୨୦୨୪ ନିର୍ବାଚନ : ୪୫ରୁ ଅଧିକ ବିଶାଳ ରାଲି କରିବେ ମୋଦୀ

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏକ ସ୍ୱତନ୍ତ୍ର ପ୍ରଚାର ଅଭିଯାନ ଆରମ୍ଭ କରିବାପାଇଁ ନିଷ୍ପତ୍ତି ନେଇଛି । ୨୦୧୯ ଲୋକସଭା ନିର୍ବାଚନରେ ଦଳ ହାରିଥିବା ୧୬୦ ଟି ଲୋକସଭା ଆସନ ପାଇଁ ବିଜେପି ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଏହି ନିର୍ବାଚନମଣ୍ଡଳୀ ଗୁଡ଼ିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪୫ରୁ ଅଧିକ ମେଗା ରାଲି କରିବେ । ବିଜେପି ଜାତୀୟ ସଭାପତି ଜେପି ନଡ୍ଡା ଏଥିପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଉକ୍ତ ରାଲି ଗୁଡ଼ିକର ପ୍ରସ୍ତୁତି ପାଇଁ ବିଜେପି ଏହାର ୩ ଜାତୀୟ ସାଧାରଣ ସଚିବ ସୁନୀଲ ବନସଲ, ବିନୋଦ ତାୱଡେ଼ ଏବଂ ତରୁଣ ଚୁଘଙ୍କୁ ଦାୟିତ୍ୱ ଦେଇଛି । ଏହିି ୧୬୦ଟି ଆସନରେ ମୋଦୀ ୪୫ରୁ ୫୫ଟି ରାଲି କରିବେ । ଉକ୍ତ ଲୋକସଭା ଆସନ ଗୁଡ଼ିକୁ ବିଭିନ୍ନ କ୍ଲଷ୍ଟରରେ ବିଭକ୍ତ କରାଯାଇଛି । ପ୍ରତି କ୍ଲଷ୍ଟରରେ ୪ଟି ଆସନ ରହିଛି । ଏହି ଆସନକୁ ମଧ୍ୟ ୨ ଭାଗରେ ବିଭକ୍ତ କରାଯାଇଛି । ପ୍ରତିଟି ଭାଗରେ ୮୦ ଆସନ ରହୁଛି । ପ୍ରଥମ ୮୦ ଆସନରେ ନଡ୍ଡା ରାଲି କରିବେ ଏବଂ ଅନ୍ୟ ୮୦ ଆସନରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ରାଲି ଓ ବୈଠକ କରିବେ ।
ବରିଷ୍ଠ ନେତାମାନଙ୍କ ବୈଠକ ଏବଂ ରାଲି ଦ୍ୱାରା ଉକ୍ତ ୧୬୦ ଆସନରେ ବିଜେପି ସପକ୍ଷରେ ଭଲ ଭୋଟ୍ ମିଳିବ ବୋଲି ବିଶ୍ୱାସ କରାଯାଉଛି । ଲଗାତାର ତୃତୀୟ ଥର ପାଇଁ ୨୦୨୪ ଲୋକସଭାରେ ବିଜେପି କ୍ଷମତାକୁ ଫେରିବାପାଇଁ ଚେଷ୍ଟା ଜାରି ରଖିଛି । ୧୬୦ ଆସନରେ ପ୍ରଥମ ପର୍ଯ୍ୟାୟ ପ୍ରଚାର ଶେଷ କରିବାପରେ ଦଳ ଦେଶର ଅନ୍ୟ ୩୮୩ ଆସନରେ ମଧ୍ୟ ପ୍ରଚାର କରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବରିଷ୍ଠ ନେତାମାନେ ଉକ୍ତ ଆସନ ଗୁଡ଼ିକରେ ରାଲି କରିବେ । ଉଲ୍ଲେଖଯୋଗ୍ୟ ଯେ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ୩୦୩ ଆସନରେ ଜିତିଥିଲା । ୨୦୨୪ ଲୋକସଭା ନିର୍ବାଚନରେ ଏହା ୪୦୦ରୁ ଅଧିକ ଆସନରେ ଜିତିବା ନେଇ ଲକ୍ଷ୍ୟ ରଖିଛି । ବିଜେପିର ଯୋଜନା ମୁତାବକ କେନ୍ଦ୍ରମନ୍ତ୍ରୀ ଏବଂ ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତାମାନେ ଉକ୍ତ ୧୬୦ ଲୋକସଭା ନିର୍ବାଚନମଣ୍ଡଳିକୁ ଗସ୍ତ ଆରମ୍ଭ କରି ସାରିଛନ୍ତି ।

Comments (0)
Add Comment