ପ୍ରତି ୧୫ ସେକେଣ୍ଡରେ ମରୁଛନ୍ତି ଜଣେ କରୋନା ରୋଗୀ, ସ୍ଥିତି ଗୁରୁତର ଆଶଙ୍କା

ନୂଆଦିଲ୍ଲୀ:  ସାରା ବିଶ୍ଵରେ କରୋନା ସଂକ୍ରମଣ ସ୍ଥିତି ଦିନକୁଦିନ ଖରାପ ହେବାରେ ଲାଗିଛି । ପରିସ୍ଥିତି ଏପରି ହୋଇଛି ଯେ ସାରା ବିଶ୍ଵରେ ହାରାହାରି ପ୍ରତି ୧୫ ସେକେଣ୍ଡରେ ଜଣେ କରୋନା ସଂକ୍ରମିତ ମୃତ୍ୟୁବରଣ କରୁଛନ୍ତି । ବର୍ତମାନ ସୁଦ୍ଧା ସାରା ପୃଥିବୀରେ ମୃତକଙ୍କ ସଂଖ୍ୟା ୭ ଲକ୍ଷ ଅତିକ୍ରମ କରିଛି । ଆମେରିକା, ବ୍ରାଜିଲ, ଭାରତ, ମେକ୍ସିକୋ ସହ ଅନ୍ୟ କିଛି ଦେଶରେ ମହାମାରୀ ଦୃତ ଗତିରେ ବ୍ୟାପିବାରେ ଲାଗିଛି । ଏହି ଦେଶଗୁଡ଼ିକରେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । କେବଳ ଆମେରିକାରେ ୪୯ ଲକ୍ଷରୁ ଅଧିକ ଲୋକ କୋଭିଡ଼-୧୯ ସଂକ୍ରମଣ ଶିକାର ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୧.୬ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି । ରଏଟର୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତ ୨ ସପ୍ତାହ ମଧ୍ୟରେ ପ୍ରତି ୨୪ ଘଣ୍ଟାରେ ହାରାହାରି ୫୯୦୦ ଲୋକଙ୍କ ମୃତ୍ୟୁ ଘଟିଛି । ସାଧାରଣ ଭାବରେ ହିସାବ କଲେ ପ୍ରତି ଘଣ୍ଟାରେ ହାରାହାରି ୨୪୭ ଅର୍ଥାତ୍ ପ୍ରତି ୧୫ ସେକେଣ୍ଡରେ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟୁଥିବା ଦେଖାଯାଇଛି । ବିଶ୍ଵରେ ବର୍ତମାନ ସୁଦ୍ଧା ୭ଲକ୍ଷ ୫ ହଜାର ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ଓ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧.୮୭ କୋଟି ଅତିକ୍ରମ କରିଛି । ଗତ ମାର୍ଚ ୧୧ ତାରିଖରେ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ କରୋନାକୁ ମହାମାରୀ ରୂପେ ଘୋଷଣା କରିଥିଲା । ବର୍ତମାନ ସୁଦ୍ଧା ଆମେରିକା କରୋନାର ଏପିକ୍ ସେଣ୍ଟର ପାଲଟିଛି, ଯେଉଁଠି କାଲିଫର୍ଣିଆ, ଟେକ୍ସାସ, ଫ୍ଲୋରିଡ଼ା ସମେତ କିଛି ରାଜ୍ୟରେ ସଂକ୍ରମଣ ଦୃତଗତିରେ ବଢ଼ିବାରେ ଲାଗିଛି । ପରିସଂଖ୍ୟାନ ଅନୁସାରେ ଆମେରିକାରେ ପ୍ରାୟ ପ୍ରତିଦିନ ମୃତକଙ୍କ ସଂଖ୍ୟା ୧୦୦୦ରୁ ଅଧିକ ବୋଲି ଜଣାପଡ଼ିଛି । କରୋନା ସଂକ୍ରମଣରେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଥିବା ବ୍ରାଜିଲ ଓ ଭାରତର ସ୍ଥିତି ମଧ୍ୟ ଅତ୍ୟନ୍ତ ସ୍ପର୍ଶକାତର । ବ୍ରାଜିଲରେ ଗତ ୨୪ ଘଣ୍ଟାରେ ୫୧୦୦୦ ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି ଓ ଏହି ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮ ଲକ୍ଷ ଅତିକ୍ରମ କରିଛି । ୨୪ ଘଣ୍ଟାରେ ବ୍ରାଜିଲରେ ୧୧୫୪ ଜଣଙ୍କ ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା ୯୬୦୦୦ ଟପିଛି । ଭାରତରେ ମଧ୍ୟ ଏହି ସ୍ଥିତି ଖରାପ। ଦେଶରେ୨୪ ଘଣ୍ଟା ମଧ୍ୟରେ ୫୬,୨୮୨ ପଜିଟିଭ୍ ଚିହ୍ନଟ ହେବା ସହ ୯୦୪ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ମୋଟ ସଂକ୍ରମିତଙ୍କ ସଂଖ୍ୟା  ୧୯ ଲକ୍ଷ ୬୪ ହଜାର ୫୩୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ୪୦ ହଜାର ୬୯୯ ଜଣଙ୍କର କରୋନାରେ ମୃତ୍ୟୁ ବରଣ କରିଛନ୍ତି । ଏବେ ବି ବିଭିନ୍ନ ଡ଼ାକ୍ତରଖାନାରେ   ୫ ଲକ୍ଷ ୯୫ ହଜାର ୫୦୧  ସକ୍ରିୟ ସଂକ୍ରମିତ ଚିକିତ୍ସାଧୀନ ଅଛନ୍ତି ।

Comments (0)
Add Comment