ଗୁରୁଡିଝାଟିଆ: ଖମାରନୂଆଗାଁରେ ବିଳମ୍ବିତ ରାତିରେ ୪ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି। ଏଭଳି ଅଗ୍ନିକାଣ୍ଡ ଗାଁରେ ଆଗରୁ କେବେ ହୋଇନଥିଲା। ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ପ୍ରସନ୍ନ ରାଉତଙ୍କ ସାଇକେଲ ଦୋକାନରେ ଅଗ୍ନିକାଣ୍ଡ ଘଟିଥିଲା। ଦୋକାନରେ ଥିବା ସାଇକେଲଗୁଡିକ ପୋଡି ପାଉଁଶ ହୋଇଯାଇଛି। ପ୍ରସନ୍ନ ରାଉତ ସାଇକେଲ ମରାମତି କରି ତାଙ୍କର ପରିବାର ଚଳାଉଥିଲେ। ସେହିପରି ଶିଶିରଖଟୁଆ ଓ ଶଙ୍କର ଖଟୁଆ ଦୁଇଭାଇଙ୍କ ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଘରେ ଥିବା ସମସ୍ତ ଆସବାବ ପତ୍ର ପୋଡିଯାଇଛି। ଏହାପରେ ଲକ୍ଷ୍ମଣଗୋଚ୍ଛି ଓ ରାହାସ ନାୟକଙ୍କ ୨ଟି ପାଳଗଦା ପୋଡିଯାଇଛି। ଉଲ୍ଲେଖଯୋଗ୍ୟ, ଅଗ୍ନିକାଣ୍ଡର ସ୍ଥାନଗୁଡିକ ପରସ୍ପରଠାରୁ ବହୁ ଦୂରରେ। ଆଠଗଡରୁ ଦମକଳ ଯାଇ ନିଆଁ ଲିଭାଇଲା ବେଳକୁ ସମସ୍ତ ଘର ଓ ପାଳଗଦା ପୋଡିଯାଇଥିଲା। ସହକାରୀ ଅଗ୍ନୀସମ ଅଧିକାରୀ ଦୁଷ୍ମନ୍ତ ସ୍ୱାଇଁ, ସୁଶାନ୍ତ କୁମାର ସାମଲ, ଜଗବନ୍ଧୁ ଭୋଇ, ବିପନ କୁମାର ସାହୁ ପ୍ରଭୃତି ଆଗ୍ନିକ ନିଆଁ ଲିଭାଇଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡିନଥିଲେ ମଧ୍ୟ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ଅନୁମାନ କରାଯାଉଛି।