୮୮ ବର୍ଷରେ ଓଡ଼ିଆ ସିନେମା

ଭୁବନେଶ୍ୱର : ୨୦୨୨ ମସିହା ସରୁ ସରୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନୂତନ ସୂର୍ୟୋଦୟର ଆଶା ସୃଷ୍ଟି ହେଲା । ‘ଦମନ’ ରେକର୍ଡ ପରେ ରେକର୍ଡ ଭାଙ୍ଗି ପାଖାପାଖି ୫ କୋଟି ଟଙ୍କା ଆୟ କଲା । ଖାଲି ବ୍ୟବସାୟିକ ଦୃଷ୍ଟିରୁ ନୁହେଁ, ସିନେ ସମୀକ୍ଷକ ହୁଅନ୍ତୁ ବା ଦର୍ଶକ; ସମସ୍ତେ ଏହି ଚଳଚ୍ଚିତ୍ରର ପ୍ରଶଂସା କଲେ । ହିନ୍ଦୀ ଭାଷାରେ ଚଳଚ୍ଚିତ୍ର ଡବିଂ ହେଲା । ପରେ ପରେ ଆସିଲା ଚଳଚ୍ଚିତ୍ର ‘ପ୍ରତୀକ୍ଷା’ । ଏକ ମଧ୍ୟବିତ୍ତ ପରିବାରର କାହାଣୀକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ନିଜ ଘରର କଥା ଭଳି ଲାଗିଲା । ଚଳଚ୍ଚିତ୍ର ହଲରେ ପ୍ରାୟ ୩ ମାସ ଧରି ଚାଲିଲା । ଦୁଇ ଦୁଇଟି ଚଳଚ୍ଚିତ୍ରର ଏଭଳି ସଫଳତା ପରେ ଓଡ଼ିଆ ଦର୍ଶକ ଆଶ୍ୱସ୍ତ ହେଲେ ଓ ପୁଣି ଓଡ଼ିଆ ଚଳଚ୍ଚିତ୍ର ଅଣ୍ଟା ସଳଖିବ ବୋଲି ଆଶା ସୃଷ୍ଟି ହେଲା । ଏହା ଭିତରେ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି । ଚର୍ଚ୍ଚାକୁ ବି ଆସିଛି । କିନ୍ତୁ ଅଧିକ ଦିନ ହଲରେ ରହିପାରିନି କି ଦର୍ଶକଙ୍କୁ ଟାଣିବାରେ ସକ୍ଷମ ହୋଇନି । ଗତ କିଛି ବର୍ଷ ହେଲା ବିପର୍ଯ୍ୟସ୍ତ ଏହି ଶିଳ୍ପକୁ କ’ଣ ମାତ୍ର ଦୁଇଟି ଚଳଚ୍ଚିତ୍ର ଉଠାଇ ପାରିବ କମ୍ ବଜେଟ୍, ଅଭିଜ୍ଞ ଅଭିନେତା ଓ ତାରକା ଚେହେରାର ଅଭାବ, ପ୍ରଶିକ୍ଷଣର ଅଭାବ ଆଦି ଓଡ଼ିଆ ଚଳଚ୍ଚିତ୍ର ଜଗତର ଉତ୍ଥାନରେ ପ୍ରତିବନ୍ଧକ ସାଜିଛି । ଆଜି ଓଡ଼ିଆ ଚଳଚ୍ଚିତ୍ର ଜଗତ ୮୮ ବର୍ଷରେ ପଦାର୍ପଣ କରୁଥିଲା ବେଳେ ଏସବୁ ଦିଗକୁ ଗୁରୁତ୍ୱର ସହ ନେବା ଆବଶ୍ୟକ ବୋଲି ମତପ୍ରକାଶ ପାଉଛି ।
ଓଡ଼ିଆ ଚଳଚ୍ଚିତ୍ରର ବଜେଟ ଏବେ କରୋନା ପରେ ଅଧାକୁ ଖସିଯାଇଛି । କରୋନା ପୂର୍ବରୁ ଏକ ଚଳଚ୍ଚିତ୍ର ନିର୍ମାଣର ବଜେଟ ୧ କୋଟିରୁ ଦେଢ଼ କୋଟି ଟଙ୍କା ରହୁଥିଲା । ଏବେ ତାହା ଖସି ୬୦ରୁ ୭୦ ଲକ୍ଷକୁ ପହଞ୍ଚିଛି । ସବୁଠାରୁ ବଡ଼ କଥା ହେଉଛି, ବଜେଟ ଏତେ କମ୍ ହୋଇଥିଲେ ସୁଦ୍ଧା ବଜେଟ୍ର ପ୍ରାୟ ୨୫ରୁ ୩୦% ଚଳଚ୍ଚିତ୍ରର ହିରୋ/ ହିରୋଇନ୍ମାନେ ନେଇଯାଉଛନ୍ତି । ଅବଶିଷ୍ଟ ୭୦%ରେ ନିଦେ୍ର୍ଧଶକ, ଅନ୍ୟାନ୍ୟ କଳାକାର, ଗୀତିକାର, ସଙ୍ଗୀତ ନିଦେ୍ର୍ଧଶକ, କଣ୍ଠଶିଳ୍ପୀ, ଟେକ୍ନିକାଲ୍ ଟିମ୍, ସମ୍ପାଦନା ଟିମ୍ ସହ ପ୍ରଚାରପ୍ରସାର ଆଦି କରିବାକୁ ପଡ଼ୁଛି । ଫଳରେ ଅଧିକ ଟଙ୍କା ପ୍ରଚାରପ୍ରସାରରେ ବ୍ୟବହୃତ ହୋଇପାରୁନାହିଁ । ତେଣୁ ବଜେଟର ଏକ ଅସନ୍ତୁଳନ ଦେଖିବାକୁ ମିଳିଛି । ଅନ୍ୟପଟେ ଏତେ ଟଙ୍କା ନେଇଥିଲେ ସୁଦ୍ଧା ଅଧିକାଂଶ କଳାକାର ଚଳଚ୍ଚିତ୍ରର ପ୍ରଚାର/ପ୍ରସାରରେ ସାମିଲ ହେଉନାହାନ୍ତି । ଫଳରେ ଚଳଚ୍ଚିତ୍ର ସମ୍ପର୍କରେ ଦର୍ଶକମାନେ ଅଧିକ ରୁଚି ନେଉନାହାନ୍ତି । ଚଳଚ୍ଚିତ୍ରର ମେରୁଦଣ୍ଡ କାହାଣୀ ହୋଇଥିବା ବେଳେ କାହାଣୀକାରମାନଙ୍କୁ ଅତି ନଗଣ୍ୟ ପାରିଶ୍ରମିକ ମିଳୁଛି । ଫଳରେ ଭଲ କାହାଣୀ କେହି ଦେବାକୁ ଚାହୁନାହାନ୍ତି । ସୂଚନାଯୋଗ୍ୟ, କରୋନା ପୂର୍ବରୁ ଚଳଚ୍ଚିତ୍ର ଜଗତ ଦୁଃସ୍ଥିତି ଦେଇ ଗତି କରୁଥିଲେ ସୁଦ୍ଧା କିଛି ସିନେମାର ବଜେଟ୍ ୨ କୋଟି ବି ଛୁଇଁ ଯାଉଥିଲା ।ଏଥିସହ ପ୍ରଶିକ୍ଷଣର ଅଭାବ ମଧ୍ୟ ଓଡ଼ିଆ ଚଳଚ୍ଚିତ୍ରର ବିପର୍ଯ୍ୟସ୍ତର ଅନ୍ୟ ଏକ କାରଣ ବୋଲି ଏଥିରେ ସଂପୃକ୍ତ ବ୍ୟକ୍ତିମାନେ ମତ ଦେଇଛନ୍ତି । ପଡେ଼ାଶୀ ରାଜ୍ୟ ପଶ୍ଚିମବଙ୍ଗ ହେଉ ଅବା ଦକ୍ଷିଣୀ ରାଜ୍ୟଗୁଡ଼ିକରେ ଘରୋଇ ହେଉ ବା ସରକାରୀ ଚଳଚ୍ଚିତ୍ରରେ ଅଭିନୟ ପ୍ରଶିକ୍ଷଣ ପାଇଁ ବିଭିନ୍ନ ଅନୁଷ୍ଠାନ ରହିଛି । ସେହିଭଳି ଜାତୀୟସ୍ତରରେ ‘ଫିଲ୍ମ ଆଣ୍ଡ୍ ଟେଲିଭିଜନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ’ ଓ ‘ଇଣ୍ଡିଆନ୍ ଫିଲ୍ମ ଇନ୍ଷ୍ଟିଚ୍ୟୁଟ୍’ ଭଳି ବହୁ ସଂସ୍ଥା ରହିଛି । କିନ୍ତୁ ଓଡ଼ିଶାରେ ସରକାରୀସ୍ତରରେ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଗୋଟିଏ ବି ସଂସ୍ଥା ଏ ଯାଏ ଗଠନ ହୋଇପାରିନାହିଁ ।

Comments (0)
Add Comment