ମୁମ୍ବାଇ: ଆରମ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ତଉ ତେ’ ଅଧିକ ଭୟଙ୍କର ରୂପ ନେଇ ଏବେ ଗୁୁଜୁରାଟ ମୁହାଁ ହୋଇଛି । ଏହାର ପ୍ରଭାବରେ ସମୁଦ୍ର ମଧ୍ୟରେ ପବନର ଘଂଟାପ୍ରତି ବେଗ ୨୧୦ କିମି ବେଗରେ ପ୍ରବାହିତ ହେଉଥିଲା ବେଳେ ଗୋଆ , କର୍ଣ୍ଣାଟକ, ମହାରାଷ୍ଟ୍ରରେ ପ୍ରବଳ ବର୍ଷା ସହ ପବନ ପ୍ରବାହିତ ହେଉଛି । ମିଳିଥିବା ସୂଚନା ଅନୁଯାୟୀ ଗୋଆ, ମହାରାଷ୍ଟ୍ର ଓ କର୍ଣ୍ଣାଟକ୍ରେ ‘ତଉ ତେ’ ତାଣ୍ଡବ ସୃଷ୍ଟି କରିଛି । ବହୁ କଚାଘର କ୍ଷତିଗ୍ରସ୍ତ ହୋଇଛି । ବଡ ବଡ ଗଛ ରାସ୍ତା ଉପରେ ଉପୁଡି ପଡିବା ଯୋଗୁଁ ଗମନା ଗମନ ଗୁରୁତର ଭାବେ ବାଧା ପ୍ରାପ୍ତ ହୋଇଛି । ସେହିପରି ବିଦ୍ୟୁତ ଖୁଂଟ ଓ ଟେଲିଫୋନ୍ ଟାୱାର ଉପୁଡି ପଡିବା ଯୋଗୁଁ ବିଦ୍ୟୁତ ଓ ଟେଲି ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଗୋଆ ଠାରୁ ଗୁଜରାଟ ଯାଏ ସମୁଦ୍ର ଅଶାନ୍ତ ହୋଇ ଉଠିଛି । ମୁମ୍ବାଇ ସମୁଦ୍ରରେ ଜୁଆର ପ୍ରାୟ ୩.୯୪ ମିଟର ଉଚ୍ଚରେ ଉଠିଛି ।
ରାତି ୧୦ଟା ୧୧ଟା ମଧ୍ୟରେ ‘ତଉ ତେ’ ଗୁଜରାଟର ପୋରବନ୍ଦର ଓ ମହୁବା ମଧ୍ୟରେ ଲ୍ୟାଣ୍ଡଫଲ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏବେ ଅତି ଭୟଙ୍କର ରୂପ ଧାରଣ କରିଥିବା ‘ତଉ ତେ’ ସ୍ଥଳ ଭାଗକୁ ଆସିବା କ୍ଷଣି ଅତି ଭୀଷଣ ବାତ୍ୟାରରେ ପରିଣତ ହୋଇଯିବ । ତେଣୁ ପବନର ଘଂଟାପ୍ରତି ବେଗ ସର୍ବାଧିକ ୧୮୫ କିମି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । କିନ୍ତୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ବିଭାଗ ଆକଳନ କରିଛି । ଏହାକୁ ଦୃଷ୍ଟିରେ ରଖି ଗୁଜୁରାଟର ଉପକୂଳବର୍ତୀ ଜିଲ୍ଲାରେ ରହୁଥିବା ପ୍ରାୟ ୧ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।
ସୂଚନାଯୋଗ୍ୟ ଯେ, ‘ତଉ ତେ’ ଅତ୍ୟନ୍ତ ଭୟଙ୍କର ବାତ୍ୟାର ରୂପ ନେଇଥିବାରୁ ଆସନ୍ତା ୬ ଘଂଟା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ସମୟରେ ପବନର ବେଗ ଘଂଟାପ୍ରତି ୧୮୦ରୁ ୧୯୦ କି.ମି ଓ ବେଳେବେଳେ ଏହା ୨୧୦ କିମି ଛୁଇଁବାର ମଧ୍ୟ ଆକଳନ କରାଯାଇଛି । ସ୍ଥଳଭାଗ ଛୁଇଁବା ବେଳେ ଏହା ଅତି ଭୀଷଣ ବାତ୍ୟାର ରୂପରେ ଥିବ । ସେହିପରି ବିଳମ୍ବର ରାତି ଯାଏ ଏହା ତ’ର ଉଗ୍ର ରୂପ ଦେଖାଇବାର ଆଶଙ୍କା ରହିଛି ।
ଅନ୍ୟପକ୍ଷରେ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମଗ୍ର ଗୁଜୁରାଟରେ ହାଇଆଲର୍ଟ ଜାରୀ କରାଯାଇଛି । ବାତ୍ୟା ପ୍ରବାଭିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ ପାଇଁ ୫୪ଟି ଏନ୍ଡିଆରଏଫ୍ ଟିମ୍କୁ ସଜାଗ ରଖାଯାଇଛି । ସେହିପରି ବାୟୁସେନାକୁ ମଧ୍ୟ ସଜାଗ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ଗତବର୍ଷ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ‘ଅମ୍ପନ୍’ପରି ‘ତଉ ତେ’ର ପ୍ରକୋପ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।