ବ୍ରଜରାଜନଗର: ବ୍ରଜରାଜନଗର ଥାନା ଅନ୍ତର୍ଗତ ଚାନ୍ଦନୀ ଚୌକ ଅଞ୍ଚଳର ଏକ ଭଡା ଘରୁ ପୋଲିସ୍ ୫୭ ହଜାର ଟଙ୍କା ଜାଲ୍ ନୋଟ୍ ଜବତ କରିବା ସହିତ ଏହି ଘଟଣାରେ ଜଣେ ରେଳବାଇ ଅଧିକାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ରମଣ କୁମାର ରଜକ । ରମଣ ବ୍ରଜରାଜନଗର ରେଳ ଷ୍ଟେସନରେ ବରିଷ୍ଠ ବାଣିଜ୍ୟ ତଥା ଆରକ୍ଷଣ କିରାଣୀ ଭାବେ କାର୍ଯ୍ୟରତ ଥିବା ବେଳେ ସେ ମଧ୍ୟପ୍ରଦେଶ ସହଡୋଲର ମୂଳ ବାସିନ୍ଦା ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ବ୍ରଜରାଜନଗର ପୋଲିସ୍ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରମଣ ରଜକ ରହୁଥିବା ଭଡା ଘରେ ଚଢାଉ କରିଥିଲା । ଚଢାଉ ବେଳେ ପୋଲିସ୍ ଏକ କଳା ବ୍ୟାଗ୍ରେ ୧୧୪ଟି ୫୦୦ ଟଙ୍କିଆ ଜାଲ୍ ନୋଟ୍ ଜବତ କରିଥିଲା । ୧୧୪ଟି ଜାଲ୍ ନୋଟ୍ ମଧ୍ୟରେ ୫୨ଟି ୫ପିବି ୪୧୭୭୮୪ ଓ ୬୨ଟିି ୮ଟିଏନ୍ ୧୫୭୨୧୦ ସମାନ ନମ୍ବରର ୫୦୦ ଟଙ୍କିଆ ରହିଛି । ସେପଟେ ଛତିଶଗଡ ରାଜ୍ୟର ବିଳାସପୁର-ଦୁର୍ଗ ଅଞ୍ଚଳରେ ରହୁଥିବା ଜଣେ ସମ୍ପର୍କୀୟ ଭାଇଙ୍କଠାରୁ ୨୦ ହଜାର ଟଙ୍କା ବଦଳରେ ୫୭ହଜାର ଟଙ୍କା ଜାଲ୍ ନୋଟ୍ ଆଣିଥିବା ରମଣ ପୋଲିସ୍କୁ କହିଥିବା ସୂଚନା ମିଳିଛି । ତେବେ କେତେଦିନ ଧରି ଜାଲ୍ ନୋଟ୍ କାରବାର ଚାଲିଥିଲା ଓ ଏଥିରେ ଅନ୍ୟ କେଉଁମାନେ ସାମିଲ୍ ଅଛନ୍ତି ଏହାକୁ ନେଇ ପୋଲିସ୍ ତଦନ୍ତ କରୁଛି ।