କରୋନା କାଳରେ ବ୍ୟାଙ୍କ ଲାଭ ୧ ଲକ୍ଷ କୋଟି!

ନୂଆଦିଲ୍ଲୀ: ମହାମାରୀ କରୋନା ପ୍ରଭାବରେ ଦେଶର ଅର୍ଥ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇପଡିବା ସହ ଅଭିବୃଦ୍ଧିହାର ନିମ୍ନଗାମୀ ହୋଇଥିଲା ବେଳେ ଦେଶର ବ୍ୟାଙ୍କ ଗୁଡିକ କିନ୍ତୁ ଲାଭରେ ରହିଥିବା ଏକ୍ ରିପୋର୍ଟରୁ ଜଣାଯାଇଛି । ରିପୋର୍ଟରେ କୁହାଯାଇଛି ଯେ, ଦେଶରେ ଥିବା ବ୍ୟାଙ୍କଗୁଡ଼ିକ ୨୦୨୦ରେ ୧ ଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି । ୨୦୧୯ରେ ଲାଭ ହୋଇଥିଲା ମାତ୍ର ୫ ହଜାର କୋଟି ଟଙ୍କା । ମିଳିଥିବା ସୂଚନା ଅନୁଯାୟୀ ଦୁଇଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଛାଡ଼ିଦେଲେ ବାକି ସମସ୍ତ ବ୍ୟାଙ୍କ ୨୦୧୯ ତୁଳନାରେ ଅଧିକ ଲାଭ କରିଛନ୍ତି । ଏଚଡିଏଫସି ସର୍ବାଧିକ ଲାଭ କରିଥିବା ବେଳେ ଦ୍ୱିତୀୟରେ ରହିଛି ଏସବିଆଇ ଓ ତୃତୀୟରେ ଆଇସିଆଇସିଆଇ ବ୍ୟାଙ୍କ ରହିଛି ।
୨୦୨୦ରେ ଏଚଡିଏଫସି ବ୍ୟାଙ୍କ ୩୧,୧୧୬ କୋଟି ଟଙ୍କା ଲାଭ କରିଛି । ଏହା ସବୁ ବ୍ୟାଙ୍କ ଅର୍ଜନ କରିଥିବା ଲାଭର ୩୦ ପ୍ରତିଶତ । ଯାହାକି ୨୦୧୯ ତୁଳନାରେ ୧୮ ପ୍ରତିଶତ ଅଧିକ । ସେହିପରି ଏସବିଆଇର ଲାଭ ପରିମାଣ ହେଉଛି ୨୦,୪୧୦ କୋଟି ଟଙ୍କା । ଏହା ବ୍ୟାଙ୍କଗୁଡ଼ିକର ମୋଟ ଲାଭର ୨୦ ପ୍ରତିଶତ । ଆଇସିଆଇସିଆଇ ୧୬,୧୯୨ କୋଟି ଲାଭ କରି ତୃତୀୟ ଲାଭବାନ ବ୍ୟାଙ୍କ ହୋଇଛି । ଏସବିଆଇ ଏବଂ ଆଇସିଆଇସିଆଇର ୨୦୧୯ ତୁଳନାରେ ଡବଲ ଲାଭବାନ ହୋଇଥିବା ଜଣାପଡ଼ିଛି । ତେବେ ପବ୍ଲିକ ସେକ୍ଟର ବ୍ୟାଙ୍କ ବା ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଲୋନ୍ ଦେଇ କ୍ଷତି ଅଧିକ ହେବାରୁ ବିଭିନ୍ନ କଟକଣା ଲଗାଇଛନ୍ତି । ତେଣୁ ଅଧିକାଂଶ ଲୋନ୍ ନେବାକୁ ଘରୋଇ ବ୍ୟାଙ୍କକୁ ଅଧିକ ପସନ୍ଦ କରିଥିବାରୁ ଏହାର ଫାଇଦା ପାଇଛନ୍ତି ଘରୋଇ ବ୍ୟାଙ୍କ । ବିଗତ ୫ ବର୍ଷ ମଧ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ମିଶି ୨୦୨୦ରେ ପ୍ରଥମ ଥର ପାଇଁ ନେଟ୍ ଲାଭବାନ ହୋଇଛନ୍ତି । ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କରୁ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ଏବଂ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ କ୍ଷତିରେ ରହିଥିବା ଜଣାପଡ଼ିଛି । ସେହିପରି ଘରୋଇ ବ୍ୟାଙ୍କ କ୍ଷେତ୍ରରେ ୟେସ୍ ବ୍ୟାଙ୍କର ସ୍ଥିତିରେ ମଧ୍ୟ ସୁଧାର ଆସିଛି । ଏହି ବ୍ୟାଙ୍କ ୨୦୧୯ ଶେଷ ବେଳେ ବିଭିନ୍ନ ଋଣ ଜାଲିଆତି ପାଇଁ ବୁଡ଼ିଯିବ ବୋଲି ଆକଳନ କରାଯାଉଥିଲା । କିନ୍ତୁ ଆରବିଆଇର ହସ୍ତକ୍ଷେପ ପରେ ୨୦୨୦ରେ ଏହି ବ୍ୟାଙ୍କର କ୍ଷତିର ପରିମାଣ ୨୦୧୯ ତୁଳନାରେ ବହୁତ କମିଛି । ଯାହାକି ୟେସ୍ ବ୍ୟାଙ୍କ ପାଇଁ ସକାରାତ୍ମକ ରହିଛି । ୨୦୧୯ରେ ଏହି ୟେସ୍ ବ୍ୟାଙ୍କ ୩,୪୬୧ କୋଟି ଟଙ୍କା କ୍ଷତି ସହିଥିଲା ।

Comments (0)
Add Comment