ଆଗାମୀ କେନ୍ଦ୍ର ବଜେଟ: ତିନିଟି ଆହ୍ବାନ

୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାର ବଜେଟ ଉପସ୍ଥାପନ ପାଇଁ ପ୍ରସ୍ତୁତ ହେଊଛନ୍ତି। ଏଥି ନିମନ୍ତେ, ନିର୍ଦ୍ଦିଷ୍ଟ କେତୋଟି ଅନୁଷ୍ଠାନ ସହିତ ବିଚାରବିମର୍ଶ ଜାରି ରଖିବା ସହିତ ଜନସାଧାରଣଙ୍କର ମତାମତ ମଧ୍ୟ ନେଇସାରିଛନ୍ତି। ଚଳିତ ବର୍ଷ ବଜେଟ ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ। ମହାମାରୀ ପରିପ୍ରେକ୍ଷୀରେ ଏହି ଆହ୍ବାନଗୁଡିକ ବିଗତ ବର୍ଷଗୁଡ଼ିକଠାରୁ ଅନେକ ପରିମାଣରେ ଭିନ୍ନ। ମହାମାରୀ ଓ ତତ୍‌ଜନିତ ଲକଡାଉନ ଓ ସଟଡାଉନ ଭଳି ପଦକ୍ଷେପଗୁଡିକ ଦେଶ ଅର୍ଥନୀତିକୁ ଏକ ପ୍ରକାର ସ୍ଥାଣୁ କରିଦେଇଥିଲା। ଏବେ ପ୍ରଭାବ ହ୍ରାସ ପାଇଥିଲେ ମଧ୍ୟ ଅର୍ଥନୀତି ସଂପୂର୍ଣ୍ଣ ଭାବରେ ପୁନରୁଦ୍ଧାର ହୋଇପାରିନାହିଁ। ଏପରିକି ଟିକା ଆସିଯାଇଥିଲେ ମଧ୍ୟ ଦେଶ ଅର୍ଥନୀତି ପୂର୍ବାବସ୍ଥାକୁ ଫେରିବା ପାଇଁ ଆହୁରି ଅନେକ ସମୟ ଲାଗିପାରେ। ଏଭଳି ଜଟିଳ ପରିସ୍ଥିତିରେ ବଜେଟ ପ୍ରସ୍ତୁତି କେନ୍ଦ୍ର ସରକାରଙ୍କ ପାଇଁ ନିଶ୍ଚିତରୂପେ ଏକ ଆହ୍ବାନ। ସାଂପ୍ରତିକ ସମ୍ବେଦନଶୀଳ ପରିସ୍ଥିତିରେ ଦେଶ ଅର୍ଥନୀତି ପାଇଁ ତିନିଟି ମୁଖ୍ୟ ସମସ୍ୟା ଉଭା ହୋଇଛି।
ପ୍ରଥମ, କୋଭିଡ ମହାମାରୀ ଦ୍ବାରା ଦେଶରେ ଜିଡ଼ିପିର ଅଭିବୃଦ୍ଧି ହାର ଅନେକ ପରିମାଣରେ ହ୍ରାସ ପାଇବ ବୋଲି ଅନୁମାନ କରାଯାଉଛି । ଏପରି କି ଅନେକ ଅର୍ଥନୀତି ବିଶାରଦଙ୍କ ମତରେ ଜିଡ଼ିପି ନିମ୍ନଗାମୀ ହେବାର ସୂଚନା ମିଳୁଥିବା ବେଳେ, କେତେକଙ୍କ ମତରେ ୨୦୨୦-୨୧ ଆର୍ଥିକ ବର୍ଷରେ ଜିଡ଼ିପି ପରିମାଣ ୨୦୧୯-୨୦ ସହିତ ସମାନ ରହିବ। କେବଳ ମହାମାରୀ ପାଇଁ ନୁହେଁ; ଗତ ଦୁଇ ବର୍ଷ ଧରି ବିଭିନ୍ନ ନୀତିଗତ ସଂସ୍କାରବାଦୀ ନିଷ୍ପତ୍ତି ପାଇଁ ଜିଡ଼ିପି ଅଭିବୃଦ୍ଧିର ହ୍ରାସ ଘଟିଛି। ୨୦୧୭-୧୮ ଅର୍ଥନୀତିର ଅଭିବୃଦ୍ଧି ହାର ୭ ପ୍ରତିଶତରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୬.୧ ପ୍ରତିଶତକୁ ହ୍ରାସ ପାଇଥିଲା। କୋଭିଡ ଆସିବା ଠିକ ପୂର୍ବରୁ ମଧ୍ୟ ମାନ୍ଦାବସ୍ଥା ପ୍ରଭାବରେ ୪.୨ ପ୍ରତିଶତକୁ ହ୍ରାସ ପାଇଥିଲା। ଏଥିସହିତ, ବର୍ତ୍ତମାନର ଅଭିବୃଦ୍ଧି ହାର ହ୍ରାସ ପାଇବା ଦ୍ବାରା ସରକାରଙ୍କର ରାଜସ୍ୱ ମିଳିବାରେ ମଧ୍ୟ ଯଥେଷ୍ଟ ମାତ୍ରାରେ ପ୍ରଭାବ ପଡିଛି। ଭାରତ ସରକାରଙ୍କର କ​‌େ​‌ଣ୍ଟ୍ରାଲର ଜେନେରାଲ ଅଫ୍‌ ଆକାଉଣ୍ଟସ୍‌ଙ୍କ ତଥ୍ୟରୁ ଜଣାଯାଏ ଯେ ନଭେମ୍ବର ମାସ ସୁଦ୍ଧା ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆକଳନ କରାଯାଇଥିବା ମୋଟ ରାଜସ୍ବର ମାତ୍ର ୪୦ ପ୍ରତିଶତ ମିଳିପାରିଛି। ଟିକସ ସୂତ୍ରରୁ ୪୨ ପ୍ରତିଶତ ହୋଇଥିବା ସ୍ଥଳେ ଅଣଟିକସ ସୂତ୍ରରୁ ୩୨ ପ୍ରତିଶତ ମିଳି ପାରିଛି। ତେଣୁ, ଆଉ ମାତ୍ର ଚାରି ମାସ ମଧ୍ୟରେ ଧାର୍ଯ୍ୟ ଲକ୍ଷ୍ୟ ମୁତାବକ ସମ୍ବଳ ସଂଗ୍ରହ କରି ନ ପାରନ୍ତି। ଅନ୍ୟ ପକ୍ଷରେ, ଏହି ସମୟରେ ବ୍ୟୟ ବରାଦର ୬୩ ଭାଗ ଖର୍ଚ୍ଚ ହୋଇସାରିଛି। ତେଣୁ, ସମ୍ବଳର ସ୍ୱଳ୍ପତା ଏହି ବଜେଟରେ ଏକ ମୁଖ୍ୟ ସମସ୍ୟା ଭାବରେ ଉଭା ହୋଇ ରହିବ।
ଦ୍ବିତୀୟ, କରୋନା ମହାମାରୀ ଦ୍ବାରା ଅନେକ ନୂତନ ଆବଶ୍ୟକତା ମୁଣ୍ଡ ଟେକି ଉଠିଛି। ଦେଶର ଦୁର୍ବଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ଲୋକଲୋଚନକୁ ଆସିଛି। ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ମୁତାବକ ଏକ ହଜାର ରୋଗୀ ପିଛା ଗୋଟିଏ ଡାକ୍ତର ଆବଶ୍ୟକତା ଥିବା ସ୍ଥଳେ ଆମ ଦେଶରେ ୧୫୦୦ ରୋଗୀ ପିଛା ଗୋଟିଏ ଡାକ୍ତର ଅଛନ୍ତି। ସେହିପରି ଗ୍ରାମ୍ୟ ସ୍ୱାସ୍ଥ୍ୟ ପରିସଂଖ୍ୟାନ(ରୁରାଲ ହେଲ୍‌ଥ ଷ୍ଟାଟିଷ୍ଟିକ୍ସ)ରୁ ଜଣାଯାଏ ଯେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡିକରେ ୨୪ ଭାଗ ଡାକ୍ତର ପଦ ଖାଲି ଅଛି। ଏପରି କି ଫାର୍ମାସିଷ୍ଟ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ମଧ୍ୟ ତୃଣମୂଳ ସ୍ତରରେ ଆବଶ୍ୟକ ମୁତାବକ ନାହାନ୍ତି। ଆମ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏଭଳି ସ୍ଥିତି ଯେ ସ୍ବାଭାବିକ ସମୟରେ ମଧ୍ୟ ଜନସାଧାରଣ ଠିକ୍‌ ଭାବରେ ସେବା ପାଇ ପାରୁନାହାନ୍ତି। ଏହି ମହାମାରୀ ସମୟରେ ଆମେମାନେ ଦେଖିଲେ କିଭଳି ଆମକୁ ବେଡ଼, ଆଇସିୟୁ ତଥା ଅନ୍ୟାନ୍ୟ ଭିତ୍ତି ଭୂମି ପାଇଁ ଘରୋଇ କ୍ଷେତ୍ର ଉପରେ ନିର୍ଭର କରିବାକୁ ପଡିଲା; କିନ୍ତୁ, ବଡ ବଡ ଘରୋଇ ଡାକ୍ତରଖାନାଗୁଡିକ କୋଭିଡ଼ ଚିକିତ୍ସା ପାଇଁ ଅଧିକ ଅର୍ଥ ଦାବି କରୁଥିବାର ଉଦାହରଣମାନ ମଧ୍ୟ ରହିଛି। ଏକ ପକ୍ଷରେ, ଗ୍ରାମାଞ୍ଚଳରେ ଏହିଭଳି ସୁବିଧା ନ ଥିବା ସ୍ଥଳେ ସେମାନେ ଚିକିସ୍ଥାପାଇଁ ମନଇଚ୍ଛା ଦାବି କରୁଥିବା ଅର୍ଥ ଉପରେ ସରକାରଙ୍କର ନିୟନ୍ତ୍ରଣର ଅଭାବ ପରିଲକ୍ଷିତ ହୁଏ। ଏହା ଛଡା, ଆର୍ଥିକ ଦୃଷ୍ଟି କୋଣରୁ ଗ୍ରାମାଞ୍ଚଳରେ ଘରୋଇ କ୍ଷେତ୍ର ସ୍ୱାସ୍ଥ୍ୟ ସେବା ମଧ୍ୟ ଉପଲବ୍ଧି କରିବା ସମ୍ଭବ ନୁହେଁ। ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତ ସରକାର ୬୯୨୩୪ କୋଟି ଟଙ୍କା ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବ୍ୟୟ ବରାଦ କରିଥିଲେ। ଦେଶର ସ୍ୱାସ୍ଥ୍ୟ ନୀତି ଅନୁସାରେ ୨୦୨୫ ମସିହା ସୁଦ୍ଧା ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବ୍ୟୟ ବରାଦ ଜିଡ଼ିପିର ୨.୫ ପ୍ରତିଶତ ହେବାକୁ ଲକ୍ଷ୍ୟ ରଖିଥିବା ସ୍ଥଳେ, ଚଳିତ ବର୍ଷର ବ୍ୟୟ ବରାଦ ମାତ୍ର ୦.୩ପ୍ରତିଶତ। ୨୦୦୪ ମସିହା ଓ ପରବର୍ତ୍ତୀ ବର୍ଷଗୁଡ଼ିକରେ ମଧ୍ୟ ଏହିଭଳି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଦୀର୍ଘ ୧୬ ବର୍ଷ ପରେ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆବଶ୍ୟକ ବ୍ୟୟ ବରାଦ ହୋଇ ପାରିନାହିଁ। ଭବିଷ୍ୟତରେ କରୋନା ମହାମାରୀ ଭଳି ସ୍ୱାସ୍ଥ୍ୟ ବିପର୍ଯ୍ୟୟକୁ ସମ୍ଭାଳିବା ପାଇଁ ଆସନ୍ତା କେନ୍ଦ୍ର ବଜେଟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ଯଥେଷ୍ଟ ମାତ୍ରାରେ ପ୍ରାଧାନ୍ୟ ଦେବେ ବୋଲି ଆଶା କରାଯାଉଛି।
ତୃତୀୟରେ,ଏହି ବର୍ଷର ମହାମାରୀ ମଧ୍ୟ ଜନସାଧାରଣଙ୍କର ଜୀବନଜୀବିକା ଉପରେ ଅନେକ ପରିମାଣର କ୍ଷତି ପହଞ୍ଚାଇଛି। ଅନେକ ନିଯୁକ୍ତି ହରାଇବା ସହିତ ଲୋକମାନଙ୍କର ରୋଜଗାରରେ ହ୍ରାସ ଘଟିଛି। ଏକ ସର୍ଭେରୁ ଜଣାଯାଇଛି ଯେ ଦେଶରେ ପ୍ରତ୍ୟେକ ୧୦ ଜଣରେ ୮ ଜଣଙ୍କର ଆୟରେ ହ୍ରାସ ଘଟିଛି। ୪୬ପ୍ରତିଶତ ନିମ୍ନ ଆୟକାରୀମାନେ ଲକ ଡାଉନ ସମୟରେ ଋଣ କରି ଘର ଚଳେଇଛନ୍ତି। ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକମାନଙ୍କର ସ୍ଥିତି ଲକ ଡାଉନ ସମୟରେ ଅତ୍ୟନ୍ତ ଖରାପ ହୋଇଯାଇଥିଲା। ଦେଶରେ ୧.୨୨ କୋଟି ନିଯୁକ୍ତି ହରାଇଥିବା ଲୋକମାନଙ୍କ ମଧ୍ୟରୁ ୭୫ ଭାଗ ହେଉଛନ୍ତି ଅଣସଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକ। ଏଥି ସହ ଦେଶାନ୍ତର ଶ୍ରମିକମାନଙ୍କର ଘର ବାହୁଡା ଦ୍ବାରା ସେମାନଙ୍କ ସ୍ଥିତି ଅନେକ କ୍ଷେତ୍ରରେ ଜଟିଳ ହୋଇ ପଡିଥିଲା। ଏବେ ମଧ୍ୟ ଶ୍ରମିକ ଓ ଛୋଟ ଛୋଟ ବ୍ୟବସାୟୀମାନଙ୍କର ସ୍ଥିତି ପୂର୍ବାବସ୍ଥାକୁ ଫେରି ନାହିଁ। ତେଣୁ ଏ ଭଳି ସମୟରେ ଲୋକମାନଙ୍କ ପାଇଁ ଯଥେଷ୍ଟ କର୍ମନିଯୁକ୍ତି ପାଇଁ ବଜେଟରେ ବ୍ୟୟ ବରାଦ କରିବାର ଆବଶ୍ୟକତା ରହିଛି।
ଭାରତ ସରକାରଙ୍କ ଦ୍ବାରା ବହୁ ପୂର୍ବରୁ ପ୍ରଣୀତ ନରେଗା ଯୋଜନା ଏହି ଭଳି ସମସ୍ୟାକୁ ପୂର୍ଣ୍ଣ ଭାବରେ ନହେଲେ ମଧ୍ୟ ଅନେକ ପରିମାଣରେ ସମାଧାନ କରିବ ବୋଲି ଆଶା କରାଯାଉଛି। ୨୦୨୦-୨୧ ଆର୍ଥିକ ବର୍ଷରେ ଏହି ଯୋଜନା ପାଇଁ ୭୧୦୦୦ କୋଟି ଟଙ୍କାରୁ ୬୧୫୦୦ କୋଟି ଟଙ୍କାକୁ ହ୍ରାସ କରିଥିଲେ। ପରବର୍ତ୍ତୀ ସମୟରେ ଏହି ଯୋଜନା ଅର୍ଥର ଗୁରୁତ୍ବକୁ ଦୃଷ୍ଟିରେ ରଖି ଅତିରିକ୍ତ ୪୦୦୦୦ କୋଟି ଟଙ୍କା ବୃଦ୍ଧି କରି ଏହି ଯୋଜନା ବାବଦରେ ମୋଟ ୧ ଲକ୍ଷ କୋଟି ଟଙ୍କାରେ ରଖିଥିଲେ। ମହାମାରୀ ସମୟରେ ନରେଗା କାମର ଚାହିଦା ବୃଦ୍ଧି ଘଟିଥିଲା ଯାହା ଦ୍ବାରା ଆର୍ଥିକବର୍ଷର ପ୍ରଥମ ଚାରି ମାସରେ ପଚାଶ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇ ଯାଇଥିଲା। ଏପରି କି ଦେଶରେ ଅନେକ ପଞ୍ଚାଯତ ସମ୍ବଳ ଅଭାବରୁ ଲୋକମାନଙ୍କୁ ଚାହିଦା ମୁତାବକ ନରେଗା କାମ ଦେଇ ପାରିନଥିଲେ। ତେଣୁ, ବୃହତ୍ତର ଅର୍ଥନୀତିର ବିକାଶ ତଥା ଗ୍ରାମୀଣ ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡ ସୁଧାରିବା ପାଇଁ ନରେଗା ଯୋଜନାରେ ବ୍ୟୟ ବରାଦକୁ ଦୁଇ ଗୁଣ କରିବେ ବୋଲି ଆଶା କରାଯାଉଛି। ଗ୍ରାମ୍ୟ ସ୍ତରରେ ଜୀବନଜୀବିକାକୁ ସୁଦୃଢ କରିବା ପାଇଁ ଭାରତ ସରକାରଙ୍କର ଜାତୀୟ ଜୀବିକା ମିଶନ ନାମରେ ଏକ କାର୍ଯ୍ୟକ୍ରମ ଭାରତବର୍ଷରେ ପ୍ରଣୟନ କରାଯାଇଛି। ଏହି କାର୍ଯ୍ୟକ୍ରମ ଦ୍ବାରା ଗଠନ କରାଯାଇଥିବା ଅନେକ ସ୍ବୟଂ ସହାୟକ ଦଳ ଗ୍ରାମୀଣ ଅର୍ଥନିତୀକୁ ସୁଧାରିବାରେ ଅନେକ ପରିମାଣରେ ସହାୟକ ହେବେ; କିନ୍ତୁ ୨୦୨୦-୨୧ ଆର୍ଥିକ ବର୍ଷରେ ଏହି କାର୍ଯ୍ୟକ୍ରମ ପାଇଁ ମାତ୍ର ୨୦୦ କୋଟି ଟଙ୍କା ବୃଦ୍ଧି କରଯାଇଥିଲା। ୨୦୧୯-୨୦ ଆର୍ଥିକ ବର୍ଷରେ ଏହି କାର୍ଯ୍ୟକ୍ରମ ପାଇଁ ୯୦୨୪ କୋଟି ଟଙ୍କା ବ୍ୟୟ ବରାଦ କରିଥିଲେ ଓ ୨୦୨୦-୨୧ ଆର୍ଥିକ ବର୍ଷରେ ଏହାକୁ ମାତ୍ର ୯୨୧୦ କୋଟି ଟଙ୍କାକୁ ବୃଦ୍ଧି କରିଥିଲେ। ତେଣୁ ବର୍ତ୍ତମାନର ପରିସ୍ଥିତିକୁ ଲକ୍ଷ୍ୟ କଲେ ଏହି କାର୍ଯ୍ୟକ୍ରମ ପାଇଁ ବ୍ୟୟବରାଦ ଯଥେଷ୍ଟ ମାତ୍ରାରେ ବୃଦ୍ଧି କରିବାର ଆବଶ୍ୟକତା ରହିଛ।
ତେଣୁ ବର୍ଦ୍ଧିତ ଆବଶ୍ୟକତା ତଥା ଦେଶର ସମ୍ବଳ ଅଭାବକୁ ଲକ୍ଷ୍ୟକଲେ ଆସନ୍ତା ବଜେଟରେ ଆୟର ନୂତନ ଉତ୍ସ ବାବଦରେ ଚିନ୍ତା କରିବାର ସମୟ ଆସିଛି। ଯଦି ମହାମାରୀଜନିତ ଉଭୟ ସ୍ୱାସ୍ଥ୍ୟ ଓ ଜୀବନଜୀବିକା କ୍ଷେତ୍ରରେ ହୋଇଥିବା କ୍ଷତିଗୁଡିକୁ ଭରଣା କରାଯିବାର ଲକ୍ଷ୍ୟ ସରକାର ରଖିଥାନ୍ତି ତେବେ ଆସନ୍ତା ବଜେଟର ଆକାର ଯଥେଷ୍ଟ ପରିମାଣର ବୃଦ୍ଧି ହେବା ଦରକାର। ଏହି ମହାମାରୀ ସମୟରେ ମଧ୍ୟ କିଛି ଶିଲ୍ପପତି ଅନେକ ଲାଭ ପାଇଛନ୍ତି। ଦେଖାଯାଇଛି ଯେ ଭାରତୀୟ ଅତି-ଧନୀମାନଙ୍କର ସମ୍ପତ୍ତିର ପରିମାଣ ଏହି ବିପର୍ଯ୍ୟୟ ସମୟରେ ମଧ୍ୟ ୩୫ ପ୍ରତିଶତ ବୃଦ୍ଧି ଘଟିଛି। ଦେଶରେ ଏହି ସମୟରେ ୮୪ ପ୍ରତିଶତ ପରିବାରରେ ରୋଜଗାର ହ୍ରାସ ପାଇ ବଞ୍ଚିବା ପାଇଁ କଷ୍ଟ ସହୁଥିବା ସମୟରେ ନିର୍ଦ୍ଦିଷ୍ଟ ୧୧ଜଣ ଅତି ଧନୀଙ୍କର ୭ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ବୃଦ୍ଧି ଘଟିଛି। ତେଣୁ, ଅତିରିକ୍ତ ସମ୍ବଳ ପାଇଁ ମହାମାରୀ ସମୟରେ ଲାଭ କରିଥିବା ଏହିଭଳି ନିର୍ଦ୍ଦିଷ୍ଟ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ଉପରେ ଅତିରିକ୍ତ ସରଚାର୍ଜ ଲାଗୁ କରିବାର ଆବଶ୍ୟକତା ରହିଛି। ଏଥିସହିତ, ଅତି ଧନୀମାନଙ୍କ ଉପରେ ସମ୍ପତ୍ତି ଟିକସ ଲଗାଇ ଅତିରିକ୍ତ ସମ୍ବଳ ସୃଷ୍ଟି କରି ଦେଶର ବିଗିଡି ଯାଇଥିବା ଅର୍ଥନୀତିକୁ ସୁଧାରିବା ସହିତ ଜନସାଧାରଣଙ୍କର ଆବଶ୍ୟକତାକୁ ଆସନ୍ତା ବଜେଟ ପୂରଣ କରିପାରିବ ବୋଲି ଆଶା।

Comments (0)
Add Comment