୀପ ଠାରୁ ୨୮୦କିମି ଓ ବାଲେଶ୍ୱର ଠାରୁ ୩୮୦ କିମି ଏବଂ ପଶ୍ଚିମବଙ୍ଗର ଦୀଘା ଠାରୁ ୩୯୦ କିମି ଦୁରରେ ରହିଛି । ବାତ୍ୟାରେ ବାଲେଶ୍ୱର ଓ ଭଦ୍ରକ ସମେତ ଜଗତସିଂହପୁର, କେନ୍ଦ୍ରପଡା ଓ ଭଦ୍ରକ ସମେତ କଟକ ଓ ପୁରୀ ଅଧିକ ପ୍ରଭାବିତ ହେବା ଆଶଙ୍କା ରହିଛି । କେତେକ ପାଣିପାଗ ବିଶେଷଜ୍ଞ ମଧ୍ୟ ‘ୟସ୍’ ଲ୍ୟାଣ୍ଡଫଲ କରିବା ସହିତ ବାଲେଶ୍ୱରରୁ ମୟୁରଭଞ୍ଜ ଦେଇ ଝାଡଖଣ୍ଡ ଯିବ ବୋଲି ପୁର୍ବାନୁମାନ କରିଛନ୍ତି । ବାତ୍ୟା ଯେତିକି ଘନିଭୁତ ହେଉଛି, ପୁରୀରେ ଶ୍ରୀମନ୍ଦିରକୁ ନେଇ ଏଏସଆଇ ସମୀକ୍ଷା କରିଥିବା ପ୍ରକାଶ । ଏଏସଆଇ ରାଜ୍ୟ ଅଧିକ୍ଷକ ଅରୁଣ ମଲ୍ଲିକ ଆଜି ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ କରିବା ପରେ ମନ୍ଦିର ଭିତରେ ଥିବା ଲୁହା ଭାରାକୁ କାଢିବା ଲାଗି ନିଷ୍ପତି ଗ୍ରହଣ କରିବା ସହିତ ଏହି କାର୍ଯ୍ୟରେ ଜଗମୋହନ ନିକଟସ୍ଥ ଲୁହାଭାରା କାଢିବା ଲାଗି ୩୨ ଜଣଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି । ଳ୍ୟାଣ୍ଡଫଲ ପରେ ଭୁବନେଶ୍ୱର ଓ ପୁରୀରେ ୬୦ରୁ ୭୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି । ପୁରୀରେ ୮ନଂ ଓ ଗୋପାଳପୁରରେ ୩ନଂ ବିପଦ ସଙ୍କେତ ଟେକା ଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ଜେନା କହିବା ଅନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତର କାର୍ଯ୍ୟ ସମାପ୍ତ ହେବ । ମ୍ମାହ୍ନ ସୁଦ୍ଧା ୬୦ ହଜାର ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ପୁର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଏହି ବାତ୍ୟା ପ୍ରଭାବରେ ଉତର, ଦକ୍ଷିଣ ଓ ପୁର୍ବ ଓଡିଶାର ବିଭିନ୍ନ ଜିଳ୍ଲାରେ ବର୍ଷା ଜାରୀ ରହିଛି । ବୁଧବାର ଭୋର ବେଳା ‘ୟସ୍’ ସ୍ଥଳଭାଗ ଛୁଉଁ ଥିବାରୁ ଆଜି ଅର୍ଦ୍ଧରାତ୍ରରୁ ଅର୍ଥାତ ରାତି ୧୨ଟାପରେ ଲ୍ୟାଣ୍ଡଫଲର ୬ଘଂଟା ପୁର୍ବରୁ ଅଚାନକ ବର୍ଷା ଓ ପବନର ଗତି ଅହେତୁକ ଭାବେ ବଢିଯିବା ସମ୍ଭାବନା ରହିଛି । ସେଥିଯୋଗୁଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗ, ଆସାମ ଓ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସହିତ ଏଥିନେଇ ଆଲୋଚନା କରିଛନ୍ତି । ଅନ୍ୟ ପକ୍ଷରେ ଦଳୀୟ ଏମପି ଓ ଏମଏଲଏମାନେ ବାତ୍ୟାଜନିତ ରିଲିଫ କାର୍ଯ୍ୟ କରିବା ଲାଗି ଏକ ଭିଡିଓ କନଫରେନ୍ସିଂରେ କହିଛନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ଦଳୀୟ କର୍ମକର୍ତାମାନେ ଏଥିରେ ସହଯୋଗର ହାତ ବଢାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୁଚନା ଅନୁଯାୟୀ ବାଲେଶ୍ୱରରୁ ସ୍ଥାନାନ୍ତରଣ ପ୍ରକ୍ରିୟା ଜୋରସୋର ଆରମ୍ଭ ହୋଇଛି । କେନ୍ଦ୍ରାପଡା, ଭଦ୍ରକ, ଜଗତସିହପୁରରେ ମଧ୍ୟ ଆସନ୍ତା କାଲି ଅତ୍ୟଧିକ ବର୍ଷା ହେବା ନେଇ ସତର୍କକା ଜାରୀ କରାଯାଇଛି । ସମୁଦ୍ର ଜୁଆରିଆ ଥିବାରୁ ଏବଂ ଆସନ୍ତା କାଲି ପୁର୍ଣ୍ଣିମା ସହିତ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଜୁଆରର ବେଗରୁ ନେଇ ଲୋକେ ଆତଙ୍କିତ ଥିବାବେଳେ ପ୍ରଶାସନ ପକ୍ଷରୁ ଏଥିପ୍ରତି ସମୁଚିତ ଧ୍ୟାନ ଦିଆଯାଇଛି । ‘ଦି ସେଲୁଲାର ଅପରେଟର୍ସ ଆସୋସିଏସନ ଅଫ ଇଣ୍ଡିଆ’ ପକ୍ଷରୁ ରିଲାଏନ୍ସ, ଜିଓ, ଏୟାରଟେଲ ଓ ଭୋଡାଫୋନ ଆଦି ବାତ୍ୟା ବେଳେ ଫୋନ ଯୋଗାଯୋଗ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହେଲେ ଖୁବ୍ ଶୀଘ୍ର ଓଡିଶା ଓ ପଶ୍ଚିମବଙ୍ଗରେ ଏହାକୁ କାର୍ଯ୍ୟକାରୀ କରିବା ଲାଗି ନିଷ୍ପତି ନେଇଛନ୍ତି ।