୬୩,୩୦୩ ପ୍ରାଥମିକ ଶିକ୍ଷକ ପାଇବେ ପଦୋନ୍ନତି

ଭୁବନେଶ୍ୱର: ରାଜ୍ୟରେ ୬୩,୩୦୩ ଜଣ ପ୍ରାଥମିକ ଶିକ୍ଷକ ପଦୋନ୍ନତି ପାଇବେ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ଶିକ୍ଷକମାନଙ୍କ ପଦୋନ୍ନତି ପାଇଁ ଆବଶ୍ୟକ ରେସିଡେନ୍ସି ପିରିଅଡକୁ କମ୍ କରାଯାଇଛି । ଏହା ସହିତ ଉଚ୍ଚପ୍ରାଥମିକ ସ୍ତରରେ ଖାଲି ପଡିଥିବା ବିଭିନ୍ନ ବିଷୟର ଶିକ୍ଷକ ପଦବୀ ପୂରଣ ହେବ ଏବଂ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍ତରରେ ପ୍ରଧାନ ଶିକ୍ଷକ ପଦବୀ ଗୁଡ଼ିକ ମଧ୍ୟ ପୂରଣ ହୋଇପାରିବ ।
ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ଦ୍ୱାରା ୫(ଏ) ସ୍ତରରେ ଥିବା ୨୯,୭୫୯ ଜଣ ସହକାରୀ ଶିକ୍ଷକ ୫(ବି) ସ୍ତରକୁ ପଦୋନ୍ନତି ପାଇବେ ଏବଂ ୫(ବି) ସ୍ତରରେ ଥିବା ୨୯,୭୫୯ ଜଣ ବରିଷ୍ଠ ଶିକ୍ଷକ ତୁରନ୍ତ ଲେଭେଲ-୪ କୁ ପଦୋନ୍ନତି ପାଇବେ । ଏହାସହିତ ଲେଭେଲ-୪ ରେ ଥିବା ୩୭୮୫ ଜଣ ପ୍ରଧାନ ଶିକ୍ଷକ ସେପ୍େଟମ୍ବର ମାସ ସୁଦ୍ଧା ଲେଭେଲ-୩ କୁ ପଦୋନ୍ନତି ପାଇବେ । ଲେଭେଲ ୫(ବି) ରେ ଥିବା ସହକାରୀ ଶିକ୍ଷକମାନଙ୍କ ପାଇଁ ରେସିଡେସନ୍‌ସି ପିରିଅଡକୁ ଏକ ବର୍ଷରୁ ୬ ମାସ କରାଯାଇଥିବା ବେଳେ, ଲେଭେଲ-୪ ରୁ ଲେଭେଲ-୩ କୁ ପଦୋନ୍ନତି ପାଇବା ପାଇଁ ରେସିଡେନସି ପିରିଅଡର ସୀମା ୨ ବର୍ଷରୁ ୧ ବର୍ଷକୁ ହ୍ରାସ କରାଯାଇଛି ।
ସୂଚନାଯୋଗ୍ୟ ଯେ ୨୦୧୯ରେ ପ୍ରାଥମିକ ଶିକ୍ଷକ ମାନଙ୍କ କ୍ୟାଡରର ପୁନର୍ଗଠନ କରାଯାଇ ଲେଭେଲ-୪ ରେ ୨୧,୪୬୩ ଶିକ୍ଷକ ପଦବୀ ସ୍ଥାନରେ ୫୧,୧୬୪ ଟି ପଦବୀ ସୃଷ୍ଟି କରାଯାଇଥିଲା ଏବଂ ଲେଭେଲ-୩ ରେ ଥିବା ୯୩୦୫ ଟି ପଦବୀ ସ୍ଥାନରେ ୧୮,୭୬୯ ଶିକ୍ଷକ ପଦବୀ ସୃଷ୍ଟି କରାଯାଇଥିଲା । ଖାଲି ପଡିଥିବା ଶିକ୍ଷକ ପଦବୀ ଗୁଡିକ ତୁରନ୍ତ ପୂରଣ କରିବା ଏବଂ ଶିକ୍ଷକମାନଙ୍କୁ ପଦୋନ୍ନତି ଦେବା ପାଇଁ ବିଭିନ୍ନ ପ୍ରାଥମିକ ଶିକ୍ଷ ସଂଘ ଦିର୍ଘ ଦିନରୁ ଦାବି କରି ଆସୁଥିଲା । ଏବେ ୬୩,୩୦୩ଜଣ ପ୍ରାଥମିକ ଶିକ୍ଷକଙ୍କୁ ପଦୋନ୍ନତି ଦେବା ପାଇଁ ରାଜ୍ୟସରକାରଙ୍କ ନିଷ୍ପତିକୁ ରାଜ୍ୟ ପ୍ରାଥମିକ ଶିକ୍ଷକ ମହାସଂଘ ଓ ଶିକ୍ଷକ ନେତା ମାନେ ସ୍ୱାଗତ କରିଛନ୍ତି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପଦୋନ୍ନତି ପାଇବାକୁ ଯାଉଥିବା ସବୁ ଶିକ୍ଷକ ମାନଙ୍କୁ ଅଭିନନ୍ଦନ ଜଣାଇବା ସହ ଗୁଣାତ୍ମକ ଶିକ୍ଷାଦାନ ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମର ସଫଳତାରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।
ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ସ୍ତରରେ ଶିକ୍ଷକ ଅଭାବ ପୂରଣ ହେବା ଦ୍ୱାରା ପ୍ରାଥମିକ ବିଦ୍ୟାଳୟଗୁଡ଼ିକର ପରିଚାଳନାରେ ଉନ୍ନତି ଆସିବା ସହିତ ଶୈକ୍ଷିକ ପରିବେଶରେ ମଧ୍ୟ ଉନ୍ନତି ଆସିପାରିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୃଢ ଆଶାପ୍ରକାଶ କରିଛନ୍ତି ।

Comments (0)
Add Comment