ମହାପ୍ରଭୁଙ୍କ ଚିତାଲାଗି ଅମାବାସ୍ୟା

ମହାପ୍ରଭୁଙ୍କ ଚିତାଲାଗି ଅମାବାସ୍ୟା
ପୁରୀ- ଶ୍ରୀଜୀଉଙ୍କ ଚିତାଲାଗି ଅମାବାସ୍ୟା । ଏହି ଦିନ ମହାପ୍ରଭୁ ସ୍ୱର୍ଣ୍ଣଚିତା ଲାଗି ହୋଇଥିନ୍ତି । ଚିତାଲାଗି ଅମାବାସ୍ୟାରେ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀ ଖଟ ଶେଜ ଘରକୁ ବିଜେ କରିଥାନ୍ତି । ଏହା ପରେ ମହାପ୍ରଭୁଙ୍କ ମଇଲମ ହୋଇ ଜୟବିଜୟ ଦ୍ୱାର ବନ୍ଦ ହୋଇଥିଏ । ପରେ ପତି ମହାପାତ୍ର୍ର, ବାଡଗ୍ରାହୀ ଦଇତାମାନେ ରତ୍ନ ସିଂହାସନରେ ଅଧିଷ୍ଠିତ ଶ୍ରୀଜିଉଙ୍କର ଚିତା ଲାଗି କାର୍ଯ୍ୟ କରିଥାନ୍ତି । ତିନୋଟି ସ୍ୱର୍ଣ୍ଣ ଚିତା ଶ୍ରୀଜିଉମାନଙ୍କ କପାଳର ଶୀର୍ଷ ଭାଗରେ ଲଗାଯାଇଥିଏ । ଶ୍ରୀବଳଭଦ୍ରଙ୍କ ଚିତା ମଝିରେ ଏକ ବଡ ମର୍କତ ପଥର ରହିଛି । ଏହାର ଚାରି ପଟେ ପାଂଚଟି ବେଢାରେ ଲାଗିଛି ମାଣିକ, ହୀରା, ମର୍କତ ଓ ନୀଳ ପଥର । ସେହିପରି ଶ୍ରୀଜଗନ୍ନାଥଙ୍କ ସ୍ୱର୍ଣ୍ଣଚିତା ମଝିରେ ରହିଛି ହୀରା । ଚିତାର ୭ ଟି ବେଢାରେ ମାଣିକ, ହୀରା, ପାନ୍ନା ଖଞ୍ଜା ହୋଇଛି । ସପ୍ତମ ବେଢାର ଶୀର୍ଷରେ ପାନପତ୍ର ଆକୃତିର ଏକ ହୀରା ରହିଛି । ଯାହାକୁ ବ୍ରହ୍ମଜ୍ୟୋତି ହୀରା କୁହାଯାଏ । ଦେବୀ ସୁଭଦ୍ରାଙ୍କ ଚିତା ମଝିରେ ଏକ ବଡ ମାଣିକ ପଥର ରହିଛି ।

Comments (0)
Add Comment