୫ କୋଟିର ବ୍ରାଉନସୁଗାର ଜବତ

ଭୁବନେଶ୍ବର : ରସୁଲଗଡ଼ ଛକ ନିକଟରୁ ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୪ କେଜି ୪୮୬ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରିଛି ପୁଲିସ । ଗୋଟିଏ ଦିନରେ ସାଢ଼େ ୪ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓଡ଼ିଶା ପୁଲିସ ଇତିହାସରେ ଏକ ସର୍ବକାଳୀନ ରେକର୍ଡ । ‌ ଅଭିଯୁକ୍ତମାନେ ହେଲେ, ବାଲେଶ୍ବର ନୀଳଗିରି ଥାନା ନରସିଂହପୁର ଅଞ୍ଚଳର ଦେବାଶିଷ ବେହେରା ଓରଫ୍ ରିଙ୍କୁ, ବାଲେଶ୍ବର ଗୋପାଳ ଗାଁ ଅଞ୍ଚଳର ଶେଖ୍ କୌଶର ଅଲ୍ଲୀ ଓ ପ୍ରବୀର କୁମାର ସିଂ ଓରଫ୍ ସିତୁ। ଏମାନେ ଏତେ ପରିମାଣର ବ୍ରାଉନସୁଗାର କେଉଁଠୁ ଆଣିଲେ? କାହାକୁ ଦେବା ଲାଗି ରସୁଲଗଡ଼ ଆସିଥିଲେ? ସେମାନଙ୍କ ଗ୍ୟାଙ୍ଗରେ ଆଉ କିଏ ଅଛନ୍ତି? ସେ ସମ୍ପର୍କରେ ଏସ୍‌ଟିଏଫ୍ ଖୋଳତାଡ଼ ଚଳାଇଛି। ପୁଲିସ ଡିଜି ଅଭୟ ଏସଟିଏଫ୍ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ଅଭିଯୁକ୍ତମାନେ ବୋଲେରୋରେ ବ୍ରାଉନସୁଗାର ଡିଲ୍ କରିବା ଲାଗି ରସୁଲଗଡ଼ ଶିଳ୍ପାଞ୍ଚଳ ନିକଟରେ ଖୁଚୁରା ବେପାରୀଙ୍କୁ ଅପେକ୍ଷା କରିଥିବା ବେଳେ ଏସଟିଏଫ୍ ସେମାନଙ୍କୁ ଉଠାଇ ନେଇଥିଲା।

ଅନ୍ୟ ଏକ ଘଟଣାକ୍ରମରେ କମିସନରେଟ୍‌ ପୁଲିସର କୁଇକ୍ ଆକ୍ସନ ଟିମ୍ ବି ଆଜି ଜଟଣୀ ଥାନା ବଡ଼ରଘୁନାଥପୁର ଇନଫୋଭ୍ୟାଲି ରାସ୍ତାରୁ ୨ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ କ୍ୟୁଏଟି ୭୦୬ ଗ୍ରାମ୍‌ର ବ୍ରାଉନସୁଗାର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷରୁ ଊର୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଗିରଫ ଅଭିଯୁକ୍ତମାନେ ହେଲେ, ଖୋର୍ଦ୍ଧା ଜଙ୍କିଆ ଥାନା ନରଣଗଡ଼ ଅଞ୍ଚଳର ସୌମ୍ୟରଞ୍ଜନ ବଳିଆରସିଂ ଓରଫ୍ କାଳୁ ଏବଂ ରଞ୍ଜିତ କୁମାର ନାୟକ ଓରଫ୍ ରଞ୍ଜୁ। ସେମାନଙ୍କ ନିକଟରୁ ଫର୍ଡ ଫିଗୋ କାର୍, ହୋଣ୍ଡା ଆକ୍ଟିଭା, ୧୮୨୦ ଟଙ୍କା, ୩ଟି ମୋବାଇଲ ମଧ୍ୟ ଜବତ କରାଯାଇଛି। ଏନେଇ ଜଟଣୀ ଥାନାରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଦ୍ବୟଙ୍କୁ କୋର୍ଟଚାଲାଣ କରାଯିବ ବୋଲି ପୁଲିସ କହିଛି। ଉଲ୍ଲେଖଯୋଗ୍ୟ ଯେ ଅଭିଯୁକ୍ତଦ୍ବୟ ଗାଡ଼ିରେ ଆର୍ମି, ପୁଲିସ୍‌ ଷ୍ଟିକର୍‌ ଲଗାଇ ଦୀର୍ଘ ଦିନ ହେଲା ବ୍ରାଉନସୁଗାର କାରବାର ଚଳାଇ ଆସୁଥିଲେ। କିନ୍ତୁ ପୁଲିସ୍‌ ଏମାନଙ୍କ ଟେର୍‌ ପାଉନଥିଲା।

Comments (0)
Add Comment