ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶିତ

ଟପ୍ପର ୧୦ଜଣଙ୍କ ମଧ୍ୟରୁ ୬ ଝିଅ : ଈଶିତା କିଶୋର ଆଗରେ

ନୂଆଦିଲ୍ଲୀ : କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସସି) ପକ୍ଷରୁ ମଙ୍ଗଳବାର ସିଭିଲ ସର୍ଭିସ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଛି । ୟୁପିଏସସିର ଅଫିସିଆଲ ୱେବସାଇଟରେ ରେଜଲ୍ଟ ଉପଲବ୍ଧ । ଏହି ପରୀକ୍ଷାରେ ଝିଅଙ୍କ କମାଲ୍ ଦେଖିବାକୁ ମିଳିଛି । ଟପ୍-୧୦ଜଣଙ୍କ ମଧ୍ୟରେ ରହିଛନ୍ତି ୬ଜଣ ଝିଅ । ଈଶିତା କିଶୋର ସିଭିଲ ସର୍ଭିସ ପରୀକ୍ଷାରେ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ଗରିମା ଲୋହିଆ, ତୃତୀୟ ସ୍ଥାନରେ ଉମା ହରାତି ଏନ୍ ଓ ଚତୁର୍ଥ ସ୍ଥାନରେ ସ୍ମୃତି ମିଶ୍ରା ରହିଛନ୍ତି । ଏହି ସୂଚୀରେ ଓଡ଼ିଶାରୁ ୩୮ତମ ସ୍ଥାନରେ ଅନୁପ ଦାସ୍, ୪୨ତମ ସ୍ଥାନରେ ପ୍ରଣିତା ଦାସ୍, ୫୮- ଦୀକ୍ଷିତା ଯୋଶୀ, ୬୬ସ୍ଥାନରେ କ୍ରିତିକା ମିଶ୍ର, ୬୭ସ୍ଥାନରେ କସ୍ତୁରୀ ପଣ୍ଡା, ୭୩ସ୍ଥାନରେ ପଲ୍ଲବୀ ମିଶ୍ର, ୯୭ସ୍ଥାନରେ ପ୍ରଶାନ୍ତ ରାଜ, ୧୦୬ସ୍ଥାନରେ ସିଦ୍ଧାର୍ଥ ମିଶ୍ର , ୧୩୬ସ୍ଥାନରେ ସୌମ୍ୟରଂଜନ ଦାସ, ୧୪୦ସ୍ଥାନରେ ସୋନାଲି ମିଶ୍ର, ୧୬୨ସ୍ଥାନରେ ଦୁର୍ଗା ପ୍ରସାଦ ଅଧିକାରୀ, ୨୬୧ସ୍ଥାନରେ ସତ୍ୟ ପ୍ରକାଶ ମିଶ୍ର , ୩୬୩ସ୍ଥାନରେ ଦିବ୍ୟା ଜୈନ୍, ୫୧୬- ତେଜସ୍ୱିନୀ ବେହେରା ରହିଛନ୍ତି । ଅନ୍ତିମ ଫଳାଫଳରେ ନିଯୁକ୍ତି ପାଇଁ ମୋଟ ୯୩୩ ପ୍ରାର୍ଥୀଙ୍କୁ ଚୟନ କରାଯାଇଥିବା ଜଣାପଡ଼ିଛି । ସେଥିମଧ୍ୟରୁ ୩୪୫ ପରୀକ୍ଷାର୍ଥୀ ଜେନେରାଲ, ୯୯ ପରୀକ୍ଷାର୍ଥୀ ଇଡବ୍ଲୁଏସ, ୨୬୩ପରୀକ୍ଷାର୍ଥୀ ଓବିସି, ୧୫୪ପରୀକ୍ଷାର୍ଥୀ ଏସସି ଏବଂ ୭୨ପରୀକ୍ଷାର୍ଥୀ ଏସଟି ବର୍ଗର । ଏହା ସହ ୧୭୮ପ୍ରାର୍ଥୀଙ୍କ ଏକ ରିଜର୍ଭ ତାଲିକା ପ୍ରସ୍ତୁତ କରାଯାଇଥିବା ବେଳେ ୧୮୦ ଜଣ ଆଇଏଏସ, ୩୮ ଜଣ ଆଇଏଫଏସ ଏବଂ ୨୦୦ ଜଣ ଆଇପିଏସ ଭାବେ କୃତକାର୍ଯ୍ୟ ହୋଇଛନ୍ତି ।

Comments (0)
Add Comment